ପୁଞ୍ଜି ନିବେଶର ହବ୍ ହେବ ଓଡ଼ିଶା, ନିବେଶକଙ୍କ ସହ ଓ୍ଵାନ୍ ଟୁ ଓ୍ଵାନ୍ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | October 03, 2024 IST

ନୂଆଦିଲ୍ଲୀ: ଓଡ଼ିଶାରେ ଆଗାମୀ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୫ ପାଇଁ ଦିଲ୍ଲୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଛି ଆମ୍ବାସାଡର୍ସ ମିଟ୍ । ଆଇଟିସି ମୋର୍ୟାରେ ଆୟୋଜିତ ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କ ସମେତ ଅନ୍ୟ ବରେଣ୍ୟ ଅତିଥିମାନେ ଉପସ୍ଥିତ ଥିଲେ । ଏହି ଆମ୍ବାସାଡର୍ସ ମିଟ୍‌ରେ ୩୪ଟି ଦେଶରୁ ଆମ୍ବାସାଡର୍ସ, ହାଇ କମିଶନର, କନସୁଲ୍-ଜେନେରାଲ୍, ବାଣିଜ୍ୟ କମିଶନର ଏବଂ ଶୀର୍ଷ ସ୍ତରର କୂଟନୀତିଜ୍ଞ ମାନେ ସାମିଲ୍ ହୋଇଥିଲେ ।ଓଡିଶାରେ ଉଦ୍ୟୋଗର ବିକାଶ ଏବଂ ନୂତନ ନିବେଶର ସୁଯୋଗ ଉପରେ ଏହି ସମାବେଶରେ ଆଲୋଚନା ହୋଇଛି।

ଏହି ଆମ୍ବାସାଡର୍ସ ମିଟ୍‌ରେ ୩୪ଟି ଦେଶରେ ନରଓ୍ବେ, ସିଙ୍ଗାପୁର, ଚୀନ, ଜାପାନ, ବ୍ରାଜିଲ, ଆର୍ଜେଣ୍ଟିନା, ଯୁକ୍ତ ରାଷ୍ଟ୍ର, ଥାଇଲ୍ୟାଣ୍ଡ, ଭିଏତନାମ୍ ଏବଂ ୟୁକେ ପରି ଦେଶର ପ୍ରତିନିଧି ମାନେ ମଧ୍ୟ ସାମିଲ ହୋଇଥିଲେ । ଏଥି ସହ ୯ଟି ଆନ୍ତରାଷ୍ଟ୍ରୀୟ ବ୍ୟବସାୟୀ ସଂଘ ମଧ୍ୟ ଅଂଶ ଗ୍ରହଣ କରିଥିଲେ ।  ଯାହା ଓଡିଶାରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ବା ମେକ୍ ଇନ୍ ଓଡିଶା କନ୍କ୍ଲେଭ୍-୨୦୨୫ର ସଫଳତାକୁ ସୂଚାଉଛି । 

Also read: ଆହାର କେନ୍ଦ୍ରରେ ଧାଡ଼ିରେ ଠିଆ ହେଲେ, ସାଧାରଣ ଲୋକଙ୍କ ସହ ଭୋଜନ କଲେ ରାଜସ୍ବ ମନ୍ତ୍ରୀ

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଶିଳ୍ପ ବାତାବରଣ, ପୁଞ୍ଜି ବିନିଯୋଗ ନେଇ ସକରାତ୍ମକ ଆଲୋଚନା ହୋଇଛି । ଏଥିରେ ଆନ୍ତର୍ଜାତିକ ସହଭାଗୀତା ଭିତ୍ତିରେ ଆମ ଓଡ଼ିଶାରେ ବିଶେଷ ଭାବେ ବିଦେଶୀ ପୁଞ୍ଜିର ଅଧିକ ନିବେଶ ହୋଇପାରିବ । ସେଥିପାଇଁ ଆଜିର ଆଲୋଚନା ଫଳପ୍ରଦ ହୋଇଛି । ଆଶା କରୁଛି, ୨୦୨୫ରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ ଏକ ସର୍ବବୃହତ୍ତ ଶିଳ୍ପ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଆଗାମୀ ଦିନରେ ସେମି କଣ୍ଡକ୍ଟର, ପେଟ୍ରୋକେମିକାଲ, ଆଇଟି, ଗ୍ରୀନ୍ ଏନର୍ଜି, ଫୁଟ୍ ପ୍ରୋସେସିଂ ସେକ୍ଟରରେ ପୁଞ୍ଜି ନିବେଶ ହେବ । ଏହା ୨୦୩୬ରେ ସମୃଦ୍ଧ ଓଡ଼ିଶା ଓ ୨୦୪୭ରେ ବିକଶିତ ଓଡ଼ିଶା ଗଠନର ସୁଦୃଢ଼ ମୂଳଦୁଆ ପକାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । 

ରାଜ୍ୟରେ ନିବେଶ କରିବା ପାଇଁ ଥିବା ସମ୍ଭାବନା ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ଉପସ୍ଥିତ ଆମ୍ବାସାଡର୍ସମାନଙ୍କୁ ଆଗାମୀ ଉତ୍କର୍ଷ ଓଡିଶା ପାଇଁ ସ୍ବାଗତ କରିଥିଲେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ।  ଓଡ଼ିଶାର ବିଭିନ୍ନ ସେକ୍ଟରରେ ବିନିଯୋଗର ସମ୍ଭାବନାକୁ  ଦୃଷ୍ଟିରେ ରଖି,  ରାଜ୍ୟ ସରକାର ଉତ୍କର୍ଷ ଓଡିଶା- ମେକ୍ ଇନ୍ ଓଡିଶା ୨୦୨୫ର ସଫଳତା ନେଇ ଆଶାବ୍ୟକ୍ତ କରିଛନ୍ତି ବୋଲି କହିଥିଲେ ଶିଳ୍ପମନ୍ତ୍ରୀ । 


ସେହିଭଳି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ଓଡ଼ିଶା ଖୁବ୍ ଶୀଘ୍ର ବିଶ୍ବସ୍ତରୀୟ ନିବେଶସ୍ଥଳ ହେବାକୁ ଯାଉଛି । ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିନିଧିମାନଙ୍କ ସହଭାଗୀତା, ଓଡ଼ିଶା ଉଦ୍ୟୋଗ, ଟେକ୍ନୋଲୋଜି, ପର୍ଯ୍ୟଟନ ଏବଂ ପୁନଃ ନବୀକରଣରେ ନିବେଶ କରିବାକୁ ଆହ୍ବାନ ଦେଇଥିଲେ ମୁଖ୍ୟ ଶାସନ ସଚିବ । ସେହିଭଳି ଓଡ଼ିଶାରେ ଶିଳ୍ପ ନିବେଶର ସୁଯୋଗ ଉପରେ ବିସ୍ତୃତ ସୂଚନା ଦେଇଥିଲେ ଶିଳ୍ପ ସଚିବ ହେମନ୍ତ ଶର୍ମା । 

ରାଜଧାନୀ ଭୁବନେଶ୍ବରରେ ଆସନ୍ତା ଜାନୁଆରୀ ୨୮ ଓ ୨୯ ତାରିଖରେ ଆୟୋଜିତ ହେବାକୁ ଯାଉଥିବା ଉତ୍କର୍ଷ ଓଡ଼ିଶା : ମେକ୍ ଇନ୍ ଓଡ଼ିଶା-୨୦୨୫ ପାଇଁ ସରକାର ଓଡ଼ିଶାକୁ ବିଶ୍ବସ୍ତରୀୟ ବିନିଯୋଗ ମାନଚିତ୍ରରେ ଆଗକୁ ଆଣିବା ନେଇ କରୁଥିବା ପ୍ରୟାସକୁ ପ୍ରଶଂସା କରିଥିଲେ ଉପସ୍ଥିତ ଆମ୍ବାସାଡର୍ସମାନେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.