ହାଇକୋର୍ଟରୁ ନିରାଶ ହେଲେ ହଂସିକା, ଖାରଜ ହୋଇଗଲା ଅନ୍ତରୀଣ ଜାମିନ ଆବେଦନ

Published By : Prameya-News7 Bureau | February 25, 2025 IST

କଟକ: ହାଇପ୍ରୋଫାଇଲ ଠକ ଦମ୍ପତ୍ତି ହଂସିକା- ଅନିଲ ଗିରଫ ମାମଲା। ହାଇକୋର୍ଟରୁ ନିରାଶ ହେଲେ ହଂସିକା। ସ୍ୱାମୀଙ୍କ ଅସୁସ୍ଥତା ଦର୍ଶାଇ ହଂସିକା, ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିବାବେଳେ ହାଇକୋର୍ଟ ଏହାକୁ ଖାରଜ କରିଛନ୍ତି। ଆଉ ଜାମିନ୍‌ ଖାରଜ ପରେ ଏବେ ହଂସିକାକୁ ନିରାଶ ହେବାକୁ ପଡ଼ିଛି । ଅର୍ଥାତ ଏବେ ହଂସିକାଙ୍କୁ ଜେଲରେ ହିଁ ରହିବାକୁ ପଡ଼ିବ। ବର୍ତ୍ତମାନ ହଂସିକା ଝାରପଡ଼ା ଜେଲରେ ଅଛନ୍ତି।

ସୂଚନାଥାଉକି, ରାଜଧାନୀରୁ ହାଇପ୍ରୋଫାଇଲ ଦଂପତ୍ତି ଅନୀଲ ଓ ହଂସିକାଙ୍କୁ ଗତ ମାସରେ ଗିରଫ କରିଥିଲା ପୋଲିସ। ଗିରଫ ପରେ ତଦନ୍ତରୁ ସେମାନଙ୍କର କଳା ସାମ୍ରାଜ୍ୟ ବିଷୟରେ ଜଣାପଡ଼ିଥିଲା। ଆଉ ସାମ୍‌ନାକୁ ଆସିଥିଲା କିଭଳି ଏମାନେ ବଡ଼ ବଡ଼ିଆଙ୍କୁ ଟାର୍ଗେଟ କରୁଥିଲେ। ଆଉ ଡିଲ୍ କରାଇଦେବାକୁ କହି କୋଟି କୋଟି ଟଙ୍କା ଠକୁଥିଲେ ଏବଂ ସେହି ଟଙ୍କାରେ ତିଆରି କରିଥିଲେ କୋଟି କୋଟି ଟଙ୍କାର ବେନାମୀ ସାମ୍ରାଜ୍ୟ । ଏମିତିକି ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଖ୍ୟ ପରାମର୍ଶଦାତା ପି.କେ ମିଶ୍ରଙ୍କ ଝିଅ ଓ ଜ୍ବାଇଁ ବୋଲି ପରିଚୟ ଦେଉଥିଲେ । ଏଭଳି ଏକାଧିକ ଅଭିଯୋଗ ଆସିବା ପରେ ବିଷ୍ଣୁପ୍ରିୟା ଚାନ୍ଦ  ଓରଫ ହଂସିକା ଓ ତାଙ୍କ ସହଯୋଗୀ ଅନିଲ୍‌ ମହାନ୍ତିଙ୍କୁ ଗିରଫ କରିଥିଲା ପୋଲିସ। 

ଖାଲି ରାଜ୍ୟ ହିଁ ନୁହେଁ ଏମାନେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଏବଂ ଝାଡ଼ଖଣ୍ଡରେ ମଧ୍ୟ ସେମାନଙ୍କର ଠକ ସାମ୍ରାଜ୍ୟ ବିସ୍ତାର କରିଥିଲେ। ଆଉ ଠୁଳ କରିଥିଲେ ଗାଡ଼ିଘୋଡ଼ା ସହ କୋଠାବାଡ଼ି। ଯାହାକୁ କମିସନରେଟ୍‌ ପୋଲିସ ତଦନ୍ତ ବେଳେ ଜବତ କରିଛି। 

ସେପଟେ ଘଟଣାରେ ଆର୍ଥିକ ଦିଗକୁ ଧରି ଆୟକର ବିଭାଗ ମଧ୍ୟ ଖୋଳତାଡ଼ କରିବା ସହ କିଛି ରାଜନେତା ଏବଂ ବିଲଡରଙ୍କୁ ନୋଟିସ ପଠାଇଛି। କାରଣ ଆୟକର ବିଭାଗ ଚଢ଼ାଉ ସମୟରେ ୫୮ କୋଟି ଟଙ୍କାର ବେନାମୀ ସମ୍ପତ୍ତି, ଯେଉଁଥିରେ ୧୭ କୋଟି ଟଙ୍କାର ବେନାମୀ ସମ୍ପତ୍ତି ବିଲଡରଙ୍କ ପାଖରେ ରହିଥିବା ଜଣାପଡ଼ିଥିଲା। ମାମଲାରେ ପିଏମ୍ଏଲ୍‌ଏ ଆକ୍ଟ ଜରିଆରେ କଳାଧନର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ତଦନ୍ତ କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.