ସାଲେପୁର: ବିଶ୍ୱ ବିଜୟୀ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ସାଲେପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଅଖଣ୍ଡ ଭାରତ ଯୁବମଞ୍ଚ ପକ୍ଷରୁ ଯୁବ ଦିବସ ପାଳିତ ହୋଇଯାଇଛି । ଚୌଦ୍ୱାର ସ୍ଥିତ ମୁଣ୍ଡ ମାଳରେ ଝୋଟେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମରେନ୍ଦ୍ର ନାଥ ଦାସଙ୍କ ସଭାପତିତ୍ୱରେ ସଙ୍ଗଠନର ସଭାପତି ଡକ୍ଟର କୁନ୍ମୟ ରଞ୍ଜନ ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ବିଶ୍ୱ ଦରବାରରେ ଭାରତ ମାତାକୁ ସ୍ୱତନ୍ତ୍ର ସ୍ଥାନ ଦେବାରେ ବିବେକାନନ୍ଦଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଡକ୍ଟର ଶତପଥୀ ପ୍ରକାଶ କରିଥିଲେ । ଏହା ସହ ଛାତ୍ରଛାତ୍ରୀଙ୍କୁ ବିବେକାନନ୍ଦଙ୍କ ପଦାଙ୍କ ଅନୁସରଣ କରିବାକୁ ଆହ୍ୱାନ କରିଥିଲେ । ମୁଖ୍ୟ ଅତିଥିଭାବେ ଅବକାରୀ ନିରୀକ୍ଷକ କାଳନ୍ଦୀ ଚରଣ ବେହେରା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ସଙ୍ଗଠନର ସମ୍ପାଦକ ଶିକ୍ଷକ ରାଧାକାନ୍ତ କାଣ୍ଡି ମଞ୍ଚ ପରିଚାଳନା କରିଥିଲେ ।
ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ନେହା ସ୍ମିତା ମଲ୍ଲିକ, ସୁମିତ୍ରା ଚୁଲ୍ଲି, ପ୍ରଣତିପାତ୍ର, ସୁମତିମୁର୍ମୁ, ମୀନତି ମିଶ୍ର ଆଦି ଯୋଗ ଦେଇଥିଲେ । ବିଜୟଲକ୍ଷ୍ମୀ ବେହେରା, ସାଗରିକା ପ୍ରଧାନ, ବିଜୟ କୁମାର ବେହେରା, ସରୋଜ କୁମାର ବେହେରା, ଦେବେନ୍ଦ୍ର ସାହୁ, ଉପ-ସଭାପତି ସୁଜାତା ଶତପଥୀ, ରୁଦ୍ର ପ୍ରସାଦ ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନାକରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ କୁଇଜ୍ ପ୍ରତିଯୋଗିତା ହୋଇଥିଲା । ସଠିକ୍ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସଭାଶେଷରେ ସଙ୍ଗଠନର କାର୍ଯ୍ୟାଳୟ ପ୍ରମୁଖ ଚନ୍ଦନ କୁମାର ବେହେରା ଧନ୍ୟବାଦ ଦେଇଥିଲେ ।