'୨୦୧୮ରେ ଅନାସ୍ଥା ଆଣିଥିଲ, ଆମେ ଜିତିଥିଲୁ, ପୁଣି ୨୦୨୩ରେ ଆଣିଲ, ଏବେ ରେକର୍ଡ ସହ ଜିତିବୁ'

Published By : Prameya-News7 Bureau | August 10, 2023 IST

ନୂଆଦିଲ୍ଲୀ: ନିଜ ସରକାର ବିରୋଧରେ ତିନି ଦିନ ଧରି ଅନାସ୍ଥା ପ୍ରସ୍ତାବ ଉପରେ ଜାରି ଚର୍ଚ୍ଚାର ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିଜର ଚିର ପରିଚିତ ଶୈଳୀରେ ମୋଦୀ ବିରୋଧୀଙ୍କୁ ନିଶାଣ କରି କହିଛନ୍ତି ଯେ, ବିରୋଧୀ ଦେଶକୁ ନିରାଶ ବ୍ୟତୀତ ଆଉ କିଛି ଦେଇ ନାହାନ୍ତି। ଯାହାଙ୍କ ନିଜର ବହି ଖାତା ବିଗିଡ଼ି ସାରିଛି, ସେମାନେ ଆମକୁ ହିସାବ ମାଗୁଛନ୍ତି। ବିରୋଧୀ ଦଳ ଦିନ ରାତି ମୋତେ ଗାଳି ଦେବାରେ ବ୍ୟସ୍ତ। ଆଉ ସେମାନଙ୍କର ପ୍ରିୟ ଡାଇଲଗ୍ ହେଉଛି ମୋଦୀ ତୋର କବର ଖୋଳା ଯିବ। ମାତ୍ର ସେମାନଙ୍କର ଶବ୍ଦକୁ ମୁଁ ଔଷଧ ଭାବେ ପିଇ ଚାଲିଛି। ସେମାନଙ୍କର ଆଭିମୁଖ୍ୟ ଓଟ ପକ୍ଷୀ ପରି ହୋଇ ଯାଇଛି। ଭାରତର ଉନ୍ନତିକୁ ଦୁନିଆ ଦୂରରୁ ଦେଖି ପାରୁଛି। କିନ୍ତୁ ବିରୋଧୀ ଏଠାରେ ଥାଇ ବି ଦେଖି ପାରୁ ନାହାନ୍ତି। କାରଣ ଅବିଶ୍ଵାସ ଏବଂ ଗର୍ବ ସେମାନଙ୍କ ରକ୍ତରେ ଚରି ସାରିଛି।

ଅନାସ୍ଥା ପ୍ରସ୍ତାବ ଆମ ପାଇଁ ଶୁଭ

ମୋଦୀ କହିଛନ୍ତି, ତିନି ଦିନ ଧରି ଅନାସ୍ଥା ପ୍ରସ୍ତାବ ଉପରେ ଅନେକ ବରିଷ୍ଠ  ସାଂସଦ ସେମାନଙ୍କର ବକ୍ତବ୍ୟ ରଖି ସାରିଛନ୍ତି। ସମସ୍ତଙ୍କ ବିଚାର ବିସ୍ତାର ସହ ମୋ ନିକଟରେ ପହଞ୍ଚିଛି। କିଛି ଲୋକଙ୍କ ବିଚାର ମୁଁ ନିଜେ ଶୁଣିଛି। ଦେଶର ଜନତା ଯିଏ ଆମ ଉପରେ ବାରମ୍ବାର ବିଶ୍ଵାସ ପ୍ରକଟ କରିଛନ୍ତି, ସେମାନଙ୍କ ନିକଟରେ ମୁଁ କୃତଜ୍ଞ। ଭଗବାନ ବହୁତ ଦୟାଳୁ ଏବଂ ଏହାକୁ ଈଶ୍ଵରଙ୍କ ଆଶୀର୍ବାଦ ମାନୁଛି। ଅନାସ୍ଥା ପ୍ରସ୍ତାବ ଆଣିବାକୁ ଈଶ୍ଵର ବିରୋଧୀଙ୍କୁ ବୁଦ୍ଧି ଦେଇଛନ୍ତି। ୨୦୧୮ରେ ମଧ୍ୟ ବିରୋଧୀ ଅନାସ୍ଥା ପ୍ରସ୍ତାବ ନେଇ କି ଆସିଲେ। କିନ୍ତୁ ତାହା ମୋ ପାଇଁ ଟେଷ୍ଟ ନ ଥିଲା, ତାହା ବିରୋଧୀଙ୍କ ପାଇଁ ଫ୍ଲୋର ଟେଷ୍ଟ ଥିଲା ବୋଲି ମୋଦୀ କହିଛନ୍ତି। ବିରୋଧୀ ନିକଟରେ ଯେତେ ଭୋଟ୍ ଥିଲା, ଅନାସ୍ଥା ପ୍ରସ୍ତାବରେ ମତଦାନ ସମୟରେ ସେତିକି ଭୋଟ୍ ବି ପଡ଼ିଲାନି। ଏହାପରେ ୨୦୧୯ରେ ନିର୍ବାଚନ ହେଲା, ଆଉ ବିଜେପି ଅଧିକ ଆସନ ଜିତି ବିପୁଳ ବିଜୟ  ହାସଲ କଲା। ଅନାସ୍ଥା ପ୍ରସ୍ତାବ ସର୍ବଦା ଆମ ପାଇଁ ଶୁଭ  ହୋଇଛି। ୨୦୨୩ରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି, ଆଉ ୨୦୨୪ରେ ଆମର ରେକର୍ଡ ବିଜୟ ହେବ।  

संसद में पीएम मोदी ने विपक्ष पर साधा निशाना

ଫିଲ୍ଡିଂ ବିରୋଧୀଙ୍କର, ଚୌକା-ଛକା ଆମର

ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀଙ୍କୁ ତାତ୍ସଲ୍ୟ କରି କହିଛନ୍ତି, ଅନାସ୍ଥା ପ୍ରସ୍ତାବ ଉପରେ ବିରୋଧୀ ସଠିକ୍ ଢଙ୍ଗରେ ଚର୍ଚ୍ଚା କରୁ ନାହାନ୍ତି। ଫିଲ୍ଡିଂ ବିରୋଧୀ କରୁଛନ୍ତି, କିନ୍ତୁ ଚୌକା-ଛକା ଆମ ତରଫରୁ ହେଉଛି। ଅନାସ୍ଥା ପ୍ରସ୍ତାବ ଉପରେ ବିରୋଧୀ ନୋ ବଲ୍ ପରେ ନୋ ବଲ୍ ପକାଇ ଚାଲିଛନ୍ତି ଏବଂ ସରକାରଙ୍କ ପକ୍ଷରୁ ଶତକ ଅର୍ଜନ ହୋଇ ଚାଲିଛି। ମୁଁ ବିରୋଧୀଙ୍କୁ କହିବାକୁ ଚାହୁଁଛି ଯେ, କିଛି ତ ପରିଶ୍ରମ କରି ଆସିଥାନ୍ତ। ଆପଣଙ୍କୁ ୨୦୧୮ରେ କହିଥିଲି ପରିଶ୍ରମ କରି ଆସିବେ। କିନ୍ତୁ ଏହି ୫ ବର୍ଷରେ କିଛି ବି ବଦଳି ନାହିଁ। ଆମ୍ ଆଦମୀ ପାର୍ଟି ନାମ ନ ନେଇ ମୋଦୀ କହିଛନ୍ତି, ଅନାସ୍ଥା ପ୍ରସ୍ତାବ ଉପରେ ଏମିତି ଏକଜୁଟ୍ ହେଲେ ଯେ, ନିଜର ପରମ ଦୁର୍ନୀତି ବନ୍ଧୁଙ୍କ ସର୍ତ୍ତ ମାନିବାକୁ ବାଧ୍ୟ ହେଲ। ଅନାସ୍ଥା ପ୍ରସ୍ତାବ ଉପରେ ଆପଣ କଣ ଆଲୋଚନା କଲେ ଯେ, ଆପଣଙ୍କ ମୁଖିଆ ବି ଦୁଃଖି। ଏମିତି ଅବସ୍ଥା ହେଉଛି ଆପଣଙ୍କର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.