ବେଙ୍ଗାଲୁରୁ ବିସ୍ଫୋରଣ ମାମଲା:  ୪ ଜଣଙ୍କୁ ଅଟକ ରଖିଛି ପୋଲିସ, ପଚରା ଉଚରା ଜାରି

Published By : Prameya-News7 Bureau | March 02, 2024 IST

ବେଙ୍ଗାଲୁରୁ ୨।୩: ସହରର ଏକ ରେଷ୍ଟୁରାଣ୍ଟରେ ଶୁକ୍ରବାର ହୋଇଥିବା କମ୍ ତୀବ୍ରତାର ବିସ୍ଫୋରଣ ଘଟଣାରେ ପଚରା ଉଚରା ପାଇଁ ପୋଲିସ ୪ ଜଣଙ୍କୁ ଅଟକ ରଖିଛି। ପୋଲିସ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚ ଅଧିକାରୀ ଧାରୱାଡ, ହୁବ୍ବଲ୍ଲୀ ଓ ବେଙ୍ଗାଲୁରୁରେ ଅଟକ କରାଯାଇଥିବା ଲୋକଙ୍କୁ ବିସ୍ତୃତ ପଚରା ଉଚରା କରୁଛନ୍ତି। ଶୁକ୍ରବାର ବେଙ୍ଗାଲୁରୁର ଘଟଣା ପରେ ଦିଲ୍ଲୀରେ ସୁରକ୍ଷା କଡ଼ାକଡି କରାଯାଇଛି। ବେଙ୍ଗାଲୁରୁ ପୋଲିସ କମିସନର ବି.ଦୟାନନ୍ଦ ବିଭିନ୍ନ ଟିମ୍‌ ମିଳିଥିବା ସୁରାଗ ଉପରେ କାମ କରୁଥିବା କହିଛନ୍ତି।

ଶୁକ୍ରବାର ମଧ୍ୟାହ୍ନରେ ରାମେଶ୍ୱରମ କାଫେରେ ହୋଇଥିବା ବିସ୍ଫୋରଣରେ ୧୦ ଜଣ ଆହତ ହୋଇଥିଲେ। ଏହା ଏକ ଆଇଇଡି ବିସ୍ଫୋରଣ ଥିଲା ଓ କମ ତୀବ୍ରତାର ଥିଲା। ବିସ୍ଫୋରଣ ମାମଲାରେ ବେଙ୍ଗାଲୁରୁ ପୋଲିସ ବେଆଇନ ଗତିବଧି (ନିୟନ୍ତ୍ରଣ) ଅଧିନିୟମ ଓ ବିସ୍ଫୋରକ ପଦାର୍ଥ ଅଧିନିୟମରେ ଏକ ମାମଲା ରୁଜୁ କରିଛି।  ଏହି ଘଟଣା ପରେ ଖାସ କରି କେମ୍ପେଗୌଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ସୁରକ୍ଷା କଡ଼ାକଡ଼ି କରାଯାଇଛି।

{"id":916339,"width":843,"height":468,"sizeSlug":"full","linkDestination":"none"}

ବେଙ୍ଗାଲୁରୁରେ ଏକ ଲୋକପ୍ରିୟ ରେଷ୍ଟୁରାଣ୍ଟରେ ଶୁକ୍ରବାର ହୋଇଥିବା ବିସ୍ଫୋରଣ ପରେ ଦିଲ୍ଲୀ ପୋଲିସ ସୁରକ୍ଷା କଡା କରିଛି। ଜନୈକ ଅଧିକାରୀ ଶନିବାର ଏହି ସୂଚନା ଦେଇଛନ୍ତି। ଅଧିକାରୀଙ୍କ ଅନୁସାରେ ଜିଲ୍ଲା ପୋଲିସ ମୁଖ୍ୟମାନଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନ, ବିଶେଷ କରି ଦିଲ୍ଲୀର ବଜାରମାନଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦିଲ୍ଲୀ ପୋଲିସ ନିଜର ବୋମା ନିରୋଧୀ ସ୍କ୍ୱାର୍ଡ ଓ ବୋମା ସନ୍ଧାନକାରୀ ଦଳଙ୍କୁ ସତର୍କ  କରିଛି। 

କର୍ଣ୍ଣାଟକ ପୋଲିସ ଅନୁସାରେ ଜଣେ ଗ୍ରାହକ ରେଷ୍ଟୁରାଣ୍ଟର ହାତ ଧୋଇବା ଅଞ୍ଚଳରେ ଏକ ବ୍ୟାଗ୍ ଛାଡିଥିଲା, ଯେଉଁଥିରେ ଟାଇମର ଲଗା ଆଇଇଡି ବିସ୍ଫୋରଣ ହୋଇଥିଲା। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କାଫେକୁ ଏହି ବ୍ୟାଗ୍ ସହ ପ୍ରବେଶ କରିଥିବା ଗ୍ରାହକ ନିଜର ପରିଚୟ ଲୁଚେଇବାକୁ ଟୋପି ଓ ମାସ୍କ ପିନ୍ଧି ରଖିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.