Jammu Kashmir: ଏଲ୍ଓସି ନିକଟରେ IED ବ୍ଲାଷ୍ଟ, ସେନାର ଦୁଇ ଯବାନ ସହିଦ

Published By : Prameya-News7 Bureau | February 11, 2025 IST

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଅଖନୁରରେ ମଙ୍ଗଳବାର ଏକ ଆତଙ୍କବାଦୀ ଆକ୍ରମଣରେ ସେନାର ଦୁଇ ଯବାନ ସହିଦ ହୋଇଛନ୍ତି । ଏଲ୍‌ଓସି ନିକଟରେ ଅଖୁନର ସେକ୍ଟରରେ ହୋଇଥିବା ଆଇଇଡି ବିସ୍ଫୋରଣରେ ତିନି ଜଣ ଯବାନ ଆହତ ହୋଇଥିଲେ । ହସ୍ପିଟାଲରେ ଚିକିତ୍ସିତ ହେବା ବେଳେ ଦୁଇ ଯବାନ ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ ଯବାନମାନେ ନିୟନ୍ତ୍ରଣ ରେଖାରେ ଫେନ୍ସ ପାଟ୍ରୋଲିଂରେ ମୁତୟନ ଥିବା ବେଳେ ଏହି ବିସ୍ଫୋରଣ ଘଟିଛି । ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅଭିଯାନ ଜାରି ରହିଥିବା ସେନା ପକ୍ଷରୁ କୁହାଯାଇଛି ।

ନଗରୋଟା ସ୍ଥିତ ହ୍ୱାଇଟ୍ ନାଇଟ୍ କୋର୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆକ୍ରମଣ କଥାକୁ ସ୍ପଷ୍ଟ କରିଛି । ସେନା ପକ୍ଷରୁ ଲେଖାଯାଇଛି, 'ହ୍ୱାଇଟ୍ ନାଇଟ୍ କୋର୍ ଦୁଇ ବୀର ସୈନିକଙ୍କ ସର୍ବୋଚ୍ଚ ବଳିଦାନକୁ ସଲାମ କରୁଛି ଓ ଶ୍ରଦ୍ଧାଞ୍ଜଳି ଜଣାଉଛି ।'

ଏହାର ଗୋଟିଏ ଦିନ ପୂର୍ବରୁ ସୋମବାର ରାଜୌରି ଜିଲ୍ଲୀରେ ନିୟନ୍ତ୍ରଣ ରେଖା (ଏଲଓସି)ରେ ଗୁଳିମାଡ଼ ବେଳେ ସେନାର ଜଣେ ଯବାନ ଆହତ ହୋଇଥିଲେ । ଯବାନ ଜଣକ ନୌସେରା ସେକ୍ଟର କଲାଲ ଅଞ୍ଚଳରେ ଫରୱାର୍ଡ ପୋଷ୍ଟରେ ମୁତୟନ ଥିବା ବେଳେ ଏହି ଗୁଳିମାଡ଼ ହୋଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ଯେ ଅପରାହ୍ଣ ପ୍ରାୟ ୨.୪୦ ମିନିଟରେ ସୀମା ଆରପଟୁ ଗୁଳି ଆସିଥିଲା ।

ସୋମବାର ହିଁ ହ୍ୱାଇଟ୍ ନାଇଟ୍ କୋରର ଜେନେରାଲ ଅଫିସର କମାଣ୍ଡିଂ ଏବଂ ଲେଫ୍ଟିନାଣ୍ଟ ଜେନେରାଲ ନବୀନ ସଚଦେବା ରାଜୌରୀ ଜିଲ୍ଲାରେ ଏଲଓସି ଆରପଟୁ ହେଉଥିବା ଆତଙ୍କବାଦୀ ଗତିବିଧିର ସମୀକ୍ଷା କରିଥିଲେ । ଏଲଓସି ଆରପଟେ ଲଞ୍ଚ୍ ପ୍ୟାଡ୍‌ରେ ପ୍ରାୟ ୧୦୦ ଅତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ଏଜେନ୍ସି ଆଶଂକା ପ୍ରକାଶ କରିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.