ଭାରତ ଛାଡ଼ିପାରନ୍ତି ୪୩୦୦ କୋଟିପତି; ଧନୀଙ୍କୁ ଟାଣୁଛି ୟୁଏଇର ବାଣିଜ୍ୟ ସୁଗମତା

Published By : Prameya-News7 Bureau | June 24, 2024 IST

ନୂଆଦିଲ୍ଲୀ,୨୪/୬: ଚଳିତ ବର୍ଷ ଭାରତ ଛାଡିପାରନ୍ତି ୪୩୦୦ କୋଟିପତି । ଏମାନଙ୍କ  ମଧ୍ୟରୁ ଅଧିକାଂଶ ୟୁନାଇଟେଡ ଆରବ ଏମିରେଟ୍ସ ଯାଇପାରନ୍ତି । ଅନ୍ତର୍ଜାତୟ ଫାର୍ମ ହେନଲି ଆଣ୍ଡ ପାର୍ଟନର୍ସ ପକ୍ଷରୁ ଏଭଳି ଏକ ରିପୋର୍ଟ ପ୍ରକାଶ ପାଇଛି । ଅତିକମ୍‌ରେ ୧୦ଲକ୍ଷ ଡଲାର ବା ୮.୩  କୋଟି ସମ୍ପତ୍ତି ଥିବା ଲୋକଙ୍କୁ ଏଥିରେ ସାମିଲ କରାଯାଇଛି । ଧନୀ ପଳାୟନ କ୍ଷେତ୍ରରେ ଭାରତ  ତୃତୀୟ ସ୍ଥାନରେ ରହିଛି । 

୨୦୨୩-୨୪ରେ ଚୀନରେ ସର୍ବାଧିକ ୧୫,୨୦୦ ଏବଂ ୟୁକେର  ୯୫୦୦ କୋଟିପତି ଅନ୍ୟ ଦେଶକୁ ପଳାୟନ କରିଛନ୍ତି । ଭାରତ କଥା ବିଚାରକୁ ନେଲେ ଧନୀଙ୍କ  ପଳାୟନ ଲଗାତାର ତୃତୀୟ ବର୍ଷ ହେବ ହ୍ରାସ ହୋଇଛି । ଗତବର୍ଷ ୫,୧୦୦ ଧନୀ ଦେଶ  ଛାଡିଥିଲେ । ୨୦୨୨ରେ ୮ ହଜାର ଭାରତୀୟ ଦେଶ ଛାଡିଥିଲେ । ଚଳିତ ବର୍ଷ ସାରା ବିଶ୍ୱରେ ୧.୨୮ ଲକ୍ଷ କୋଟିପତି ନିଜ ଦେଶ ଛାଡିଛନ୍ତି ।  ୨୦୨୩ ତୁଳନାରେ ଏହି ସଂଖ୍ୟା ବଢ଼ିଛି । ଗତ  ବର୍ଷ ଏହା ୧.୨୦ ଲକ୍ଷ ରହିଥିଲା । କରୋନା ପୂର୍ବରୁ ୨୦୧୯ରେ ଏହି ସଂଖ୍ୟା ଥିଲା ୧.୧୦ ଲକ୍ଷ । ଧନୀ ମାନେ ୟୁଏଇ ଏବଂ ଆମେରିକାରେ ରହିବାକୁ ସବୁଠୁ ବେଶି ପସନ୍ଦ କରୁଛନ୍ତି । ଏ କ୍ଷେତ୍ରରେ ଆମେରିକା ବେଶ କିଛି ବର୍ଷ ଧରି  ଧନୀଙ୍କ ପସନ୍ଦ ରହିଥିଲା । ଏହି ଧାରାରୁ  ଭାଙ୍ଗି ଦେଇଛି ୟୁଏଇ । ଚଳିତ ବର୍ଷ ୬୭୦୦ କୋଟିପତି ୟୁଏଇରେ ରହିପାରନ୍ତି । 

ସେହିଭଳି ଆମେରିକାରେ ୩୨୦୦ କୋଟିପତି ରହିବା ନେଇ ଆକଳନ କରାଯାଇଛି । ସିଙ୍ଗାପୁର ଏ କ୍ଷେତ୍ରରେ ପ୍ରମୁଖ ସ୍ଥାନରେ ଥିବା ବେଳେ ଏଠାରେ ୩୫୦୦ କୋଟିପତି ରହିବା ନେଇ ଅନୁମାନ କରାଯାଉଛି । ସେହିଭଳି କାନାଡାରେ ୩,୨୦୦, ଅଷ୍ଟ୍ରେଲିଆରେ ୨୫୦୦, ଇଟାଲୀରେ ୨,୨୦୦,  ସ୍ୱିଜରଲ୍ୟାଣ୍ଡ ୧୫୦୦, ଗ୍ରୀସରେ ୧୨୦୦,   ପର୍ତ୍ତୁଗାଲରେ ୮୦୦, ଜାପାନରେ ୪୦୦ କୋଟିପତି  ରହିପାରନ୍ତି ବୋଲି ରିପୋର୍ଟରେ କୁହାଯାଇଛି । ୨୦୨୩ରେ ୟୁଏଇରେ ସର୍ବାଧିକ ୪୭୦୦ ଧନୀ ରହିବାକୁ ଆସିଥିଲେ । ଦ୍ୱିତୀୟରେ ଅଷ୍ଟ୍ରେଲିଆ  ଥିବାବେଳେ ଏଠାରେ ୪୦୦୦, ତୃତୀୟରେ ସିଙ୍ଗାପୁର ଥିବା ବେଳେ ଏଠାରେ ୩୪୦୦,  ଆମେରିକାରେ ୨,୨୦୦ ଏବଂ କାନାଡାରେ  ୨୧୦୦ କୋଟିପତି ଏହି ଅବଧିରେ ବସବାସ ପାଇଁ ଆସିଥିଲେ । ୟୁଏଇରେ ଟିକସ କ୍ଷେତ୍ରରେ  ମିଳୁଥିବା ରିହାତି ଏବଂ ବାଣିଜ୍ୟ ସୁଗମତା  ଦୃଷ୍ଟିକୋଣରୁ ଧନୀଙ୍କର ପସନ୍ଦର ଦେଶ ଭାବେ ଉଭା ହୋଇଛି । ଦୁବାଇରେ ଧନୀଙ୍କୁ କୌଣସି   ଆୟକର ଦେବାକୁ ପଡିନ ଥାଏ । ସେହିଭଳି   ଶିଳ୍ପପତିଙ୍କ ଲାଗି ଏଠାରେ ସୁବିଧାଜନକ ଟିକସ ଢ଼ାଞ୍ଚା ଏବଂ ଆଇନ ବ୍ୟବସ୍ଥା ରହିଛି । ଏଭଳି  ପ୍ରମୁଖ କାରଣ ଯୋଗୁ ଦୁବାଇକୁ ସାରା ବିଶ୍ୱର ଧନୀ ଟାଣି ହୋଇ ଯାଉଛନ୍ତି । ଯଦି ଭାରତୀୟଙ୍କ କଥା ବିଚାରକୁ ନିଆଯାଏ ୨୦୧୩ରୁ ୨୦୨୩ ମଧ୍ୟରେ  ୟୁଏଇ ଯାଉଥିବା ଲୋକଙ୍କ ସଂଖ୍ୟାରେ ୮୫% ବୃଦ୍ଧି  ହୋଇଛି । ଧନୀଙ୍କ ପଳାୟନ କୌଣସି ଦେଶ ପାଇଁ  ଭଲ ବୋଲି ବିଚାର କରାଯାଇ ନଥାଏ । ତେବେ  ଭାରତ କ୍ଷେତ୍ରରେ ଏହା ଭିନ୍ନ ରହିଛି । ଭାରତୀୟ  ମାନେ ବିଦେଶ ଗଲେ ମଧ୍ୟ ନିଜ କାରବାର ଏବଂ  ଅସ୍ଥାବର ସମ୍ପତ୍ତି ଦେଶ ମଧ୍ୟରେ ଛାଡି ଯାଉଛନ୍ତି । ଅଲଗା ଦେଶରେ ରହିଲେ ମଧ୍ୟ ଭାରତରେ ଘର   ଏବଂ ଏଠାରେ କାରବାର କରିବାକୁ ଭାରତୀୟ ଇଛା ପ୍ରକଟ କରୁଛନ୍ତି । ଭାରତରେ ଯେତେ କୋଟିପତି ବାହାରକୁ ଯାଉଛନ୍ତି ସେହି ଅନୁପାତରେ କୋଟିପତି   ମଧ୍ୟ ତିଆରି ହେଉଛନ୍ତି । ଦେଶରେ ୩.୨୬ ଲକ୍ଷ କୋଟିପତି ଏବଂ ୧୨୦ ଅରବପତି ରହିଛନ୍ତି ।  କୋଟିପତି ଲୋକଙ୍କ କ୍ଷେତ୍ରରେ ଭାରତ ବିଶ୍ୱରେ  ୧୦ମ ସ୍ଥାନରେ ରହିଛି । ଦେଶରେ ୧୦୪୪ ଲୋକ ଅଛନ୍ତି ଯେଉଁ ମାନଙ୍କ ପାଖରେ ୧୦୦ ନିୟୁତ ଡଲାର ସମ୍ପତ୍ତି ରହିଛି । ଏ କ୍ଷେତ୍ରରେ ଭାରତ  ୪ର୍ଥ ସ୍ଥାନରେ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.