ପୁଣି ଫେରୁଛି ପଞ୍ଚଦଶ ଶତାବ୍ଦୀର ରୋଗ, ଅପ୍ରତ୍ୟାଶିତ ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରୁଛି 'ସ୍କର୍ଭି'

Published By : Prameya-News7 Bureau | October 25, 2024 IST

ନୂଆଦିଲ୍ଲୀ ୨୫/୧୦: ପୁଣି ଫେରୁଛି ପଞ୍ଚଦଶ ଶତାବ୍ଦୀର 'ସ୍କର୍ଭି'। ଦୀର୍ଘ ଦିନର ଏହି ପୁରୁଣା ରୋଗ ଅପ୍ରତ୍ୟାଶିତ ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରୁଛି । ରିପୋର୍ଟ କହୁଛି ଏହି ରୋଗ ସାଧାରଣତଃ ସାମୁଦ୍ରିକ ଡକାୟତ ଓ ନାବିକମାନଙ୍କ ପାଖରେ ପୂର୍ବରୁ ଦେଖାଯାଉଥିଲା । ଯେଉଁମାନେ ସତେଜ ଖାଦ୍ୟ ବିନା ସମୁଦ୍ରରେ ଲମ୍ବା ଯାତ୍ରା କରୁଥିଲେ । ସେମାନଙ୍କ ଶରୀରରେ ବ୍ୟାପୁଥିଲା ସ୍କର୍ଭି । ହେଲେ ବର୍ତ୍ତମାନ ଅନେକ କାରଣରୁ ଏହି ରୋଗ ପୁଣିଥରେ ଫେରୁଥିବା ସ୍ପଷ୍ଟ କରିଛନ୍ତି କାନାଡୀୟ ଡାକ୍ତରମାନେ । 

ସୂଚନା ଥାଉକି, ଭିଟାମିନ୍ 'ସି' ଅଭାବରୁ ଶରୀରରେ ହୋଇଥାଏ ସ୍କର୍ଭି ରୋଗ । ୨୦୦୭ ପରଠାରୁ ହଠାତ ଏହି ରୋଗ ବଢ଼ୁଥିବା ଦେଖିବାକୁ ମିଳୁଛି । ରୋଗର ଲକ୍ଷଣ ହେଉଛି ଗଣ୍ଠି ଯନ୍ତ୍ରଣା, ରକ୍ତସ୍ରାବ ଓ ଅତ୍ୟଧିକ ଥକ୍କା ଅନୁଭବ କରିବା । ଏହାକୁ ସହଜରେ ଭିଟାମିନ୍ ଯୁକ୍ତ ସପ୍ଲିମେଣ୍ଟ କିମ୍ବା ଖଟା ଫଳ ସହ ଚିକିତ୍ସା କରାଯାଇପାରେ । 

କିନ୍ତୁ ଏହି ରୋଗ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିବା ବଡ଼ ବଡ଼ ଗବେଷକ ଓ ଡାକ୍ତରଙ୍କ ଚିନ୍ତାର କାରଣ ପାଲଟିଛି । ପଶ୍ଚିମ ଅଷ୍ଟ୍ରେଲିଆ ଓ କାନାଡାରୁ ଜାରି ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ ସ୍କର୍ଭି ମାମଲା ଏବେ କ୍ଷୀପ୍ର ଗତିରେ ବ୍ୟାପିବାରେ ଲାଗୁଛି । ନିକଟରେ ଜଣେ ମଧ୍ୟବୟସ୍କ ପୁରୁଷ ଓ ଜଣେ ୬୫ ବର୍ଷ ବୟସ୍କା ମହିଳାଙ୍କଠାରେ ଏହି ରୋଗର ଚିହ୍ନଟ କରାଯାଇଛି । 

ଭିଟାମିନ୍ 'ସି' ଯୁକ୍ତ ଖାଦ୍ୟର ଅଭାବ ସହିତ ଖରାପ ଖାଦ୍ୟାଭ୍ୟାସ ହେଉଛି ଏହାର ଦୁଇଟି ମୁଖ୍ୟ କାରଣ । ଏହା ବ୍ୟତୀତ ଓଜନ ହ୍ରାସ କରିବା ପାଇଁ ବ୍ୟବହୃତ ଔଷଧ ଗୁଡ଼ିକ ଶରୀରରେ ପୋଷକ ତତ୍ତ୍ୱର ଅଭାବ ସୃଷ୍ଟି କରିପାରେ, ଏପରି ଏକ ମାମଲା ଡେନମାର୍କରେ ମଧ୍ୟ ଦେଖିବାକୁ ମିଳିଛି। 

ଅଧ୍ୟୟନରୁ ଜଣାପଡିଛି ଯେ ନିକଟ ଅତୀତରେ ସ୍କର୍ଭି ଓ ଅନ୍ୟାନ୍ୟ ପୁଷ୍ଟିକର ଅଭାବ ସହିତ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ୨୦୧୬ରେ ଆସିଥିବା ସ୍ୱାସ୍ଥ୍ୟ ଓ ସାମାଜିକ ଯତ୍ନ ସୂଚନା କେନ୍ଦ୍ର ତଥ୍ୟ ଅନୁସାରେ ୨୦୦୯ରୁ ୨୦୧୪ ମଧ୍ୟରେ ଡାକ୍ତରଖାନାରେ ସ୍କର୍ଭି ସମ୍ବନ୍ଧୀୟ ରୋଗୀଙ୍କ ସଂଖ୍ୟାରେ ୨୭% ବୃଦ୍ଧି ଘଟିଥିଲା।

ଅନ୍ୟପଟେ NHS ତଥ୍ୟ ଦର୍ଶାଇଛି ଯେ ୨୦୧୦ରୁ ୨୦୧୮ ମଧ୍ୟରେ ସ୍କର୍ଭି ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ୮୨ରୁ ୧୬୭କୁ ବଢ଼ିଥିଲା। ୨୦୧୮-୧୯ରେ କେବଳ ୧୨ ଜଣ ସ୍କର୍ଭି ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଯେତେବେଳେ କି ଅନ୍ୟାନ୍ୟ ପୁଷ୍ଟିକର ଉପାଦାନର ଅଭାବ ପାଇଁ ୫,୧୦୮ ଜଣ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତେବେ 'ଡାଏଟ୍ ଚଏସ' କିମ୍ବା ସପ୍ଲିମେଣ୍ଟ ମାଧ୍ୟମରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ 'ସି' ଗ୍ରହଣ କରି ଆମେ ସ୍କର୍ଭିକୁ ଅଟକାଇପାରିବା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.