ଆହୁରି ୪ ଦିନ ଜାଳିବ ଗ୍ରୀଷ୍ମ ଲହରୀ, ସତର୍କ କରାଇଲେ ଏସ୍‌ଆରସି

Published By : Prameya-News7 Bureau | March 14, 2025 IST

ଭୁବନେଶ୍ୱର,୧୪/୦୩: ସାବଧାନ । ଭୀଷଣ ଖରା ଚାଲିଛି । ଦିନ ୧୧ଟାରୁ ସାଢ଼େ  ୩ଟା ଭିତରେ ବାହାରକୁ ଯାଉଥିଲେ ସତର୍କତା ପଦକ୍ଷେପ ପାଳନ କରନ୍ତୁ । ଗର୍ଭବତୀ,  କର୍ମଜୀବୀ, ଶ୍ରମିକ, ବୟସ୍କ ନିଜର ବିଶେଷ  ଯତ୍ନ ନେବା ଜରୁରୀ । ନିହାତି ଆବଶ୍ୟକ ନଥିଲେ ପଦାକୁ ଯାଆନ୍ତୁ ନାହିଁ । ହାଲୁକା ପୋଷାକ ପିନ୍ଧନ୍ତୁ ।  

ପ୍ରଚୁର ପାଣି, ସରବତ ଏବଂ ଓଆର୍‌ଏସ୍‌ ପିଅନ୍ତୁ ।  ମଦ, ଚା’ ଓ କଫି ଆଦି ପାନୀୟ ପିଅନ୍ତୁ ନାହିଁ । ଅସହ୍ୟ ତାତି ନେଇ ଏଭଳି ସତର୍କତା ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି  ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ । ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ପଦକ୍ଷେପ  ପାଇଁ ଚିଠି କରାଯାଇଛି । 

ଡରାଇଲାଣି ପାଣିପାଗ ପୂର୍ବାନୁାମାନ । ଆହୁରି  ୪ ଦିନ ଏମିତି ଜାଳିବ ଗ୍ରୀଷ୍ମ ଲହରୀ । ଖାଲି  ଦିନ ନୁହେଁ, ୧୫ ତାରିଖରୁ ରାତି ପାରଦ ବି ବଢ଼ିବ । ସ୍ଥିତିକୁ ଦେଖି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ  କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା  ପଦକ୍ଷେପ ନେବାକୁ କୁହାଯାଇଛି ।  

ରାଜ୍ୟରେ ଏବେ ନିର୍ଘାତ୍‌ ଖରା । ଗୁରୁବାର ଝାଇଁଝାଇଁ କରିଦେଲା ତତଲା ପବନ । ଦିନ  ୧୧ଟାରୁ ୪ଟା ବେହାଲ୍‌ କରି ଦେଲା ତାତି । ପଶ୍ଚିମରୁ ଉପକୂଳ, ଉତ୍ତରରୁ ଦକ୍ଷିଣ ସବୁଠି  ତାତିର ପ୍ରକୋପ । 

ଗୁରୁବାର ରାଜ୍ୟର ୮  ସହରରେ ପାରଦ ୪୧ ଡିଗ୍ରୀ ସେଲସିୟସ୍‌ ଡେଇଁଛି। ସବୁଠୁ ଉତ୍ତପ୍ତ ଥିଲା ଝାରସୁଗୁଡ଼ା,  ଯେଉଁଠି ୪୧.୪ ଡିଗ୍ରୀ ସେଲସିୟସ୍‌  ପହଞ୍ଚିଥିଲା । ବାରିପଦା ୪୦, ସମ୍ବଲପୁର  ୪୦, ହୀରାକୁଦ ୪୦.୧, ବଲାଙ୍ଗୀର ୪୦.୪,  ଟିଟିଲାଗଡ଼ ୪୦.୧, ବୌଦ୍ଧ ୪୦.୮, ଭଦ୍ରକ ୪୦.୧  ଡିଗ୍ରୀ ଛୁଇଁଥିଲା । ୧୫ ସହରରେ ତାପମାତ୍ରା ୩୯ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ଥିଲା ।  

ପାଣିପାଗ ପୂର୍ବାନୁମାନ ହେଲା, ୧୪  ତାରିଖ (ଦୋଳ ପୂର୍ଣ୍ଣିମା) କଳାହାଣ୍ଡି,  ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼,  ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ମୟୂରଭଞ୍ଜ,  କେନ୍ଦୁଝର ଓ ସୋନପୁରରେ ଗ୍ରୀଷ୍ମ ଲହରୀ  ଅନୁଭୂତ ହେବ । ବାଲେଶ୍ୱର, ଭଦ୍ରକ,  ଗଜପତି, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଗରମ  ସହ ଗୁଳୁଗୁଳି ନାକେଦମ କରିପାରେ । 

ହୋଲି ଦିନ (୧୫ ତାରିଖ) ଝାରସୁଗୁଡ଼ା,  ସୋନପୁର, ବୌଦ୍ଧ, ସମ୍ବଲପୁର, ବଲାଙ୍ଗୀର,  କଳାହାଣ୍ଡି, ସୁନ୍ଦରଗଡ଼ରେ ଗ୍ରୀଷ୍ମ ଲହରୀ  ଆଶଙ୍କା ଅଛି । ଏହି ୭ ଜିଲ୍ଲା ପାଇଁ ଅରେଞ୍ଜ  ୱାର୍ଣ୍ଣିଂ ଜାରି ହୋଇଛି । ବରଗଡ଼ ଓ କନ୍ଧମାଳରେ  ଗ୍ରୀଷ୍ମ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ  ଓ ସୁନ୍ଦରଗଡ଼ରେ ରାତି ତାପମାତ୍ରା ବୃଦ୍ଧି ପାଇବା  ସହ ନାକେଦମ କରିପାରେ । 

ଫଗୁଣରେ କଲବଲ କରୁଛି ତାତି, ଆସନ୍ତା ୪ ଦିନ ନିର୍ଘାତ୍‌ ଜଳାଇବ

୧୬ ତାରିଖ (ରବିବାର) ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର,  କଳାହାଣ୍ଡିରେ ଗ୍ରୀଷ୍ମ ଲହରୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ନୂଆପଡ଼ା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ବଲାଙ୍ଗୀର,  ସମ୍ବଲପୁର, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ରାତି ତାପମାତ୍ରା ଅସ୍ୱସ୍ତିକର କରିପାରେ । ୧୭ ତାରିଖ (ସୋମବାର) ବଲାଙ୍ଗୀର,  ନୂଆପଡ଼ା ଏବଂ ବରଗଡ଼ରେ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଛି । ୧୮ ତାରିଖରୁ ରାଜ୍ୟରେ ଗରମ ପ୍ରକୋପ କମିବ । 

ତେବେ ଆଗାମୀ ଦୁଇ ସପ୍ତାହ ପାଇଁ ପାଣିପାଗ ବିଭାଗ ଜାରି  କରିଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ ୧୩ରୁ ୧୭ ଓଡ଼ିଶାରେ  ଗ୍ରୀଷ୍ମ ଲହରୀ ରହିବ । ଏହା ପରେ ବି ଓଡ଼ିଶାର କିଛି ଜାଗାରେ ଗ୍ରୀଷ୍ମ  ଲହରୀ ରହିପାରେ। ରାଜ୍ୟରେ ଏବେ ଅସ୍ୱାଭାବିକ ଭାବେ ଗରମ ବଢ଼ିଥିବାବେଳେ  ଉପକୂଳ ଓଡ଼ିଶା ବି ବାଦ୍‌ ପଡ଼ିନି । ଭୁବନେଶ୍ୱର ତାପମାତ୍ରା ୩୮.୨  ଡିଗ୍ରୀ ଛୁଇଁଥିବାବେଳେ ଚାନ୍ଦବାଲି ୩୮ ଡିଗ୍ରୀ ଥିଲା ।  

୨୦୫୦ ସୁଦ୍ଧା ଭୟଙ୍କର ହେବ ସ୍ଥିତି ! ମେରୁ ଭୂଖଣ୍ଡରେ ବ୍ୟାପକ ପରିବର୍ତ୍ତନ

ବର୍ତ୍ତମାନ ରାଜ୍ୟରେ ଦିନ ତାପମାତ୍ରା ୨ରୁ ୪ଡିଗ୍ରୀ  ବଢ଼ିଥିବାବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇଛି ।  ଉପକୂଳରେ ୨ରୁ ୩ ଡିଗ୍ରୀ ବଢ଼ିଛି ପାରଦ । ବର୍ତ୍ତମାନ ରାତି ତାପମାତ୍ରା ଧୀରେ ଧୀରେ ବଢ଼ିଲାଣି । ଅଧିକାଂଶ ସ୍ଥାନରେ ୨୩ ଡିଗ୍ରୀ ପାଖାପାଖି ଥିବାବେଳେ ପାରାଦୀପ ୨୬ ଓ ପୁରୀ ୨୭ ଡିଗ୍ରୀ ଥିଲା ବୁଧବାର ରାତିରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.