ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩୦ ନକ୍ସଲ ନିହତ, AK-47 ଓ SLR ଜବତ

Published By : Prameya-News7 Bureau | October 04, 2024 IST

ମାଲକାନାଗିରି/ଦାନ୍ତେୱାଡ଼ା: ନକ୍ସଲ ବିରୋଧୀ ଅଭିଯାନ ବେଳେ ଛତିଶଗଡ଼ର ଅବୁଜମାଡ ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ନାରାୟଣପୁର ଏବଂ ଦାନ୍ତେୱାଡ଼ା ବର୍ଡର ନିକଟରେ ଏହି ଏନକାଉଣ୍ଟର ହୋଇଛି । ସୂଚନା ଅନୁସାରେ ଏହି ଏନକାଉଣ୍ଟରରେ ୩୦ ଜଣ ନକ୍ସଲ ନିହତ ହୋଇଛନ୍ତି । ବସ୍ତର ଆଇଜି ମଧ୍ୟ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି । 

ଛତିଶଗଡ ନାରାୟଣପୁର ଜିଲ୍ଲାର ଅବୁଜମାଡ ଜଙ୍ଗଲରେ ଏନକାଉଣ୍ଟର ୩୦ ନକ୍ସଲ ନିହତ ହୋଇଛନ୍ତି । ଘଟଣା ସ୍ଥଳରୁ AK47 ଓ SLR ସହ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଅବୁଜମାଡ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ଦାନ୍ତେୱାଡା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା କୁମ୍ୱିଂ ଅପରେସନ । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଗୁଳି ବିନିମୟ ପରେ ବର୍ତ୍ତମାନ ସୁଦ୍ଧା ୩୦ ଜଣ ନକ୍ସଲଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସମସ୍ତ ଯବାନ ସୁରକ୍ଷିତ ରହିଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି ।

ପୋଲିସ ସୂଚନା ମୁତବାକ ସୁରକ୍ଷାକର୍ମୀ ନିୟମିତ ସର୍ଚ୍ଚ ଅପରେସନରେ ବାହାରିଥିଲେ । ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ ସମୟରେ ଜଙ୍ଗଲରେ ନକ୍ସଲଙ୍କ ଉପସ୍ଥିତି ଖବର ମିଳିଥିଲା । ତେବେ ସୁରକ୍ଷାକର୍ମୀ ଆଗକୁ ବଢିବା ବେଳେ ନକ୍ସଲ ପ୍ରଥମେ ଗୁଳିମାଡ଼ କରିଥିଲେ । ଏହାପରେ ଯବାନ ପାଲଟା ଜବାବ ଦେଇଥିଲେ । ନାରାୟଣପୁର ଏବଂ ଦାନ୍ତେୱାଡ଼ା ପୋଲିସର ମିଳିତ ଟିମ୍ ଘଟଣାସ୍ଥଳରେ ଅପରେସନ ଜାରି ରଖିଛନ୍ତି । ଉଭୟ ପଟୁ ଗୁଳିମାଡ଼ ଜାରି ରହିଛି ।

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ୨୦୨୪ ସେପ୍ଟେମ୍ୱର ୩ରେ ଦାନ୍ତେୱାଡ଼ା ଏବଂ ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ନକ୍ସଲ ନିହତ ହୋଇଥିଲେ । ସେହିପରି ଅଗଷ୍ଟ ୨୯ରେ ବସ୍ତରରେ ହୋଇଥିବା ଏନକାଉଣ୍ଟରରେ ୩ ଜଣ ମାଓବାଦୀ ନିହତ ହୋଇଥିଲେ ।

ଆଜିର ଏନକାଉଣ୍ଟରକୁ ଛାଡ଼ି ୨୦୨୪ରେ ବର୍ତ୍ତମାନ ସୁଦ୍ଧା ସୁରକ୍ଷାକର୍ମୀଙ୍କ ଗୁଳିରେ ୧୫୦ ଜଣ ନକ୍ସଲ ନିହତ ହୋଇସାରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.