ନୂଆଦିଲ୍ଲୀ: ୨୦୪୭ ସୁଦ୍ଧା ଗଠନ ହେବାକୁ ଥିବା ବିକଶିତ ଭାରତରେ ମହିଳାଙ୍କ ଯୋଗଦାନ ୭୦ ପ୍ରତିଶତ ହେବ। ଅର୍ଥାତ୍ ବିକଶିତ ଭାରତର ଶ୍ରମ ବଳରେ ଦେଶରେ ୭୦ ପ୍ରତିଶତ ମହିଳା ଯୋଗ ଦେବେ। ଶ୍ରମ ବଳରେ ମହିଳାଙ୍କୁ ସାମିଲ କରିବା ଯୋଜନାରେ କେନ୍ଦ୍ର ସରକାର କାମ କରିବେ ବୋଲି କେନ୍ଦ୍ର ଶ୍ରମ ସଚିବ ସୁମିତା ଦେୱରା କହିଛନ୍ତି। ବୁଧବାର ମହିଳା ଉଦ୍ୟୋଗୀଙ୍କ ପାଇଁ ପରାମର୍ଶ ଦେଇ ସେ ଶ୍ରୀମତୀ ଦେୱରା ଏପରି କହିଛନ୍ତି।
ଭାରତୀୟ ଶିଳ୍ପ ମହାସଂଘର ଏକ ବୈଠକରେ ‘ସେବା କ୍ଷେତ୍ରରେ ମହିଳା’ ଉପରେ ନିଜ ମତ ରଖୁଥିବା ବେଳେ ଶ୍ରୀମତୀ ଦେୱାରା କହିଛନ୍ତି ଯେ ଭାରତରେ ଏଭଳି କିଛି ଦିଗ ରହିଛି ଯେଉଁଠି ମହିଳାମାନଙ୍କର ଯୋଗଦାନର ପ୍ରଚୁର ସମ୍ଭାବନା ରହିଛି। ତେବେ ଜାତୀୟ ଶିକ୍ଷା ନୀତି ଅନୁସାରେ ମହିଳାମାନଙ୍କର ଶିକ୍ଷାଗତ ଯୋଗ୍ୟତା ବଢ଼ାଇବାର ଆବଶ୍ୟକତା ରହିଛି ଓ ପୁଞ୍ଜିଗତ ସହାୟତା ବି ଜରୁରି ବୋଲି ସେ ପରାମର୍ଶ ଦେଇଛନ୍ତି।
ଚାକିରି କ୍ଷେତ୍ରରେ ମହିଳାମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ବିଷୟରେ ସେ କହିଛନ୍ତି ଯେ ଏ କ୍ଷେତ୍ରରେ କିଛି ପକ୍ଷପାତିତା ଥାଇପାରେ ଯାହା ସେମାନଙ୍କୁ କର୍ମକ୍ଷେତ୍ରରେ ପ୍ରବେଶ କରିବାକୁ ବାଧା ଦେଉଛି। ଯେପରିକି ଦରମାରେ ପାର୍ଥକ୍ୟ, ନେତୃତ୍ୱ ଭୂମିକା, ଚାକିରି ସୁରକ୍ଷା ଚିନ୍ତା ଏବଂ ଘରୋଇ ଏବଂ ବୃତ୍ତିଗତ ଦାୟିତ୍ୱକୁ ସନ୍ତୁଳିତ କରିବା ଭଳି ସମସ୍ୟାରେ ରହିଥାଇ ପାରେ ବୋଲି ସେ କହିଥିଲେ।
ପଢନ୍ତୁ- ଭାରତରେ ବଢ଼ୁଛି ଧନୀଙ୍କ ସଂଖ୍ୟା: ବିଶ୍ୱରେ ଚତୁର୍ଥ ସ୍ଥାନରେ ଇଣ୍ଡିଆ, ନମ୍ବର ୱାନ୍ରେ ଆମେରିକା
ତଥ୍ୟ ଅନୁସାରେ ଦେଶରେ ପ୍ରାୟ ୪୫ ପ୍ରତିଶତ ମହିଳା ଶିଶୁ ଯତ୍ନ ଏବଂ ଘରୋଇ ଦାୟିତ୍ୱ ପାଇଁ ଶ୍ରମବଳରେ ସାମିଲ୍ ହୋଇ ପାରନ୍ତି ନାହିଁ ବୋଲି କହିଛନ୍ତି। ତେବେ ଗତ ୬ ବର୍ଷ ମଧ୍ୟରେ ଆର୍ଥିକ କାର୍ଯ୍ୟକଳାପରେ ମହିଳାମାନଙ୍କର ଯୋଗଦାନ ବୃଦ୍ଧି ଘଟିଛି ବୋଲି କେନ୍ଦ୍ର ଶ୍ରମ ସଚିବ ସୁମିତା ଦେୱରା କହିଛନ୍ତି। ଦରମାରେ ପାର୍ଥକ୍ୟ ଥିବା ସତ୍ତ୍ୱେ ବି ଶିକ୍ଷିତ ମହିଳାଙ୍କ କର୍ମକ୍ଷେତ୍ରରେ ଯୋଗଦାନ ଓ ରୋଜଗାର ସଂଖ୍ୟା ବଢ଼ୁଛି ବୋଲି ସେ କହିଛନ୍ତି।
ବୁଧବାର ବୈଠକରେ ଯୋଗ ଦେଇ ସେ କହିଛନ୍ତି, "ଆମେ ସେବା କ୍ଷେତ୍ର, ପ୍ରଯୁକ୍ତିବିଦ୍ୟା, ଆର୍ଥିକ ଏବଂ ଉତ୍ପାଦନ କ୍ଷେତ୍ରରେ ମହିଳାମାନଙ୍କୁ ଉତ୍କର୍ଷ ହାସଲ କରୁଥିବା ଦେଖୁଛୁ। ତଥ୍ୟ କହୁଛି ଯେ ଗତ ୬ ବର୍ଷ ମଧ୍ୟରେ ମହିଳା ଶ୍ରମିକ ଜନସଂଖ୍ୟା ଅନୁପାତ (WPR) ଦ୍ୱିଗୁଣିତ ହୋଇଛି।" ୧୫ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ମହିଳାମାନଙ୍କ ପାଇଁ WPR ୨୦୧୭-୧୮ରେ ୨୨ ପ୍ରତିଶତରୁ ବୃଦ୍ଧି ପାଇ ୨୦୨୩-୨୪ରେ ୪୦.୩ ପ୍ରତିଶତରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ ମହିଳାମାନଙ୍କ ପାଇଁ ଶ୍ରମ ଶକ୍ତି ଅଂଶଗ୍ରହଣ ହାର (LFPR) ବୃଦ୍ଧି ପାଇଛି। ମହିଳାମାନଙ୍କ ପାଇଁ ଏଲଏଫ୍ପିଆର୍ ୨୩ ପ୍ରତିଶତରୁ ପ୍ରାୟ ୪୨ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ଅର୍ଥନୈତିକ ଦୃଶ୍ୟପଟରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ। ଏଥିସହିତ ଅଧିକ ସଂଖ୍ୟକ ସ୍ୱନିଯୁକ୍ତ ମହିଳା କର୍ମକ୍ଷେତ୍ରରେ ଯୋଗ ଦେଉଛନ୍ତି ବୋଲି କେନ୍ଦ୍ର ଶ୍ରମ ସଚିବ ସୁମିତା ଦେୱରା କହିଛନ୍ତି।
ପଢନ୍ତୁ- ବଢ଼ୁନି ଦରମା, ବେତନକୁ ନେଇ ହତାଶ ୪୭ ପ୍ରତିଶତ କର୍ମଚାରୀ: ରିପୋର୍ଟରୁ ଖୁଲାସା
ତଥ୍ୟ ଦର୍ଶାଉଛି ଯେ ୨୦୨୩-୨୪ ମସିହାରେ ସ୍ନାତକୋତ୍ତର ସ୍ତର ଏବଂ ତଦୁର୍ଦ୍ଧ୍ୱ ଶିକ୍ଷାପ୍ରାପ୍ତ ମୋଟ ମହିଳାଙ୍କ ମଧ୍ୟରୁ ୪୦ ପ୍ରତିଶତ କାମ କରୁଥିଲେ, ଯାହା ୬ ବର୍ଷ ପୂର୍ବେ ପ୍ରାୟ ୩୫ ପ୍ରତିଶତ ଥିଲା। ସେହିପରି କାମ କରୁଥିବା ଅଧିକ ମହିଳା ଉଚ୍ଚ ମାଧ୍ୟମିକ, ପ୍ରାଥମିକ ସ୍ତରର ଶିକ୍ଷା ସମାପ୍ତ କରିଛନ୍ତି ବୋଲି ତଥ୍ୟ କହୁଛି।