ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠରେ ଥିବା ଗଛଗୁଡ଼ିକର ପ୍ରତି ତିନି ପ୍ରଜାତି ମଧ୍ୟରୁ ଗୋଟିଏ ବିଲୁପ୍ତ ହେବା ସ୍ଥିତିରେ ପହଞ୍ଚିଛି । ଯେଉଁଥି ପାଇଁ ପୃଥିବୀରେ ଜୀବ ସତ୍ତା ସଂକଟରେ ପଡ଼ିପାରେ । ଗ୍ଲୋବାଲ୍ ଟ୍ରି ଆସେସ୍ମେଣ୍ଟ ନିଜର ଏକ ସଦ୍ୟ ରିପୋର୍ଟରେ ଏହି ଚେତାବନୀ ଦେଇଛି । ଇଣ୍ଟରନ୍ୟାସନାଲ୍ ୟୁନିୟନ୍ ଫର୍ କଞ୍ଜରଭେସନ୍ ଅଫ୍ ନେଚର (ଆଇୟୁସିଏନ)ର ରେଡ୍ ଲିଷ୍ଟ୍ ଅଫ୍ ଥ୍ରୀଟେଣ୍ଟ ସ୍ପିସିସ୍ ଅଧିନରେ ଜୈବ ବିବଧତା ଉପରେ ଜାତିସଂଘର କପ୍-୧୬ ଶିଖର ସମ୍ମିଳନୀ (କୋଲମ୍ୱିଆର କାଲି ସହର)ରେ ଜାରି ରିପୋର୍ଟରେ ଏହା କୁହାଯାଇଛି ।
ରିପୋର୍ଟ ଅନୁସାରେ ଗଛର ୧୬୦୦୦ରୁ ପ୍ରଜାତି ବିଲୁପ୍ତ ହେବାର ବିପଦ ରହିଛି । ଅଧ୍ୟୟନ ପାଇଁ ୪୭୦୦୦ରୁ ଅଧିକ ପ୍ରଜାତିର ଆକଳନ କରାଯାଇଛି । ଏହି ଅଧ୍ୟୟନ ପାଇଁ ୧ ହଜାରରୁ ଅଧିକ ବିଶେଷଜ୍ଞ ସାମିଲ ଥିଲେ । ଅନୁମାନ କରାଯାଉଛି ଯେ ସାରା ଦୁନିଆରେ ଗଛର ୫୮୦୦୦ ପ୍ରଜାତି ଅଛନ୍ତି । ରିପୋର୍ଟରେ ଗଛ ଲଗାଇବା ମାଧ୍ୟମରେ ଜଙ୍ଗଲ ସଂରକ୍ଷଣ ଏବଂ ବନୀକରଣ ପାଇଁ ଆହ୍ୱାନ ଦିଆଯାଇଛି । ଏହାସହ ବିଲୁପ୍ତ ହେବାକୁ ଥିବା ପ୍ରଜାତିର ଗଛକୁ ବଞ୍ଚାଇବା ପାଇଁ ମଞ୍ଜି ବ୍ୟାଙ୍କ ପାଇଁ ଜୋର ଦିଆଯାଇଛି ।
ରିପୋର୍ଟରେ କୁହାଯାଇଛି ଯେ ଜଙ୍ଗଲ ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି । କାଠ ପାଇଁ ଗଛ କଟାଯାଉଛି । ସେହିପରି ଚାଷ ଏବଂ ମାନବ ବିସ୍ତାର ପାଇଁ ଭୂମି ଖାଲି କରାଯାଉଛି । ଅନ୍ୟପଟେ ଜଳବାୟୁ ପରିବର୍ତ୍ତନ, ମରୁଡ଼ି ଏବଂ ବନାଗ୍ନି ପରି ସମସ୍ୟା ଅଧିକ ବିପଦ ବଢାଉଛି । ଆଇୟୁସିଏନ୍ ମହାନିର୍ଦ୍ଦେଶକ ଗ୍ରେଥଲ ଏଗୁଇଲର୍ କହିଛନ୍ତି, 'ପୃଥିବୀରେ ଜୀବନ ପାଇଁ ଗଛ ଜରୁରୀ ଏବଂ ଲକ୍ଷ ଲକ୍ଷ ଲୋକ ନିଜ ଜୀବନ ଏବଂ ଆଜୀବିକା ପାଇଁ ଏହା ଉପରେ ନିର୍ଭର ।'
୨୦୧୫ରେ ପ୍ରକାଶିତ ଏକ ଅଧ୍ୟୟନରେ ଦାବି କରାଯାଇଥିଲା ଯେ ଦୁନିଆରେ ପ୍ରାୟ ୩୦୦ ଅରବ ଗଛ ଅଛି । ବିଜ୍ଞାନ ପତ୍ରିକା ନେଚରରେ ପ୍ରକାଶିତ ଅଧ୍ୟୟନ ଅନୁମାନ କରିଥିଲା ଯେ ପ୍ରତିବର୍ଷ ୧୫ ଅରବରୁ ଅଧିକ ଗଛ କଟାଯାଉଛି ଏବଂ ମାନବ ସଭ୍ୟତା ଆରମ୍ଭ ପରଠୁ ଗଛଗୁଡ଼ିକର ବୈଶ୍ୱିକ ସଂଖ୍ୟା ପ୍ରାୟ ଅଧା ହୋଇଛି ।