କିରିଲୋଭଙ୍କ ହତ୍ୟା ପରେ ୟୁକ୍ରେନ ଉପରେ ନିଆଁବାଣ ରୁଷ, ଗୋଟିଏ ଦିନରେ ନିପାତ କଲା ୪୫୦ ଯବାନ

Published By : Prameya-News7 Bureau | December 18, 2024 IST

ନୂଆଦିଲ୍ଲୀ: ପୁଟିନଙ୍କ ଘନିଷ୍ଠଙ୍କ ମଧ୍ୟରୁ ଜଣେ ଲେଫ୍ଟିନାଣ୍ଟ ଜେନେରାଲ ଇଗୋର କିରିଲୋଭଙ୍କ ହତ୍ୟା ପୁଟିନ ପ୍ରଶାସନକୁ ଦୋହଲାଇ ଦେଇଛି । ଏକ ବୋମା ବିସ୍ଫୋରଣରେ କିରିଲୋଭଙ୍କ ମୃତ୍ୟୁ ପରେ ୟୁକ୍ରେନ ଉପରେ ନିଆଁବାଣ ହୋଇଛି ରୁଷ । ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ ସେନାର ୫୪୦ ଯବାନକୁ ନିପାତ କରିଥିବା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ଏହାସହ ଆମେରିକୀୟ ଏବଂ ପୋଲାଣ୍ଡ ଦ୍ୱାରା ଦିଆଯାଇଥିବା ଯୁଦ୍ଧ ଗାଡ଼ିକୁ ଧ୍ୱସ୍ତ କରିଛି ।

ରୁଷର ପଶ୍ଚିମ ଏବଂ କେନ୍ଦ୍ର ସେନା ୟୁକ୍ରେନର ୧୧ ଆକ୍ରମଣକୁ ବିଫଳ କରିଛନ୍ତି । ରୁଷର ଜ୍ୟାପଡ୍ ଗ୍ରୁପ ୪୪୦ ୟୁକ୍ରେନ ସୈନିକଙ୍କୁ ମାରିଥିବା ବେଳେ ଯୁଗ (ଦକ୍ଷିଣ) ଗ୍ରୁପ ୩୫୦ ସୈନିକଙ୍କୁ ନିପାତ କରିଥିବା ମନ୍ତ୍ରଣାଳୟ କହିଛି । ଏହା ବ୍ୟତୀତ ଡୋନଟସ୍କ କ୍ଷେତ୍ରରେ ଟ୍ରୁଡୋଭ ଏବଂ ଷ୍ଟାରି ଟର୍ଣ୍ଣ ଅଞ୍ଚଳକୁ ରୁଷ ସେନା ନିଜ ନିୟନ୍ତ୍ରଣକୁ ନେଇଛି ।

ମଙ୍ଗଳବାର ମସ୍କୋରେ ଆପାର୍ଟମେଣ୍ଟ ବାହାର ଏକ ସ୍କୁଟର ବିସ୍ଫୋରଣ ଯୋଗୁଁ କିରିଲୋଭଙ୍କ ମୃତ୍ୟୁ ହୋଇଥିଲା । ୟୁକ୍ରେନର ଗୁଇନ୍ଦା ଏଜେନ୍ସି ଏହା ପଛରେ ଥିବା ରୁଷ ଦାବି କରିଥିଲେ । କୁହାଯାଉଛି ଉଜବେକିସ୍ତାନର ଜଣେ ସନ୍ଦିଗ୍ଧ ନାଗରିକ ୟୁକ୍ରେନ ଏଜେନ୍ସି ପାଇଁ କାମ କରିଥିଲା । ଏଥିପାଇଁ ଏକ ଲକ୍ଷ ଡଲାର ଏବଂ ୟୁରୋପରେ ସୁରକ୍ଷା ପ୍ରତିଶ୍ରୁତି ଦିଆଯାଇଥିଲା ।

କିରିଲୋଭଙ୍କ ହତ୍ୟା ରୁଷର ଗୁଇନ୍ଦା ଏଜେନ୍ସି ଉପରେ ଏକ ବଡ଼ ପ୍ରଶ୍ନ ଉଠାଇଛି । ମସ୍କୋରେ ଏହିପରି ବିସ୍ଫୋରଣ ଦୁନିଆକୁ ଚକିତ କରାଇଛି । କିଛି ବିଶେଷଜ୍ଞ ୟୁକ୍ରେନର ଏହି ରଣନୀତିକୁ ଇସ୍ରାଏଲର ରଣନୀତି ସହ ଯୋଡ଼ି ଦେଖୁଛନ୍ତି । ରୁଷ ଏହି ଆକ୍ରମଣକୁ ନିଜ ସମ୍ମାନ ଉପରେ ଆକ୍ରମଣ ରୂପେ ଦେଖୁଛି । କିରିଲୋଭଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି ରୁଷ ସ୍ପଷ୍ଟ କରିସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.