ନୂଆଦିଲ୍ଲୀ:ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ଆମେରିକାର ରାଷ୍ଟ୍ରପତି ହେବା ପରଠୁ ବିଶ୍ୱ ବଜାରରେ ଏକ ପ୍ରକାର ଅନିଶ୍ଚିତତା ଦେଖିବାକୁ ମିଳିଛି। ଆମେରିକାକୁ ଆମଦାନୀ ହେଉଥିବା ବିଭିନ୍ନ ସାମଗ୍ରୀ ଉପରେ ଟ୍ରମ୍ପ ପ୍ରଶାସନର ଟାରିଫ୍ ବୃଦ୍ଧି, ଅନେକ ଦେଶଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ ଭାରତ ଏପର୍ଯ୍ୟନ୍ତ ଏସବୁରୁ ବର୍ତ୍ତିଆସୁଥିଲେ ବି, ଆମେରିକାର ବାଣିଜ୍ୟ ନୀତି କାରଣରୁ ଚାପ ବଢ଼ିବାରେ ଲାଗିଛି। ଖାଲି ଆମେରିକା ନୁହେଁ ୟୁରୋପୀୟ ୟୁନିୟନର ବାଣିଜ୍ୟ ନୀତି ମଧ୍ୟ ଭାରତକୁ ପ୍ରଭାବିତ କରୁଛି। ତେଣୁ ଭାରତ ଏବେ ନିଜର ବାଣିଜ୍ୟିକ ନୀତି ଆଣି ଏସବୁ ମୁକାବିଲା କରୁ ବୋଲି DGFT ମୁଖ୍ୟ ସନ୍ତୋଷ ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି।
ଭାରତ ଉପରେ ଚାପ ପକାଉଛି ଆମେରିକା ଓ ୟୁରୋପୀୟ ୟୁନିୟନର ବାଣିଜ୍ୟ ନୀତି । ଆମଦାନୀ ଶୁଳ୍କ ବଢ଼ାଇବାକୁ ଆମେରିକାର ନିଷ୍ପତ୍ତି ଏବଂ ଚିପ୍ସ ଅଧିନିୟମ ଭଳି ପଦକ୍ଷେପକୁ ନେଇ ଚିନ୍ତାରେ ଭାରତ। ତେଣୁ ଏବେ ସମୟ ଆସିଛି ଭାରତକୁ ବି ନିଜର ବାଣିଜ୍ୟ ଏବଂ ଔଦ୍ୟୋଗିକ ନୀତି ଉପରେ ବ୍ୟାପକ ବିଚାର କରିବା ଦରକାର। ମଙ୍ଗଳବାର, ଏକ ଭର୍ଚୁଆଲ ସମ୍ବୋଧନରେ ଏଭଳି କହିଛନ୍ତି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (DGFT) ମୁଖ୍ୟ ସନ୍ତୋଷ ଷଡ଼ଙ୍ଗୀ।
ପ୍ରକୃତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ମାସରୁ ଭାରତ ଉପରେ ରେସିପ୍ରୋକାଲ ଟ୍ୟାକ୍ସ ବା ଯେସାକୁ ତେସା ନୀତିରେ ଟ୍ୟାକ୍ସ ଲଗାଇପାରନ୍ତି। ଫଳରେ ଏଥିରେ ଭାରତୀୟ ଔଷଧ ଠାରୁ ଆରମ୍ଭ କରି ଅଟୋମୋବାଇଲ୍ ଓ କୃଷି କ୍ଷେତ୍ର ସବୁ ପ୍ରଭାବିତ ହେବ। ଏହି ଟାରିଫ୍ କାରଣରୁ ଭାରତ ପ୍ରତି ବର୍ଷ ପ୍ରାୟ ୭ ବିଲିୟନ ଡଲାର କ୍ଷତି ସହିବ ବୋଲି ସିଟି ରିସର୍ଚ୍ଚ ରିପୋର୍ଟ କହିଛି। ତେଣୁ ଏହାର ଯଥାଶୀଘ୍ର ସାମାଧାନ କରିବାକୁ କେନ୍ଦ୍ରୀୟ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ମଧ୍ୟ ଆମେରିକା ଗସ୍ତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଟାରିଫ୍ ବିବାଦକୁ ସାମଧାନ କରିବା ଏବଂ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ନୂଆ ଉଚ୍ଚତାରେ ପହଞ୍ଚାଇବା ଗସ୍ତର ଲକ୍ଷ୍ୟ ରହିଛି।
ପଢନ୍ତୁ- ଭାରତରେ ବଢ଼ୁଛି ଧନୀଙ୍କ ସଂଖ୍ୟା: ବିଶ୍ୱରେ ଚତୁର୍ଥ ସ୍ଥାନରେ ଇଣ୍ଡିଆ, ନମ୍ବର ୱାନ୍ରେ ଆମେରିକା
ସନ୍ତୋଷ ଷଡ଼ଙ୍ଗୀ ଆହୁରି କହିଛନ୍ତି ବିଶ୍ୱ ଗ୍ଲୋବାଲ ଭାଲ୍ୟୁ ଚେନର ସୀମିତ ସମନ୍ୱୟ, କଞ୍ଚାମାଲ ଉପରେ ଉଚ୍ଚ ଆମଦାନୀ ଶୁଳ୍କ ଏବଂ କିଛି ଇନଫ୍ରାଷ୍ଟ୍ରକଚର କ୍ଷେତ୍ରରେ ଟେକ୍ନୋଲୋଜୀର ଅଭାବ ଭାରତର ରପ୍ତାନୀରେ ବାଧା ସୃଷ୍ଟି କରୁଛି। ୨୦୩୦/୩୧ ସୁଦ୍ଧା ମୋଟ ୨ ଟ୍ରିଲିୟନ ଡଲାରର ରପ୍ତାନୀର ଲକ୍ଷ୍ୟ ହାସଲ କରିବା ପାଇଁ ଭାରତକୁ ପ୍ରତି ବର୍ଷ ହାରାହାରି ୧୪.୪%ର ବୃଦ୍ଧି ଆବଶ୍ୟକତା ରହିଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ଯଦି ଏଭଳି ଟାରିଫ ବିବାଦ ଲାଗି ରହିଲା ତେବେ, ଭାରତ ଲକ୍ଷ୍ୟ ହାସଲ କରିପାରିବ ନାହିଁ ବୋଲି ସେ କହିଛନ୍ତି।
ସେହିପରି ୟୁରୋପୀୟ ସଂଘର କାର୍ବନ ଟ୍ୟାକ୍ସ ଏବଂ ଅନ୍ତର୍ଜାତୀୟ ବ୍ୟାପାରରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ପ୍ରୋଟେକ୍ଟିଭ୍ ନନ୍ ଟାରିଫ ମେଜର ପାଇଁ ଭାରତୀୟ ରପ୍ତାନୀ କ୍ଷେତ୍ର କ୍ଷତିଗ୍ରସ୍ତ ହେଉଛି। ରପ୍ତାନୀ ବଢ଼ୁଥିଲେବି ଭାରତରେ ବାଣିଜ୍ୟିକ କ୍ଷତି ଜାରି ରହିଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ତେଣୁ ଏସବୁକୁ ପ୍ରତିହତ କରିବା ପାଇଁ ରପ୍ତାନୀରେ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦେବା ଏବଂ ରପ୍ତାନୀ ବଜାରରେ ବିବିଧତା ଆଣିବାର ଆବଶ୍ୟକତା ରହିଛି ବୋଲି ଡିଜିଏଫ୍ଟି ମୁଖ୍ୟ କହିଛନ୍ତି।
ପଢନ୍ତୁ- ଆଇଆଇଏମ୍ ଲକ୍ଷ୍ନୌ ଛାତ୍ରଛାତ୍ରୀଙ୍କ କମାଲ: ଦରମା ୭୫ ଲକ୍ଷ, ମିଳିଲା ୬୦୦ରୁ ବି ଅଧିକ ଚାକିରି