କିଏ କାହାକୁ ଧକ୍କା ଦେଲା? ବିଜେପିର ୨ ସାଂସଦ ICUରେ, ରାହୁଲଙ୍କ ବିରୋଧରେ ଆସିଲା ଗୁରୁତର ଅଭିଯୋଗ

Published By : Prameya-News7 Bureau | December 19, 2024 IST

ନୂଆଦିଲ୍ଲୀ ୧୯।୧୨: ବିଜେପି ସାଂସଦ ପ୍ରତାପ ଷଢଙ୍ଗୀ ଗୁରୁବାର ସଂସଦରେ ଆହତ ହୋଇଛନ୍ତି। ସେ ସଂସଦ ଭବନ ସିଡ଼ିରୁ ପଡିଯାଇଛନ୍ତି। ଷଢ଼ଙ୍ଗୀ କହିଛନ୍ତି ଯେ ସେ ସିଡ଼ିରେ ଛିଡା ହୋଇଥିଲେ, ସେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଜଣେ ସାଂସଦଙ୍କୁ ଧକ୍କା ଦେଇଥିଲେ, ଫଳରେ ସେ  ମୋ ଉପରେ ପଡି ଯାଇଥିଲେ ଓ ମୁଁ ସିଡ଼ିରୁ ତଳକୁ ପଡି ଯାଇ ଆହତ ହୋଇଛି। କେବଳ ପ୍ରତାପ ଷଢ଼ଙ୍ଗୀ ନୁହନ୍ତି ଫରୁଖାବାଦ ବିଜେପି ସାଂସଦ ମୁକେଶ ରାଜପୁତ ମଧ୍ୟ ଧସ୍ତାଧସ୍ତିରେ ଗୁରୁତର ଆହତ ହୋଇଛନ୍ତି। 

ଉଭୟ ସାଂସଦଙ୍କୁ ରାମମନୋହର ଲୋହିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କୁ ଏବେ ଆସିୟୁରେ ରଖି ଚିକିତ୍ସା କରାଯାଉଛି। ଲୋହିୟା ହସ୍ପିଟାଲର ଡାକ୍ତର ଅଜୟ ଶୁକ୍ଳା କହିଛନ୍ତି ଯେ ଆମେ ଉଭୟ ସାଂସଦଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ସ୍ଥିର କରିବାକୁ ଉଦ୍ୟମ କରୁଛୁ। ସେମାନଙ୍କ ଲକ୍ଷଣର ଉପଚାର ଆରମ୍ଭ ହୋଇଯାଇଛି, କାରଣ ସେମାନଙ୍କ ମୁଣ୍ଡରେ ଆଘାତ ଲାଗିଛି। ଏଣୁ ସେମାନଙ୍କୁ ଆସିୟୁରେ ଭର୍ତ୍ତି କରାଯାଇଛି। ପ୍ରତାପ ଷଢ଼ଙ୍ଗୀଙ୍କ ଅଧିକ ରକ୍ତସ୍ରାବ ହେଉଥିଲା ଏଣୁ ତାଙ୍କ ମୁଣ୍ଡରେ ଷ୍ଟିଚ୍ ପଡିଛି। ମୁକେଶ  ରାଜପୁତ ବେହୋସ ହୋଇଯାଇଥିଲେ, ଏବେ ତାଙ୍କର ଚେତା ଫେରିଲାଣି ହେଲେ ତାଙ୍କ ମୁଣ୍ଡ ବୁଲଉଛି। 

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସାଂସଦଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନରେ ଡାକ୍ତର ଓ ସାଂସଦଙ୍କ କଥା ହୋଇଛନ୍ତି। ଏହା ଛଡା କେନ୍ଦ୍ରମନ୍ତ୍ରୀ ମଧ୍ୟ ଆହତ ସାଂସଦଙ୍କୁ ଭେଟିବା ପାଇଁ ହସ୍ପିଟାଲ ଯାଇଥିଲେ। ଏମାନଙ୍କ ମଧ୍ୟରେ ଶିବରାଜ ସିଂହ ଚୌହାନ ମଧ୍ୟ ଥିଲେ। ଏହି ଅବସରରେ ସାମ୍ବାଦିକଙ୍କ ସହ ଆଲୋଚନାରେ ଶିବରାଜ କଂଗ୍ରେସ୍ ସାଂସଦ ଓ ରାହୁଲ ଗାନ୍ଧିଙ୍କୁ ଗଣତନ୍ତ୍ରରେ ଆଚରଣ ବୁଝେଇବା ଲାଗି ଏକ ୱାର୍କସପ୍ କରିବାକୁ ପରାମର୍ଶ ଦେଇଛନ୍ତି। 


ଏଥିରେ ରାହୁଲ ଗାନ୍ଧି କହିଛନ୍ତି ଯେ କ୍ୟାମେରାରେ ସବୁ ଦୃଶ୍ୟ ଥିବ, ମୁଁ ସଦନକୁ ଯିବାକୁ ଉଦ୍ୟମ କରୁଥିଲି କାହାକୁ ଠେଲାପେଲା କରୁନଥିଲି। ଏଥି ମଧ୍ୟରେ ବିଜେପି ସାଂସଦମାନେ ଆମ ସହ ଠେଲାପେଲା କରିଥିଲେ। ଏଥିରେ ଖଡଗେଜୀଙ୍କୁ ମଧ୍ୟ ଧକ୍କା ଲାଗିଛି। କଂଗ୍ରେସ ଏକ୍ସ ରେ ଘଟଣା ପୂର୍ବର ଏକ ଭିଡିଓ ଜାରି କରିଛି। ଏଥିରେ ଲେଖାଯାଇଛି ବିଜେପି ସାଂସଦମାନେ ହାତରେ ଲାଠି ଲଗା ପ୍ଲାକାର୍ଡ ଧରି ବିରୋଧୀ ଦଳ ସାଂସଦଙ୍କୁ ସଦନକୁ ଯିବାରେ ବାଧା ଦେଉଛନ୍ତି। 


କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧି ଓ କଂଗ୍ରେସର ଅନ୍ୟ ମହିଳା ସାଂସଦଙ୍କ ସହିତ ବିଜେପି ସାଂସଦମାନେ ଧସ୍ତାଧସ୍ତି କରୁଛନ୍ତି। ଏହା ବାସ୍ତବିକ ଗୁଣ୍ଡାଗର୍ଦ୍ଦି, ଗଣତନ୍ତ୍ରର ମନ୍ଦିରରେ ବିଜେପିର ଏକଛତ୍ରବାଦ। କୌଣସି ପରିସ୍ଥିତିରେ ବି ଏହାକୁ ବରଦାସ୍ତ କରାଯାଇ ନପାରେ। ଖଡଗେ ଲୋକସଭା ବାଚସ୍ପତିଙ୍କୁ ବିଜେପି ସାଂସଦ ତାଙ୍କୁ ଧକ୍କା ଦେଇଥିବା ଘଟଣାର ଯାଞ୍ଚ ଦାବି କରିଛନ୍ତି। ସେ କହିଛନ୍ତି ଯେ ଏହା କେବଳ ତାଙ୍କ ଉପରେ ଆକ୍ରମଣ ନୁହେଁ ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷଙ୍କ ଉପରେ ଆକ୍ରମଣ ଥିଲା। 


ସଂସଦ ପରିସରରେ ଧସ୍ତାଧସ୍ତି ଘଟଣା ପରେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ରାହୁଲ ଗାନ୍ଧି ପ୍ରତାପ ଷଢ଼ଙ୍ଗୀଙ୍କୁ ଦେଖିବାକୁ ଯାଇଥିବା ଦେଖାଯାଉଛି। ଏହି ସମୟରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ‘ଏ କଣ ରାହୁଲ, ତୁମକୁ ଲଜ୍ଜ୍ୟା ଲାଗୁନି ଗୁଣ୍ଡାଗର୍ଦ୍ଦି କରୁଛ, ବୁଢାକୁ ପକେଇ ଦେଲ?’ କହୁଥିବା ବେଳେ ରାହୁଲ ମୁଣ୍ଡ ହଲେଇ ନାହିଁ  କହିବା ସହିତ ସେଠାରୁ ଫେରିଆସୁଥିବା ଦେଖାଯାଉଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.