କେମିତି ହୁଅନ୍ତି ନାଗା ସାଧୁ, କୁମ୍ଭ ପରେ କୁଆଡେ ଚାଲିଯାଆନ୍ତି ? ରହସ୍ୟମୟୀ ଅଟେ ଏମାନଙ୍କ ଦୁନିଆ...

Published By : Prameya-News7 Bureau | January 17, 2025 IST

ନୂଆଦିଲ୍ଲୀ ୧୭।୦୧: ପ୍ରୟାଗରାଜରେ ଚାଲିଛି କୁମ୍ଭମେଳା । ୧୧୪ ବର୍ଷ ପରେ ପ୍ରୟାଗରାଜରେ ପଡିଛି ଏହି ଦୁର୍ଲଭ । କୁମ୍ଭମେଳା ୧୨ ବର୍ଷରେ ଥରେ ୪ଟି ପବିତ୍ରସ୍ଥଳ ପ୍ରୟାଗରାଜ, ହରିଦ୍ବାର, ଉଜ୍ଜୈନ ଏବଂ ନାସିକ୍‌ରେ ଆୟୋଜନ ହୋଇଥାଏ । ଏହାର ଆୟୋଜନ ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ଅନୁଯାୟୀ ହୋଇଥାଏ । କୁମ୍ଭମେଳାରେ ସାମିଲ ହୋଇଛନ୍ତି ହଜାର ହଜାର ନାଗା ସାଧୁ । ଏଥିରେ ୧୩ ଅଖାଡାର ସାଧୁସନ୍ଥ ହୋଇଥାନ୍ତି ସାମିଲ । 

ଏବେ ପ୍ରଶ୍ନ ଆସୁଛି କେମିତି ହୋଇଥାନ୍ତି ନାଗାସାଧୁ । ଏମାନେ କୁମ୍ଭମେଳା ପରେ କେଉଁଆଡେ ଚାଲିଯାଆନ୍ତି... ନାଗା ଶବ୍ଦ ସଂସ୍କୃତର ‘ନଗ’ରୁ ସୃଷ୍ଟି ହୋଇଛି । ନଗର ଅର୍ଥ ପାହାଡ଼ । ଅର୍ଥାତ୍‌ ପାହାଡ଼ ଓ ଗୁମ୍ପାମାନଙ୍କରେ ରହୁଥିବା ଲୋକଙ୍କୁ ନାଗା ବୋଲି କୁହାଯାଏ । ନାଗା ସନ୍ନ୍ୟାସୀ ହେବାଲାଗି ସେମାନଙ୍କୁ ଅତି କଠିନ ସାଧନା କରିବାକୁ ହୋଇଥାଏ । ନାଗା ସନ୍ନ୍ୟାସୀ ହେବାକୁ ଇଚ୍ଛୁକ ବ୍ୟକ୍ତିଙ୍କୁ ୩ଟି ପର୍ଯ୍ୟାୟ ଦେଇ ଯିବାକୁ ହୁଏ । ମହାପୁରୁଷ, ଅବଧୂତ ଓ ଦିଗମ୍ବର । କିନ୍ତୁ ତା’ପୂର୍ବରୁ ଏକ ପରଖ ଅବଧି ରହିଥାଏ । 

ନାଗା ସାଧୁ ହେବାଲାଗି ଜଣେ ଆଖଡ଼ାରେ ଆବେଦନ କରିବା ପରେ ତାଙ୍କୁ ପ୍ରଥମେ ଫେରାଇ ଦିଆଯାଏ । ତଥାପି ସେ ନ ମାନିଲେ ଆଖଡ଼ା ପକ୍ଷରୁ ତାଙ୍କର ଅପରାଧିକ ରେକର୍ଡ ଯାଞ୍ଚ ହୁଏ । ପରେ ନାଗା ବନିବାକୁ ଇଚ୍ଛୁକ ବ୍ୟକ୍ତି ଜଣକୁ ଗୁରୁ କରନ୍ତି । କୌଣସି ଆଖଡ଼ାରେ ରହି କିଛି ବର୍ଷ ସେବା କରନ୍ତି । ସେ ଦିନରେ ଥରେ ଖାଆନ୍ତି । କାମ ବାସନା, ନିଦ ଓ ଭୋକ ଉପରେ ନିୟନ୍ତ୍ରଣ ଶିଖିଥାନ୍ତି । 

ଯଦି ସେ ସାଂସାରିକ ବନ୍ଧନରୁ ମୁକ୍ତ ହୋଇଥିବା ଦେଖାଯାଏ ତେବେ ‘ମହାପୁରୁଷ’ ଘୋଷିତ କରି ପଞ୍ଚ ସଂସ୍କାର କରାଯାଏ । ଦ୍ୱିତୀୟ ପର୍ଯ୍ୟାୟ ହେଉଛି ଅବଧୂତ । ‘ମହାପୁରୁଷ’ଙ୍କୁ ଅବଧୂତ ହେବାଲାଗି ଭୋର୍‌ରୁ ଉଠିବାକୁ ପଡ଼େ । ଗୁରୁ ତାଙ୍କୁ ନେଇ ନଦୀ କୂଳକୁ ଯାଇଥାନ୍ତି । ନଦୀରେ ସ୍ନାନ କରିବା ପରେ ନୂଆ ଲେଙ୍ଗୁଟି ପରିଧାନ କରନ୍ତି ସେ । 

‘ମହାପୁରୁଷ’ ନାଗାଙ୍କୁ ୩ ଦିନ ଧରି ଉପବାସ ରହିବାକୁ ପଡ଼େ । ପରେ ସେ ନିଜର ଶ୍ରାଦ୍ଧ ପକାନ୍ତି । ୧୬ଟି ପିଣ୍ଡ ପୂର୍ବଜଙ୍କୁ ସମର୍ପଣ କରିବା ପରେ ୧୭ତମ ପିଣ୍ଡଦାନ ନିଜ ପାଇଁ କରିଥାନ୍ତି । ଏହାପରେ ନିଶାର୍ଦ୍ଧରେ ବିଜୟା ଯଜ୍ଞ ପରେ ଆଖଡ଼ାର ମହାମଣ୍ଡଳେଶ୍ୱର ‘ମହାପୁରୁଷ’ଙ୍କୁ ଗୁରୁମନ୍ତ୍ର ଦେଇଥାନ୍ତି । ପରଦିନ ଭୋର୍‌ରୁ ତାଙ୍କୁ ପୁଣି ନଦୀ କୂଳକୁ ନିଆଯାଏ । ସେଠାରେ ସେ ୧୦୮ ବୁଡ଼ ପକାନ୍ତି । ଏଥିସହିତ ଅବଧୂତ ସନ୍ନ୍ୟାସୀ ପାଲଟନ୍ତି । ତୃତୀୟ ପର୍ଯ୍ୟାୟ ହେଉଛି ଦିଗମ୍ବର । ଏହି ଦୀକ୍ଷା ଶାହୀ ସ୍ନାନର ଦିନକ ପୂର୍ବରୁ ହୋଇଥାଏ । 

ଅବଧୂତ ସନ୍ନ୍ୟାସୀଙ୍କୁ ଆଖଡ଼ାର ଧର୍ମ ଧ୍ୱଜା ତଳେ ୨୪ ଘଣ୍ଟା ବ୍ରତ କରିବାକୁ ହୋଇଥାଏ । ପରେ ଭୋର୍‌ରୁ ଆଖଡ଼ାର ବର୍ଚ୍ଛା ସାମ୍ନାରେ ନିଆଁ ଜଳାଇ ଅବଧୂତଙ୍କର ମୁଣ୍ଡରେ ପାଣି ସିଞ୍ଚନ କରାଯାଏ । ତାଙ୍କ ଜନନାଙ୍ଗର ଏକ ଶିରା ଟାଣି ଦିଆଯାଏ । ସାଧକ ହୋଇଯାନ୍ତି ନପୁଂସକ । ଏହାପରେ ଶାହୀ ସ୍ନାନରେ ବୁଡ଼ ପକାଇବା ପରେ ଅବଧୂତ ସନ୍ନ୍ୟାସୀ ନାଗା ସାଧୁ ହୋଇଥାନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.