ନୂଆଦିଲ୍ଲୀ: ପୁଟିନଙ୍କ ଆଣବିକ ଅସ୍ତ୍ରଶସ୍ତ୍ର ମୁଖ୍ୟ ଜେନେରାଲ ଇଗୋର କିରିଲୋଭଙ୍କ ହତ୍ୟା ଘଟଣାକୁ ନେଇ ଏବେ ବେଶ୍ ଚର୍ଚ୍ଚା। ମଙ୍ଗଳବାର ମସ୍କୋରେ ଏକ ବିସ୍ଫୋରଣରେ ତାଙ୍କୁ ହତ୍ୟା କରାଯାଇଥିବାବେଳେ, ଆକ୍ରମଣ ପାଇଁ ୟୁକ୍ରେନର ସିକ୍ୟୁରିଟି ସର୍ଭିସ ଏଜେନ୍ସୀ ସହ ଜଡ଼ିତ ଏକ ସଂଗଠନ ନିଜକୁ ଦାୟୀ କରିଛି।
ବଡ଼ କଥା ହେଉଛି, ସୋମବାର ଜେନେରାଲ ଇଗୋରଙ୍କୁ ୟୁକ୍ରେନ ଯୁଦ୍ଧ ଅପରାଧୀ ଘୋଷଣା କରିବାର ଗୋଟିଏ ଦିନ ପରେ ହିଁ ତାଙ୍କୁ ହତ୍ୟା କରାଯାଇଛି। ୟୁକ୍ରେନ କହିଥିଲା ଯେ, କିରିଲୋଭ ୟୁକ୍ରେନ ସୈନିକଙ୍କ ଉପରେ ରସାୟନିକ ହତିଆରର ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେପଟେ ରୁଷର କହିବା ଅନୁଯାୟୀ, କରିଲୋଭ ୟୁକ୍ରେନରେ ପେଣ୍ଟାଗନର ବାୟୋଲାବ୍ସର ପର୍ଦ୍ଦାଫାଶ କରିଥିଲେ। ଯେଉଁ କାରଣରୁ ତାଙ୍କୁ ଟାର୍ଗେଟ କରାଯାଇଛି।
ତେବେ ଏସବୁ ମଧ୍ୟରେ ବୁଧବାର, ରୁଷ ଅଧିକାରୀ ହତ୍ୟାକାଣ୍ଡରେ ଜଡ଼ିତ ଥିବା ସନ୍ଦେହ କରି ଜଣେ ଉଜବେକ ନାଗରିକଙ୍କୁ ହେପାଜତକୁ ନେଇଛନ୍ତି। ଅଭିଯୋଗ ରହିଛି ଯେ, ଏହି ବ୍ୟକ୍ତି ଜଣକ ହିଁ ବୋମା ଖଞ୍ଜିଥିଲା। ଯେଉଁ କାରଣରୁ ରୁଷ ଜେନେରାଲ ଇଗୋର କିରିଲୋଭ ଏବଂ ତାଙ୍କ ଘନିଷ୍ଠଙ୍କ ମୃତ୍ୟୁ ହୋଇଛି।
ଟପ୍ ଜେନେରାଲଙ୍କ ମୃତ୍ୟୁ ଘଟଣାର ଯାଞ୍ଚ କରୁଥିବା ରୁଷୀୟ କମିଟି କହିଛି, ଏହି ସନ୍ଦିଗ୍ଧଙ୍କୁ ୟୁକ୍ରେନର ବିଶେଷ ସେବା ଏହି କାମରେ ଅର୍ଥାତ ହତ୍ୟା ପାଇଁ ପଠାଇଥିଲା। ଏହି ସନ୍ଦିଗ୍ଧ ବିସ୍ଫୋରକକୁ ଏକ ଇଲେକ୍ଟ୍ରିକ ସ୍କୁଟରେ ଖଞ୍ଜି ତାକୁ ଇଗୋର କିରିଲୋଭଙ୍କ ରହୁଥିବା ଘରର ପ୍ରବେଶ ଦ୍ବାରା ନିକଟରେ ରଖିଦେଇଥିଲା। କମିଟି ଆହୁରି କହିଛି ଯେ, ସନ୍ଦିଗ୍ଧ ଏକ କାର ନେଇଥିଲା ଆଉ ସେହି କାର ଯୋଗେ କିରିଲୋଭଙ୍କ ଗତିବିଧି ଉପରେ ନଜର ରଖୁଥିଲା। ଏମିତିକି ଅନକେ ସ୍ଥାନରେ କ୍ୟାମେରା ମଧ୍ୟ ଲଗାଇଥିଲା। ଆଉ ସିଗ୍ନାଲ ମିଳିବା ପରେ ବୋମାକୁ ଆକ୍ଟିଭ କରିଥିଲା। ଯେଉଁଥିରେ କିରିଲୋଭଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଅପରାଧକୁ ଘଟାଇଥିବା ଅନ୍ୟ ବ୍ୟକ୍ତିଙ୍କ ଚିହ୍ନଟ ଜାରି ରିହିଥିବା କମିଟି ତରଫରୁ କୁହାଯାଇଛି।
ରିପୋର୍ଟ ଆଉ ଏକ ବଡ଼ ଖୁଲାସା ମଧ୍ୟ ହୋଇଛି। ଯେଉଁଥିରେ କୁହାଯାଇଛି ଯେ, ଏହି ଉଜେବକ ନାଗରିକଙ୍କୁ କିରିଲୋଭଙ୍କ ହତ୍ୟା କରିବା ପାଇଁ ୧ ଲକ୍ଷ ଡଲାର ମିଳିଥିଲା। ଏହା ସହ ୟୁରୋପୀୟ ଦେଶରେ ରହିବାକୁ ଦିଆଯିବା ନେଇ କୁହାଯାଇଥିଲା।