ଆଜିଠୁ ଆରମ୍ଭ ନବରାତ୍ରୀ ପୂଜା, ୯ ଦିନରେ ମା'ଙ୍କ କେଉଁ ସ୍ୱରୂପରେ କେଉଁ ରଙ୍ଗ ଶୁଭ

Published By : Prameya-News7 Bureau | October 03, 2024 IST

ଭୁବନେଶ୍ୱର ୦୩/୧୦ : ଧରାପୃଷ୍ଠରେ ଅବତରଣ କରିବେ ମା’ ଜଗଜ୍ଜନନୀ । ମା’ଙ୍କ ଆସିବାର ବାର୍ତ୍ତା ନେଇ ଆସିଲାଣି କାଶତଣ୍ଡୀ। ସେହି ଖୁସିରେ ହସିଲାଣି ଧରାପୃଷ୍ଠ। ଚଳିତ ବର୍ଷ ଅକ୍ଟୋବର ୩ରୁ ନବରାତ୍ର ପୂଜା ଆରମ୍ଭ। ୯ଦିନ ଧରି ମା’ଙ୍କୁ ୯ ରୂପରେ ପୂଜା କରାଯାଏ । ତେବେ ଏହି ୯ ଦିନରେ  ରଙ୍ଗର ରହିଛି ଖାସ୍ ମହତ୍ତ୍ୱ। ଯାହାର ରହିଛି ସ୍ୱତନ୍ତ୍ର ବିଧି । ତେବେ ଆସନ୍ତୁ ଜାଣିବା ୯ ଦିନରେ ମାଙ୍କ କେଉଁ ସ୍ୱରୂପରେ କେଉଁ ରଙ୍ଗ ଶୁଭ। 

୧) ପ୍ରତିପଦା- ପ୍ରଥମ ଦିନ, କଳସ ସ୍ଥାପନ। ଏହି ଦିନ ମା ଦୁର୍ଗାଙ୍କର ଶୈଳପୁତ୍ରୀ ସ୍ୱରୂପରକୁ ପୂଜା କରାଯାଏ। ପର୍ବତ ରାଜ ହିମାଳୟଙ୍କ ଘରେ ପୁତ୍ରୀ ରୂପେ ଜନ୍ମ ନେବାରୁ ତାଙ୍କୁ ଶୈଳପୁତ୍ରୀ କୁହାଯାଏ। ନବରାତ୍ରିର ପ୍ରଥମ ଦିନରେ ଏହି ଦେବୀଙ୍କୁ ହିଁ ପୂଜା କରାଯାଏ। ଏହି ଦିନରେ କମଳା ରଙ୍ଗ ଶୁଭ। ଯାହା ଖୁସି ଓ ସକରାତ୍ମକତାକୁ ଦର୍ଶାଏ। 

୨) ଦ୍ୱିତୀୟା- ମହାନବରାତ୍ରୀର ଦ୍ୱିତୀୟ ଦିନରେ ମା' ବ୍ରହ୍ମଚାରୀଣିଙ୍କ ଉପାସନା କରାଯାଏ। ମାଆ ଦୁର୍ଗାଙ୍କର ଏହି ସ୍ୱରୂପକୁ ପୂଜା କଲେ ଭକ୍ତଙ୍କୁ ସର୍ବ ସିଦ୍ଧି ଓ ବିଜୟ ଲାଭ ହୋଇଥାଏ। ମାଆ ବ୍ରହ୍ମଚାରୀଣିଙ୍କ ଉପାସନାରୁ ମନୁଷ୍ୟ ମଧ୍ୟରେ ତପସ୍ୟା, ତ୍ୟାଗ, ସଦାଚାର, ଓ ସହନଶୀଳତାର ବୃଦ୍ଧି ହୋଇଥାଏ। ଏହି ଦିନ ସବୁଜ ପୋଷାକର ମହତ୍ତ୍ୱ ରହିଛି। 

୩) ତୃତୀୟା- ଏହିଦିନ ମା'ଙ୍କର ଚନ୍ଦ୍ରଘଣ୍ଟା ସ୍ୱରୂପର ପୂଜା କରାଯାଏ। ଚନ୍ଦ୍ରଘଣ୍ଟାଙ୍କର ପୂଜା କଲେ ଭକ୍ତଙ୍କ ମଧ୍ୟରେ ବୀରତା-ନିର୍ଭୟତା ଓ ବିନମ୍ରତାର ବିକାଶ ହୋଇଥାଏ। ଏହି ଦିନରେ ଧୂସର ରଙ୍ଗର ମହତ୍ତ୍ୱ ରହିଛି। 

୪) ଚତୁର୍ଥୀ- ଏହି ଦିନ ମା’ ଦୁର୍ଗାଙ୍କର କୁଷ୍ମାଣ୍ଡା ସ୍ୱରୂପର ପୂଜା କରାଯାଏ। ନବରାତ୍ରୀର ଚତୁର୍ଥ ଦିନରେ ମା' ନାରଙ୍ଗୀ ରଙ୍ଗର ପୋଷାକ ପିନ୍ଧି କୁଷ୍ମାଣ୍ଡାଙ୍କର ଉପାସନା କଲେ ସମସ୍ତ ଦୁଃଖ, କଷ୍ଟ ଓ ରୋଗ ଦୂର ହେବାସହ ଯଶ, ବଳ ଓ ଆୟୁଷ ବୃଦ୍ଧି ହୋଇଥାଏ।


୫) ପଞ୍ଚମୀ-  ନବରାତ୍ରୀର ପଞ୍ଚମ ଦିନରେ ମା' ସ୍କନ୍ଦମାତାଙ୍କର ପୂଜା କରାଯାଏ। ମାତାଙ୍କର ଉପାସନା ଦ୍ୱାରା ଭକ୍ତର ସମସ୍ତ ମନଷ୍କାମନା ପୂର୍ଣ୍ଣ ହୋଇଥାଏ। ଏହି ଦିନ ସ୍ୱେତ ରଙ୍ଗର ପୋଷାକ ପିନ୍ଧିଲେ ସୁଖ ଓ ଶାନ୍ତି ଅନୁଭବ ହୋଇଥାଏ। ମା' ସ୍କନ୍ଦମାତାଙ୍କର ଭକ୍ତଙ୍କ ପାଇଁ ମୋକ୍ଷର ଦ୍ୱାର ଖୋଲିଯାଏ। 

୬) ଷଷ୍ଠୀ- ଏହିଦିନ ମା'ଙ୍କର କାତ୍ୟାୟନୀ ସ୍ୱରୂପ ପୂଜା ପାଆନ୍ତି। ଶାସ୍ତ୍ର ଅନୁଯାୟୀ ଏହା ମା' ପାର୍ବତୀଙ୍କର ଅନ୍ୟ ନାମ। ମା' କାତ୍ୟାୟନୀଙ୍କୁ ଶ୍ରଦ୍ଧା ଓ ଭକ୍ତିର ସହ ପୂଜା କଲେ ଅର୍ଥ, ଧର୍ମ, କାମ ଓ ମୋକ୍ଷ ୪ଟି ବ୍ରହ୍ମଫଳ ପ୍ରାପ୍ତି ହୋଇଥାଏ। ନାଲି ରଙ୍ଗ ପ୍ରେମ ଓ ଶକ୍ତିର ସ୍ୱରୂପ । ତେଣୁ ଏହି ଦିନ ନାଲି ରଙ୍ଗ ପିନ୍ଧିବା ଭଲ। 

୭) ସପ୍ତମୀ- ମହାନବରାତ୍ରୀର ସପ୍ତମ ଦିନ ଦେବୀ ଦୁର୍ଗାଙ୍କର କାଳରାତ୍ରୀ ସ୍ୱରୂପର ପୂଜା କରାଯାଏ। ମାଆ କାଳରାତ୍ରୀ ବା ମହାକାଳୀଙ୍କର ଉପାସନା କଲେ ମନରେ ସାହସ ଓ ଭୟ ଦୂର ହୋଇଥାଏ। ମା'ଙ୍କ ଆଗମନରେ ସମସ୍ତ ଭୂତ, ପ୍ରେତ, ରାକ୍ଷସ, ପିସାଚର ନାସ ହୋଇଥାଏ। ଫଳରେ ଆପଣଙ୍କ ଘରୁ ସମସ୍ତ ନକାରତ୍ମ ଶକ୍ତି ଦୂର ହୋଇଯାଏ। ଗାଢ୍ ନୀଳ ରଙ୍ଗର ପୋଷାକ ପିନ୍ଧିବା ଭଲ। 

୮) ଅଷ୍ଟମୀ- ଶାରଦୀୟ ନବରାତ୍ରୀର ଅଷ୍ଟମ ଦିନର ପୂଜା ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ଦିନ ଦେବୀ ଦୁର୍ଗାଙ୍କର ମହାଷ୍ଟମୀ ପୂଜା ହୋଇଥାଏ। ଯେଉଁଥିରେ ମା’ଙ୍କର ମହାଗୌରୀ ତଥା ମହିଷାମର୍ଦ୍ଧିନୀ ସ୍ୱରୂପକୁ ପୂଜା କରାଯାଏ। ମହାଗୌରୀଙ୍କ ପୂଜାର୍ଚ୍ଚନା କଲେ ଭକ୍ତ ସମସ୍ତ ପାପରୁ ମୁକ୍ତି ପାଇବା ସହ ସମସ୍ତ ଦୁଃଖ, କଷ୍ଟ ଦୂର ହୋଇଥାଏ। ଏହି ଦି ନ  ଗୋଲାପୀ ପିନ୍ଧିବା ଭଲ। 

୯) ନବମୀ- ମହାନବରାତ୍ରୀର ଶେଷ ଦିନ ତଥା ନବମୀଦିନ ହୋମ ବା ଯଜ୍ଞ କରାଯାଏ। ଯଜ୍ଞ ଶେଷରେ ହୋମ ଅଗ୍ନିରେ କ୍ଷୀର ଢାଳି ନବଗ୍ରଙ୍କୁ ଶାନ୍ତି କରାଯାଏ। ଏହି ଦିନ ବାଇଗେଣ ରଙ୍ଗ ପିନ୍ଧିବା ଭଲ। 

୧୦) ଦଶମୀ- ଏହିଦିନ ଯେଉଁମାନେ ମା’ ଦୁର୍ଗାଙ୍କର ମୂର୍ତ୍ତୀ ସ୍ଥାପନା କରିଥିବେ, ସେ ବିଧିବିଧାନ ସହ ମା’ଙ୍କର ବିସର୍ଜନ କରିବେ। ଏହିଦିନକୁ ବିଜୟା ଦଶମୀ ବା ଦଶହାରା କୁହାଯାଏ।

Also Read- ସମ୍ବଲପୁର ସମଲେଶ୍ବରୀ ମନ୍ଦିରରେ ଭିଡିଓଗ୍ରାଫି ମନା, ନା ହେବ ରିଲ୍ସ ନା ପ୍ରି ଓ୍ବେଡିଂ ଫଟୋସୁଟ୍


  • Durga Puja 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.