ନୂଆଦିଲ୍ଲୀ: ଦେଶରେ ପୁରୁଣା ଏବଂ ବ୍ୟବହାର ହୋଇସାରିଥିବା (Used Vehicle) ଗାଡ଼ି ମାର୍କେଟ୍ ଏବେ ବଡ଼ ହେବାରେ ଲାଗିଛି । କମ୍ପାନିଗୁଡ଼ିକ ପୁରୁଣା ଗାଡ଼ିକୁ କମ ଦାମରେ ବିକ୍ରି କରୁଛନ୍ତି । କିନ୍ତୁ ଏହି ପୁରୁଣା ଗାଡ଼ିର ବିକ୍ରି ଉପରେ ଲାଗୁ ହେଉଥିବା ଟିକସକୁ ନେଇ ଶନିବାର ଜିଏସଟି କାଉନସିଲ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଇଲେକ୍ଟ୍ରିକ୍ ବାହାନ ସମେତ ପୁରୁଣା ଗାଡ଼ି ବିକ୍ରି ଉପରେ ଟ୍ୟାକ୍ସ ହାର ବଢାଇବା ଉପରେ ସହମତି ହୋଇଛି । ଏହି ଟିକସ ହାରକୁ ୧୨ ପ୍ରତିଶତରୁ ବଢାଇ ୧୮ ପ୍ରତିଶତ କରିବା ଉପରେ ସହମତି ହୋଇଛି ।
ବିଜନେସ୍ ଟୁଡେର ରିପୋର୍ଟ ଅନୁସାରେ ପରିବର୍ତ୍ତିକ ଜିଏସଟି ହାର କମ୍ପାନି ଏବଂ ଡିଲର୍ସଙ୍କ ଦ୍ୱାରା ବିକ୍ରି ହେଉଥିବା ପୁରୁଣା ଗାଡ଼ିର ନେଣଦେଣ ଉପରେ ଲାଗୁ ହେବ । ଅର୍ଥାତ୍ କାଉନସିଲ୍ ଦ୍ୱାରା ଏହି ସଂଶୋଧିତ ହାର ମାର୍ଜିନ ସହ ବିକ୍ରି କରାଯାଉଥିବା ଏବଂ ଏହି ସେକ୍ଟରରେ କାମ କରୁଥିବା କମ୍ପାନି ଦ୍ୱାରା କିଣାଯାଉଥିବା ଗାଡ଼ି ଉପରେ ଲାଗୁ ହେବ । ତେବେ ପୁରୁଣା ଗାଡ଼ି ବିକ୍ରି ଏବଂ କିଣୁଥିବା ବ୍ୟକ୍ତିଙ୍କ ଉପରେ ପୂର୍ବପରି ୧୨ ପ୍ରତିଶତ ଟିକସ ଲାଗୁ ରହିବ । ଅର୍ଥାତ୍ ଇଣ୍ଡିଭିଜୁଆଲ୍ କ୍ରେତା ଏବଂ ବିକ୍ରେତାଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।
ବର୍ତ୍ତମାନ ପ୍ରଚଳିତ ନିୟମ ଅନୁସାରେ ନୂଆ ୧୨୦୦ସିସି କିମ୍ୱା ଏହାଠାରୁ ଅଧିକ କ୍ଷମତା ବିଶିଷ୍ଟ ଇଞ୍ଜିନ ଏବଂ ୪୦୦୦ଏମ୍ଏମ୍ ଏବଂ ଏହାଠାରୁ ଅଧିକ ଲମ୍ୱ ଥିବା ପ୍ରେଟ୍ରୋଲ୍, ଏଲ୍ପିଜି ଏବଂ ସିଏନ୍ଜି ଗାଡ଼ି ଉପରେ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ୁଛି । ସେହିପରି ୧୫୦୦ସିସି କିମ୍ୱା ଏହାଠାରୁ ଅଧିକ କ୍ଷମତା ବିଶିଷ୍ଟ ଇଞ୍ଜିନ ଏବଂ ୪୦୦୦ଏମ୍ଏମ୍ ଏବଂ ଏହାଠରୁ ଅଧିକ ଲମ୍ୱ ଡିଜେଲ ଗାଡ଼ି ଉପରେ ୧୮ ପ୍ରତିଶତ ଏବଂ ୧୫୦୦ସିସିରୁ ଅଧିକ ଇଞ୍ଜିନ କ୍ଷମତା ଥିବା ଏସୟୁଭି ଉପରେ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼େ । ଜିଏସଟି ପରିଷଦ ଏହି ବର୍ଗର ପୁରୁଣା ଗାଡ଼ି ପାଇଁ ଜିଏସଟି ହାରକୁ ୧୮ ପ୍ରତିଶତ କରିବା ନିଷ୍ପତ୍ତି ନୂଆ ଗାଡ଼ିର ବର୍ତ୍ତମାନ ଢାଞ୍ଚାର ଅନୁରୂପ ଅଟେ ।
ନୂଆ ଇଭି ଗାଡ଼ି ଉପରେ ବର୍ତ୍ତମାନ ସମୟରେ ୫ ପ୍ରତିଶତ ଜିଏସଟି ଦେବାକୁ ପଡ଼ୁଛି । ଇଲେକ୍ଟ୍ରିକ୍ ଭେଇକଲ୍ ସେକ୍ଟରରେ ଅଧିକ ଗ୍ରୋଥ୍ ଆଣିବା ପାଇଁ ଏହାକୁ ସବୁଠୁ କମ ବର୍ଗରେ ରଖାଯାଇଛି । କିନ୍ତୁ ପୁରୁଣା ଇଭି ଗାଡ଼ିର ରି-ସେଲ୍ ଉପରେ ୧୮ ପ୍ରତିଶତ ଜିଏସଟି, ସେକେଣ୍ଡ ହ୍ୟାଣ୍ଡ୍ ଇଭି ଗାଡ଼ି ପ୍ରତି ଗ୍ରାହକଙ୍କ ଆଗ୍ରହ କମ କରିପାରେ ।