ଭୁବନେଶ୍ୱର,୧୩/୦୩: ଆରମ୍ଭ ହୋଇଗଲା ତାତି ମାଡ଼ । ଚଳିତବର୍ଷ ପ୍ରଥମ ଥର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଡେଇଁଲା । ତାତି ଆହୁରି ବଢ଼ିବ । ଆସନ୍ତା ୪ ଦିନ ନିର୍ଘାତ୍ ଜଳାଇବ । ହୋଲିରେ ପଶ୍ଚିମ ଓଡ଼ିଶା ୪୨ ଡିଗ୍ରୀ ତାଉରେ ସିଝିବ, ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶା ୩୯/୪୦ ଡିଗ୍ରୀ ଛୁଇଁପାରେ ।
ଅସ୍ୱାଭାବିକ ଭାବେ ବଢ଼ିଛି ଗରମ । ବୁଧବାର ରାଜ୍ୟର ୧୨ଟି ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍ ପାର୍ କରିଥିଲା । ବୌଦ୍ଧ ସବୁଠୁ ଉତ୍ତପ୍ତ ଥିଲା ବୁଧବାର । ପାରଦ ପହଞ୍ଚିଗଲା ୪୦.୫ ଡିଗ୍ରୀ ସେଲସିୟସ୍ରେ । ଏହାବାଦ୍ ଆଉ ୬ ସହର ୩୯ ଟପିଥିଲା ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସତର୍କ କରାଇଛି, ଆସନ୍ତା ୧୬ ଯାଏଁ ରାଜ୍ୟର କେତେକ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଛି । ଆସନ୍ତା ୪ ଦିନ ଭିତରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ଦୋଳ ଓ ହୋଲି ଦିନ ତାତି ପ୍ରକୋପ ବେଶି ରହିବ । ଗୁରୁବାର ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ସହରରେ ଗ୍ରୀଷ୍ମ ଲହରୀ ସ୍ଥିତି ରହିପାରେ ।
ଶୁକ୍ରବାର ଏହି ୪ ସ୍ଥାନ ସମେତ ସୁନ୍ଦରଗଡ଼ ଓ ଅନୁଗୁଳରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ । ୧୫ ତାରିଖ (ଶନିବାର) ହୋଲି ଅବସରରେ ସାଂଘାତିକ ରୂପ ନେଇପାରେ ତାତି ପ୍ରକୋପ । ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧରେ ଗ୍ରୀଷ୍ମ ଲହରୀ ନେଇ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି ହୋଇଛି ।
ଗ୍ରୀଷ୍ମ ଲହରୀ ପାଇଁ ସୋନପୁର, ଅନୁଗୁଳ, ସୁନ୍ଦରଗଡ଼, ମୟୂରଭଞ୍ଜ, ବରଗଡ଼ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼ ଓ ବୌଦ୍ଧରେ ଦିନ ତାତି ସହ ନାକେଦମ କରିବ ଉତ୍ତପ୍ତ ରାତି । ରବିବାର ମଧ୍ୟ ୫ ଜିଲ୍ଲାରେ ଗ୍ରୀଷ୍ମ ଲହରୀ କଲବଲ କରିପାରେ ।
ପାଣିପାଗ ବିଭାଗର ଆକଳନ କହୁଛି, ଗୁରୁବାର ବଲାଙ୍ଗୀର ଓ ଝାରସୁଗୁଡ଼ାରେ ପାରଦ ୪୧ ଡିଗ୍ରୀ ଛୁଇଁପାରେ । ରାଉରକେଲା, ବରଗଡ଼, ଟିଟିଲାଗଡ଼ ୪୦ ଡିଗ୍ରୀ ପହଞ୍ଚିପାରେ । ଉପକୂଳରେ ଭୁବନେଶ୍ୱର ୩୮ ଡିଗ୍ରୀ ଛୁଇଁପାରେ । ଶୁକ୍ରବାର (ଦୋଳ ପୂର୍ଣ୍ଣିମା) ଦିନ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ପୂରା ଜଳିବ ।
ଝାରସୁଗୁଡ଼ା ୪୨ ଡିଗ୍ରୀ ଛୁଇଁବାବେଳେ ଟିଟିଲାଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ରାଉରକେଲା, ଅନୁଗୁଳରେ ତାତି ୪୧ ଡିଗ୍ରୀ ରହିପାରେ । ଉପକୂଳ ଓଡ଼ିଶାରେ ଭୁବନେଶ୍ୱର, କେନ୍ଦ୍ରାପଡ଼ା, ଚାନ୍ଦବାଲିରେ ପାରଦ ୩୯ ଡିଗ୍ରୀ ୩୯ ଡିଗ୍ରୀ ରହିପାରେ । ଶନିବାର ପଶ୍ଚିମ ସେମିତି ଜଳିବ, ଉପକୂଳରେ ଆହୁରି ତାତି ବଢ଼ିବ ପାଣିପାଗ ବିଶେଷଜ୍ଞଙ୍କ କହିବାନୁସାରେ ବର୍ତ୍ତମାନ ଉତ୍ତର ପଶ୍ଚିମ କିମ୍ବା ସାମୁଦ୍ରିକ ପବନ ରାଜ୍ୟକୁ ଆସୁନାହିଁ ।
କେବଳ ପଶ୍ଚିମ ପଟୁ ଗରମ ପବନ ଆସୁଛି । ଏ ସ୍ଥିତି ଆହୁରି ୪ ଦିନ ରହିବ । ଦୋଳ ଓ ହୋଲିରେ ସାଂଘାତିକ ଗରମ ହୋଇପାରେ । ଉପକୂଳ ଓଡ଼ିଶା ୪୦ ଟପିପାରେ । ୧୭ ପରେ ଆଶ୍ୱସ୍ତି ଆଣିପାରେ ଏକ ଟ୍ରଫଲାଇନ । ଏହା ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ହୋଇପାରେ । ବିଶେଷ କରି ୧୯ ଓ ୨୦ରେ କାଳବୈଶାଖୀ ପ୍ରଭାବ ଅଧିକ ରହିବା ସମ୍ଭାବନା ଅଛି।
ବୁଧବାର ବଲାଙ୍ଗୀର ୩୯.୯ ଡିଗ୍ରୀ, ଟିଟଲାଗଡ଼ ୩୯.୫, ଝାରସୁଗୁଡ଼ା ୩୯.୪, ସୁନ୍ଦରଗଡ଼ ୩୯.୪, ସମ୍ବଲପୁର ୩୯.୩, ବାରିପଦା ସହର ୩୯ ଡିଗ୍ରୀରେ ଝାଇଁ ହୋଇ ଯାଇଥିଲା । ସୋନପୁର ୩୮.୯, ଭଦ୍ରକ ୩୮.୮, ହୀରାକୁଦ ୩୮.୭, ରାଉରକେଲା ୩୮.୪, ଭବାନୀପାଟଣା ୩୮.୪ ତାପମାତ୍ରା ଛୁଇଁଥିଲା । ଉପକୂଳରେ କଟକ, ଚାନ୍ଦବାଲି ବି ୩୭ ଡିଗ୍ରୀ ପାର୍ କରିଥିଲା ।