ନୂଆଦିଲ୍ଲୀ: ଭାରତରେ ୨୦୨୫ରେ ଇଣ୍ଟରନେଟ୍ ୟୁଜର୍ସଙ୍କ ସଂଖ୍ୟା ୯୦ କୋଟି ପାର୍ ହୋଇପାରେ । ଆଇଏଏମ୍ଏଆଇ ଏବଂ କ୍ୟାଣ୍ଟାର ରିପୋର୍ଟ ଅନୁସାରେ ୨୦୨୪ରେ ଇଣ୍ଟରନେଟ୍ ୟୁଜର୍ସଙ୍କ ସଂଖ୍ୟା ୮୮.୬ କୋଟି ଯାଏ ପହଞ୍ଚିଛି । ଏଥିରେ ପ୍ରତିବର୍ଷ ୮ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି । ସବୁଠୁ ଅଧିକ ବୃଦ୍ଧି ଗ୍ରାମାଞ୍ଚଳରେ ହୋଇଛି ।
ଦେଶର ମୋଟ ଇଣ୍ଟରନେଟ୍ ୟୁଜର୍ସଙ୍କ ୫୫ ପ୍ରତିଶତ (୪୮.୮ କୋଟି) ଗ୍ରାମୀଣ ଭାରତରୁ ଆସନ୍ତି । ଗ୍ରାମାଞ୍ଚଳରେ ୟୁଜର୍ସଙ୍କ ଇଣ୍ଟରନେଟ୍ ବ୍ୟବହାର ଦୈନିକ ହାରାହାରି ୮୯ ମିନିଟ୍ ରହିଛି । ସେହିପରି ସହରାଞ୍ଚଳରେ ଏହି ସଂଖ୍ୟା ୯୪ ମିନିଟ୍ ରହିଛି ।
ରିପୋର୍ଟର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମନାକୁ ଆସିଛି । ଦେଶର ୯୮ ପ୍ରତିଶତ ୟୁଜର୍ସ ଭାରତୀୟ ଭାଷାରେ ଇଣ୍ଟରନେଣ୍ଟର ବ୍ୟବହାର କରୁଛନ୍ତି । ଏଥିରେ ୫୭ ପ୍ରତିଶତ ସହରୀ ଜନସଂଖ୍ୟା ରହିଛି । ସହରରେ ହିନ୍ଦୀ, ମରାଠି, ତାମିଲ, ଗୁଜରାଟୀ, ତେଲୁଗୁ ଏବଂ ବଙ୍ଗାଳି ଭାଷାର ସବୁଠୁ ଅଧିକ ବ୍ୟବହାର କରାଯାଉଛି । ରିପୋର୍ଟରେ ଭାରତୀୟ ଭାଷାଙ୍କ ପ୍ରୟୋଗ ଇଣ୍ଟରନେଟ୍ ବ୍ୟବହାର ପଛରେ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି କୁହାଯାଇଛି ।
ଅନ୍ଲାଇନ୍ ସଫିଂ ବେଳେ ୧୦.୫ କୋଟି ଲୋକ କେବଳ କ୍ୟାସ୍ ଅନ୍ ଡେଲିଭରି ବ୍ୟବହାର କରନ୍ତି । ଏଥିରେ ସବୁଠୁ ଅଧିକ ୫୨ ପ୍ରତିଶତ ମହିଳା ସାମିଲ ଅଛନ୍ତି । ପ୍ରତି ୫ ଜଣଙ୍କ ମଧ୍ୟରେ ଜଣେ ୟୁଜର ଇଣ୍ଟରନେଟ୍ ବ୍ୟବହାର ପାଇଁ ଭଏସ୍ ଆସିଷ୍ଟାଣ୍ଟକୁ ଉପଯୋଗ କରିଥାନ୍ତି । ଏଥିରୁ ୩୯ ପ୍ରତିଶତ ଲୋକ ୨୫ରୁ ୪୪ ବୟସ ମଧ୍ୟରେ ଅଛନ୍ତି । ୨୦୨୪ରେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ୟୁଜରଙ୍କ ମଧ୍ୟରେ ୫୩ ପ୍ରତିଶତ ପୁରୁଷ ଏବଂ ୪୭ ପ୍ରତିଶତ ମହିଳା ଥିଲେ ।
ଅନ୍ୟପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ୪୧ ପ୍ରତିଶତ ଭାରତୀୟ ଇଣ୍ଟରନେଟର ବ୍ୟବହାର କରୁନାହାନ୍ତି । ଏଥିରୁ ୫୧ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ରୁହନ୍ତି । ତେବେ ପ୍ରତିବର୍ଷ ଏହି କମ ହେବାରେ ଲାଗିଛି । ୨୦୨୧ରେ ଇଣ୍ଟରନେଟ୍ ବ୍ୟବହାର କରୁନଥିବା ଲୋକଙ୍କ ସଂଖ୍ୟା ୭୬ କୋଟି ଥିଲା । ୨୦୨୪ରେ ଏହା ହ୍ରାସ ପାଇ ୬୩ କୋଟି ହୋଇଛି ।