ବବିଙ୍କୁ ନେଇ ତେଜିଲା ରାଜନୀତି, ଏମିତି ଜବାବ ଦେଲା ବିଜେପି

Published By : Prameya-News7 Bureau | October 03, 2024 IST

ଭୁବନେଶ୍ଵର:  ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ଯାଜପୁର ଉପନିର୍ବାଚନ ସହିତ ଦୁର୍ନୀତି ପ୍ରସଙ୍ଗରେ ତାଙ୍କୁ ବନ୍ଧିବାକୁ ନେଇ ଦେଇଥିବା ଖୋଲା ଆହ୍ବାନ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।  ଏପଟେ  ଯାଜପୁର ଉପନିର୍ବାଚନ ଖୋଦ ବିଜେଡି ବିଧାୟିକା ଏବଂ ଜିଲ୍ଲାସଭାପତି ଖଣ୍ତନ କରିଥିବା ବେଳେ ଦୁର୍ନୀତି ପ୍ରସଙ୍ଗକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି। କହିଛି ତଦନ୍ତରେ ଦୋଷୀ ସାବ୍ୟସ୍ତ ହେଲେ ନିଶ୍ଚୟ ବନ୍ଧା ହେବେ।

ବବି କହୁଛନ୍ତି ଲଢ଼ିବେ। ସୁଜାତା କହୁଛନ୍ତି ଛାଡ଼ିବେନି। ଯାଜପୁର ଉପନିର୍ବାଚନ ପାଇଁ ଚର୍ଚ୍ଚା ଆରମ୍ଭ ହେଉହେଉ ପୂର୍ଣ୍ଣଛେଦ ପଡ଼ିଲାକି? ଗତକାଲି ଜନସମ୍ପର୍କ ପଦଯାତ୍ରାରେ ପଣବ ପ୍ରକାଶ ଦାସ ମୁହଁ ଖୋଲିବା ପରେ ଯାଜପୁର ଉପନିର୍ବାଚନକୁ ନେଇ ଚର୍ଚ୍ଚା ଯୋର ଧରିଥିଲା । ପ୍ରଣବ କହିଥିଲେ ଯେ ମୁଁ ଲଢ଼ିବାକୁ ପ୍ରସ୍ତୁତ ଅଛି। ଯେଉଁଥିରୁ ଚର୍ଚ୍ଚା ହୋଇଥିଲା ଯେ ସମ୍ଭବତଃ ଯାଜପୁର ବିଧାୟିକା ସୁଜାତା ସାହୁ ଇସ୍ତଫା ଦେବେ ତାଙ୍କ ସ୍ଥାନରେ ବବି ନିର୍ବାଚନ ଲଢ଼ିବେ। ହେଲେ ସୁଜାତା ସାହୁ ଏହାକୁ ଖଣ୍ତନ କରିଛନ୍ତି ।

ସେ କହିଛନ୍ତି  ମୁଁ ଇସ୍ତଫା ଦେବାର ନାହିଁ କି ପ୍ରଣବ ପ୍ରକାଶ ଦାସ ଲଢ଼ିବାର ନାହିଁ । ବିଜେଡିରେ ଫାଟ ସୃଷ୍ଟି କରିବାକୁ ଏହା କୁଚକ୍ରାନ୍ତକାରୀଙ୍କ ଚେଷ୍ଟା ବୋଲି ସୁଜାତା କହିଛନ୍ତି। ଏପଟେ ଜିଲ୍ଲା ସଭାପତି ସରୋଜ ମହାପାତ୍ର ମଧ୍ୟ ମୁହଁ ଖୋଲିଛନ୍ତି। । ସେ କହିଛନ୍ତି ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ବିଧାୟକ ହେବାର କୌଣସି ଆବଶ୍ୟକତା ନାହିଁ। ସେ ଏକା ଶାସକ ଦଳକୁ ମୁକାବିଲା କରିବାକୁ ସମର୍ଥ । ଏପଟେ ବିଜେପି କହିଛି ବିଧାୟିକା ଛାଡିବେ ନ ଛାଡିବେ ବିଜେଡିର ଏହା ଆଭ୍ୟନ୍ତରୀଣ କଥା ।  ସେହିପରି ବବିଙ୍କ ଦ୍ବିତୀୟ କଥା ମଧ୍ୟ ଚର୍ଚ୍ଚାକୁ ଖୋରାଖ ଯୋଗାଇଛି। ବବି ଚ୍ୟାଲେଞ୍ଜ ଦେଇଥିଲେ ଯଦି ମୁଁ ଦୁର୍ନୀତି କରିଛି ମୋତେ ବାନ୍ଧ , ଡେରି କରୁଛ କଣ ପାଇଁ ।  


ଏହାକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି । ଏତେ ଦିନ ଧରି ସେ ଯାହା ଦୁର୍ନୀତି କରିଛନ୍ତି ଲୋକେ ସବୁ ଜାଣିଛନ୍ତି। ବ୍ଲାକରୋଜ ଜାହାଜରେ କେମିତି ଲୁହାପଥର ଚୋରା ଚାଲାଣ ହେଉଥିଲା, ତାହା ଜଣାଅଛି।  ଯାଜପୁରରେ ଯେଉଁ ପ୍ରକାର କେଳେଙ୍କାରୀ ହୋଇଛି ତାହା ପଦାକୁ ଆସୁଛି। ଯଦି ସେ ଦୋଷୀ ସାବ୍ୟସ୍ତ ହେବେ ନିଶ୍ଚିତ ବନ୍ଧା ହେବେ। ବିଜେପି ସରକାର କେବେ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ମାଫ କରିବ ନାହିଁ। ତଦନ୍ତ ପରେ ସେ ବନ୍ଧା ହେବେ ବୋଲି ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି।

୨୦୨୪ ନିର୍ବାଚନରେ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ପ୍ରଣବ ପୂର୍ବରୁ ଲଢୁଥିବା ଯାଜପୁର ବିଧାନସଭା ଆସନରେ ସୁଜାତା ସାହୁ ଲଢ଼ିଥିଲେ। ଯେହେତୁ ସମ୍ବଲପୁରରେ ପ୍ରଣବ ହାରିଛନ୍ତି, ସେଥିପାଇଁ ଏବେ ଯାଜପୁରରେ ଉପନିର୍ବାଚନ ସମ୍ଭାବନା ନେଇ ଚର୍ଚ୍ଚା ଚାଲିଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.