ନୂଆଦିଲ୍ଲୀ ୧୯।୧୨: ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ଼ ଗତ ନଭେମ୍ବର ମାସରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ପଦବୀରେ ଅବସର ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ନୂଆ ଦାୟିତ୍ୱ ଦେବାକୁ ଇଛାବ୍ୟକ୍ତ କରିଛନ୍ତି। ତେବେ ଏଥିରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଆପତ୍ତି କରିଛନ୍ତି।
ଜାତୀୟ ମାନବାଧିକାର ଆୟୋଗ ପଦବୀ ଗତ ଜୁଲାଇ ୧ ତାରିଖରୁ ଖାଲି ପଡିଛି। ଜୁନ ୩୦ ତାରିଖରେ ପୂର୍ବତନ ଅଧ୍ୟକ୍ଷ ଅଋଣ ମିଶ୍ର ପଦବୀରୁ ଅବସର ଗ୍ରହଣ କରିଥିଲେ। ଏବେ ଏହି ପଦବୀକୁ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା ପୂରଣ କରିବାକୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଚାହୁଁଛନ୍ତି। ଏଥି ପାଇଁ ନିକଟରେ ନିଯୁକ୍ତି ସମ୍ପର୍କିତ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ୪ ସଦସୀୟ କମିଟିରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ ଲୋକସଭା, ରାଜ୍ୟସଭାର ବିରୋଧୀ ଦଳ ନେତା ସଦସ୍ୟ ଅଛନ୍ତି।
ତେବେ କୁହାଯାଉଛି ଜାତୀୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ରୂପେ ଚନ୍ଦ୍ରଚୂଡ଼ଙ୍କ ନାମ ଉପରେ ଦୁଇ ବିରୋଧୀ ଦଳ ନେତା ସହମତ ହେଉ ନାହାନ୍ତି ଓ ସେମାନେ କଡ଼ା ଆପତ୍ତି କରିଛନ୍ତି। ସରକାରୀ ସୂତ୍ରକୁ ଆଧାର କରି ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆପତ୍ତିର କାରଣ ଦର୍ଶାଇ ରାହୁଲ ଓ ଖଡଗେ ଖୁବ୍ ଶୀଘ୍ର କମିଟିର ଅଧ୍ୟକ୍ଷ ନରେନ୍ଦ୍ର ମୋଦିଙ୍କ ନିକଟକୁ ରିପୋର୍ଟ ପଠାଇବେ। ଉଲ୍ଲେଖଯୋଗ୍ୟ ଯେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ପୂର୍ବରୁ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ରହିଛନ୍ତି। କେ.ଜି.ବାଲକୃଷ୍ଣନ ଓ ଏଚ.ଏଲ. ଦତ୍ତୁ ଏହି ପଦବୀରେ କାମ କରିଛନ୍ତି।
ସେହି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏହି ପଦବୀରେ ଅବସରପ୍ରାପ୍ତ ସିଜେଆଇଙ୍କୁ ବସାଇବାକୁ ଚାହୁଁଛନ୍ତି। ତେବେ ସୂତ୍ର ଅନୁସାରେ କେବଳ କଂଗ୍ରେସ ନୁହେଁ ଅନ୍ୟ କେତେକ ବିରୋଧୀ ଦଳ ଓ ନାଗରିକ ସଙ୍ଗଠନ ମଧ୍ୟ ଚନ୍ଦ୍ରଚୂଡଙ୍କୁ ଏହି ପଦବୀରେ ବିରୋଧ କରୁଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରୂପେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ନିରପେକ୍ଷତାକୁ ନେଇ ଅନେକବାର ପ୍ରଶ୍ନ ଉଠିଛି। ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଭଲ ସମ୍ପର୍କକୁ ନେଇ ମଧ୍ୟ ବେଶ୍ ବିବାଦ ହୋଇଥିଲା।
ଗତ ଗଣେଶ ପୂଜାରେ ସିଜେଆଇଙ୍କ ଘରକୁ ପ୍ରଧାନମନ୍ତ୍ରୀ ଯିବାର ଫଟୋ ଭାଇରାଲ ହୋଇଥିଲା। ଏବେ ସେହି ବ୍ୟକ୍ତିଙ୍କୁ ଜାତୀୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଇଛାକୁ ରାହୁଲ ଓ ଖଡଗେ ବିରୋଧ କରୁଛନ୍ତି।