ନୂଆଦିଲ୍ଲୀ ୧୮/୧୨: କେନ୍ଦ୍ରୀୟ କଙ୍ଗୋସ୍ଥିତ ଫିମି ନଦୀରେ ବୁଡ଼ିଲା ଡଙ୍ଗା। ଚାଲିଗଲା ୨୫ ଜୀବନ । ଏହି ଦୁର୍ଘଟଣାରେ ଅନେକ ଶିଶୁଙ୍କ ସମେତ ଏକାଧିକ ଲୋକ ନିଖୋଜ ହୋଇଛନ୍ତି । କଙ୍ଗୋର ରାଜଧାନୀ କିନ୍ସାସାର ଉତ୍ତର-ପୂର୍ବରେ ଥିବା ଇନଗୋ ସହର ନିକଟରେ ଘଟିଛି ଏହି ଅଘଟଣ ।
ଅଧିକାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଡଙ୍ଗାରେ ୧୦୦ରୁ ଅଧିକ ଲୋକ ଥିଲେ। ଦୁର୍ଘଟଣା ପରେ ନିଖୋଜ ଲୋକଙ୍କୁ ଖୋଜା ଖୋଜି ଚାଲିଛି। ମୃତ୍ୟୁ ସଂଖ୍ୟା ଆଗକୁ ବଢିବ ବୋଲି ଅଧିକାରୀମାନେ ଆଶଙ୍କା କରୁଛନ୍ତି । ଇନଗୋ ନଦୀ କମିଶନର ଡେଭିଡ କାଲେମ୍ବା କହିଛନ୍ତି ଯେ ଡଙ୍ଗାରେ ଅନେକ ଲୋକ ଥିବାରୁ ଏହା ଭାରସାମ୍ୟ ହରାଇ ଥିଲା।
ବର୍ତ୍ତମାନ ସୁଦ୍ଧା ୨୫ ଟି ମୃତଦେହ ଉଦ୍ଧାର କରାଯାଇଛି। ଏହି ଅଞ୍ଚଳର ବାସିନ୍ଦା ଆଲେକ୍ସ ମମ୍ବାମ୍ବା କହିଛନ୍ତି ଯେ ଡଙ୍ଗାରେ ସାମଗ୍ରୀ ଭର୍ତ୍ତି ହୋଇଛି ଏବଂ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଅନେକ ପିଲା ମଧ୍ୟ ଅଛନ୍ତି। ସେ କହିଛନ୍ତି ଯେ ଡଙ୍ଗାରେ ଏତେ ସଂଖ୍ୟକ ଯାତ୍ରୀ ଥିଲେ ଯେ ମୃତକଙ୍କ ପ୍ରକୃତ ସଂଖ୍ୟା କହିବା କଷ୍ଟକର।
ସୂଚନା ଥାଉକି, ଏହି ଅଞ୍ଚଳ ନଦୀ ଦ୍ୱାରା ଘେରି ରହିଛି ଏବଂ ଏଠାରେ ଲୋକମାନେ ପରିବହନ ଓ ଯାତାୟତ ପାଇଁ ନଦୀ ଉପରେ ନିର୍ଭର କରନ୍ତି । ଓଭରଲୋଡିଂ ଉପରେ କଙ୍ଗୋ ସରକାର ବାରମ୍ବାର ଚେତାବନୀ ଦେଇଛନ୍ତି ଏବଂ ଜଳ ପରିବହନ ପାଇଁ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନ କରୁଥିବା ଲୋକଙ୍କୁ ଦଣ୍ଡ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।