ନୂଆଦିଲ୍ଲୀ: ପଦ୍ମଶ୍ରୀରେ ସମ୍ମାନିତ ଯୋଗ ସାଧକ ସ୍ୱାମୀ ଶିବାନନ୍ଦ ବାବା ଗତ ୧୦୦ ବର୍ଷରେ ସମସ୍ତ କୁମ୍ଭ (ପ୍ରୟାଗରାଜ, ନାସିକ, ଉଜ୍ଜୈନ, ହରିଦ୍ୱାର)ରେ ସାମିଲ ହୋଇଛନ୍ତି । ତାଙ୍କ ଶିଷ୍ୟ ସଞ୍ଜୟ ସର୍ବଜାନା ଏହି ସୂଚନା ଦେଇଛନ୍ତି । ସେକ୍ଟର ୧୬ରେ ସଙ୍ଗମ ଲୋୟର ମାର୍ଗ ସ୍ଥିତ ବାବାଙ୍କ ଶିବିର ବାହାରେ ଲାଗିଥିବା ଲାଗିଥିବା ତାଙ୍କ ଆଧାର କାର୍ଡରେ ବାବାଙ୍କ ଜନ୍ମ ତାରିଖ ୧୮୯୬, ଅଗଷ୍ଟ ୮ ଲେଖାଯାଇଛି । ଏହି ହିସାବରେ ତାଙ୍କ ବୟସ ୧୨୮ ବର୍ଷ ।
ବାବା ଶିବାନନ୍ଦ ଯୁବ ପିଢିଙ୍କୁ ଦେଇଥିବା ନିଜ ବାର୍ତ୍ତାରେ କହିଛନ୍ତି ଯେ ସମସ୍ତେ ସକାଳେ ଶୀଘ୍ର ଉଠି ଅଧଘଣ୍ଟା ଯୋଗ କରିବା ଦରକାର । ସନ୍ତୁଳିତ ଜୀବନଶୈଳୀକୁ ଆପଣାଇବା ଦରକାର ଏବଂ ସୁସ୍ଥ ରହିବା ପାଇଁ ପ୍ରତିଦିନ ଚଲାବୁଲା କରିବା ଦରକାର ।
ବାବାଙ୍କ ପ୍ରାରମ୍ଭିକ ଜୀବନ ଉପରେ ପ୍ରଶ୍ନର ଜବାବରେ ତାଙ୍କ ଶିଷ୍ୟ ଫାଲୁଗନ୍ ଭଟ୍ଟାଚାର୍ଯ୍ୟ ଭାବୁକ ହୋଇପଡ଼ିଥିଲେ । ସେ କହିଛନ୍ତି ଯେ ବାବାଙ୍କ ଜନ୍ମ ଏକ ଭିକାରୀ ପରିବାରରେ ହୋଇଥିଲା । ଚାରି ବର୍ଷ ବୟସରେ ହିଁ ତାଙ୍କ ବାପା-ମାଆ ଗାଁକୁ ଆସିଥିବା ସନ୍ଥ ଓଁକାରାନନ୍ଦ ଗୋସ୍ୱାମୀଙ୍କୁ ହସ୍ତାନ୍ତର କରିଦେଇଥିଲେ । ଛଅ ବର୍ଷ ବୟସରେ ବାବାଙ୍କୁ ଘରକୁ ଯାଇ ମାଆ-ବାପାଙ୍କୁ ଦର୍ଶନ କରିବା ପାଇଁ ସନ୍ଥ କହିଥିଲେ । କିନ୍ତୁ ଘରେ ପହଞ୍ଚିବା ବେଳକୁ ଅନେକ ଅଘଟଣ ଘଟିଥିଲା । ଘର ପହଞ୍ଚିବା ପରେ ଭଉଣୀଙ୍କ ଦେହାନ୍ତ ହୋଇଥିଲା ଏବଂ ଗୋଟିଏ ସପ୍ତାହ ଭିତରେ ହିଁ ମାଆ-ବାପା ଉଭୟଙ୍କ ଦେହାନ୍ତ ହେଲା । ଏହାପରେ ସେହି ସନ୍ଥଙ୍କ ନିକଟରେ ହିଁ ବାବାଙ୍କ ଲାଳନ ପାଳନ ହେଲା ।
ଭଟ୍ଟାଚାର୍ଯ୍ୟ କହିଛନ୍ତି, 'ବାବା ଚାରି ବର୍ଷ ବୟସ ଯାଏ କ୍ଷୀର, ଫଳ, ରୁଟି ଦେଖି ନଥିଲେ । ଏହି କାରଣରୁ ତାଙ୍କ ଜୀବନଶୈଳୀ ଏପରି ହୋଇଗଲା । ସେ ଅଧା ପେଟ ହିଁ ଭୋଜନ କରନ୍ତି । ବାବା ରାତି ୯ଟା ସୁଦ୍ଧା ଶୋଇପଡ଼ନ୍ତି ଏବଂ ସକାଳ 3ଟାରେ ଉଠନ୍ତି । ନିତ୍ୟକର୍ମ କରିବା ପରେ ଯୋଗ କର୍ମ କରନ୍ତି । ଏବଂ ଦିନରେ ଆଦୌ ଶୁଅନ୍ତି ନାହିଁ ।'