ଚିନ୍ତାରେ ରାହୁଲ ଗାନ୍ଧୀ: ସମନ କଲେ କୋର୍ଟ, ଅକ୍ଟୋବର ୨୩ରେ ହାଜର ହୁଅ

Published By : Prameya-News7 Bureau | October 04, 2024 IST

indiatoday

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ପୁଣି କୋର୍ଟ ଅଡ଼ୁଆ। ଶୁକ୍ରବାର ପୁଣେ କୋର୍ଟ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଏକ ଅପରାଧିକ ମାନହାନୀ ମାମଲାରେ ସମନ କରିଛନ୍ତି। ଗତବର୍ଷ ରାହୁଲ ଗାନ୍ଧୀ ବ୍ରିଟେନ୍‌ରେ ଥିବା ବେଳେ ହିନ୍ଦୁତ୍ୱର ଆଦର୍ଶ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ବିନାୟକ ଦାମୋଦର ସାବରକରଙ୍କ ଅଣନାତୀ ତାଙ୍କ ଉପରେ ମାନହାନୀ ମକଦ୍ଦମା କରିଥିଲେ। ଏହି ଅଭିଯୋଗକୁ ନେଇ ପୁଣେ କୋର୍ଟ ଶୁକ୍ରବାର ରାହୁଲ ଗାନ୍ଧୀଙ୍କୁ ସମନ କରି ଅକ୍ଟୋବର ୨୩ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏପ୍ରିଲ ୨୦୨୩ରେ ତାରିଖରେ ସାବରକରଙ୍କ ନାତୀ ସାତ୍ୟକି ସାବରକର ପୁଣେ ମାଜିଷ୍ଟ୍ରେଟ୍ କୋର୍ଟରେ ମାନହାନୀ ମକଦ୍ଦମା ଦାୟର କରିଥିଲେ। ରାହୁଲ ବିଦେଶରେ ଯାଇ ବିନାୟକ ସାବରକରଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ ବୋଲି ସେ ଆବେଦନରେ ଦର୍ଶାଇଥିଲେ। ୫ ମାର୍ଚ୍ଚ ୨୦୨୩ରେ ଲଣ୍ଡନରେ ଥିବା ବେଳେ ରାହୁଲ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ବୋଲି ଆବେଦନରେ ଦର୍ଶାଯାଇଛି।  

ସାତ୍ୟକି ସାବରକର ତାଙ୍କ ଆବେଦନରେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଦୀର୍ଘ ବର୍ଷ ହେଲା ସାବରକରଙ୍କୁ ଗାଳି ଦେଇ ଆସୁଛନ୍ତି। ଏଥିପାଇଁ ସେ ବେଶ୍ ଜଣାଶୁଣା ମଧ୍ୟ। ୫ ମାର୍ଚ୍ଚ ୨୦୨୩ରେ ବ୍ରିଟେନ୍‌ରେ ସେ ଜାଣିଶୁଣି ସାବରକରଙ୍କ ସମ୍ମାନ ହାନୀ କରିବାକୁ ମିଛ ବୟାନ ଦେଇଥିଲେ। ତାଙ୍କ ବୟାନ ମିଛ ବୋଲି ସେ ତାହା ଜାଣିଛନ୍ତି। ଏପରି କରିବା ଦ୍ୱାରା ସାବରକରଙ୍କ ପରିବାର ଭାବନାକୁ ଆଘାତ ପହଞ୍ଚିଛି ବୋଲି ସାତ୍ୟକି କହିଛନ୍ତି। ତେଣୁ ରାହୁଲ ଗାନ୍ଧୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ପୀଡ଼ିତ ପରିବାରକୁ କ୍ଷତିପୂରଣ ମଧ୍ୟ ଦିଆଯାଉ ବୋଲି ସାତ୍ୟକି ଦାବି କରିଛନ୍ତି। 

ସାବରକରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ପାଇଁ ପୂର୍ବରୁ ନାଶିକ କୋର୍ଟ ମଧ୍ୟ ରାହୁଲଙ୍କୁ ସମନ କରିଥିଲେ। ଏହି ମାମଲାରେ ଜଣେ ଏନ୍‌ଜିଓ ନିର୍ଦ୍ଦେଶକ ରାହୁଲଙ୍କ ବିରୋଧରେ ମାମଲା କରିବାରୁ ତାଙ୍କୁ ସମନ ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.