ଜୟପୁର ୮।୧୧: ରାଜସ୍ଥାନ ଜୟପୁରରେ ରାମ କଥା କରୁଥିବା ଜଗତଗୁରୁ ରାମବଦ୍ରାଚାର୍ଯ୍ୟ ଶୁକ୍ରବାର କୃଷ୍ଣ ଜନ୍ମଭୂମିକୁ ନେଇ ବଡ଼ ବୟାନ ଦେଇଛନ୍ତି। ପ୍ରବଚନ କାଳରେ ବ୍ୟାସ ଆସନରେ ବସି ସେ କହିଛନ୍ତି ଯେ ‘ଯେଉଁ ପର୍ଯ୍ୟନ୍ତ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ନିଷ୍ପତ୍ତି ନ ହୋଇ ଯାଇଛି ସେ ପର୍ଯ୍ୟନ୍ତ ସେ କୌଣସି କୃଷ୍ଣ ମନ୍ଦିରକୁ ଦର୍ଶନ ନିମନ୍ତେ ଯିବେନି ’। ସେ ସହରର ସବୁଠୁ ପ୍ରଶିଦ୍ଧ କୃଷ୍ଣ ମନ୍ଦିର ଶ୍ରୀ ଗୋବିନ୍ଦ ଦେବ ଜୀଙ୍କ ଦର୍ଶନ ପ୍ରସଙ୍ଗରେ ଏହି କଥା କହିଛନ୍ତି।
ଜୟପୁରର ବିଦ୍ୟାଧର ନଗର ଷ୍ଟାଡିୟମରେ ୯ ଦିବସୀୟ ରାମକଥା ପ୍ରବଚନ ଆୟୋଜନ କରାଯାଇଛି। ଏହି ରାମ କଥା ତୁଳସୀ ପୀଠର ପୀଠାଧିଶ୍ୱର ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ କରୁଛନ୍ତି। ଏହି ପ୍ରବଚନ କାଳରେ ସେ ଶ୍ରୀ ଗୋବିନ୍ଦ ଦେବଜୀଙ୍କ ଦର୍ଶନକୁ ନେଇ କହିଥିଲେ ଯେ ମନ୍ଦିର ଦର୍ଶନ ନିମନ୍ତେ ତାଙ୍କର ମନ ହୋଇଥିଲା। ହେଲେ ପରେ ମନ ବଦଳି ଯାଇଛି। ଏହି ସମୟରେ ସେ ତାଙ୍କ ମନର ସଂକଳ୍ପ କଥା ମଧ୍ୟ କହିଥିଲେ। ସେ ମଞ୍ଚରୁ କହିଥିଲେ ‘ମୁଁ ଗୋବିନ୍ଦ ଦେବଜୀଙ୍କୁ କହି ଦେଇଛି, ଆପଣ ଯେତେ ଚେଷ୍ଟା ବି କରନ୍ତୁ ଯେ ପର୍ଯ୍ୟନ୍ତ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ଉପରେ ବିଜୟ ନ ହୋଇଛି ମୁଁ କୌଣସି କୃଷ୍ଣ ମନ୍ଦିରକୁ ଦର୍ଶନ ନିମନ୍ତେ ଯିବିନି’।
ତୁଳସୀ ପୀଠର ପୀଠାଧିଶ୍ୱର ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ଦୀର୍ଘ ସମୟ ଧରି ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ଆନ୍ଦୋଳନ ସହ ସମ୍ପୃକ୍ତ ଥିଲେ। ଚଳିତବର୍ଷ ଯେତେବେଳେ ରାମ ମନ୍ଦିରର ଉଦଘାଟନ ହେବାର ଥିଲା ସେ ସମୟରେ ଶଙ୍କରାଚାର୍ଯ୍ୟ ମନ୍ଦିରର ଅଧା ନିର୍ମାଣରେ ପ୍ରତିଷ୍ଠାକୁ ବିରୋଧ କରିଥିଲେ। ସେତେବେଳେ ରାମଭଦ୍ରାଚାର୍ଯ୍ୟ କହିଥିଲେ ଶଙ୍କରାଚାର୍ଯ୍ୟ କେବେବି ରାମନ୍ଦିର ଆନ୍ଦୋଳନରେ ସମ୍ପୃକ୍ତ ନଥିଲେ। ସେ ରାମ ମନ୍ଦିରର ଉଦଘାଟନକୁ ଗୌରବର ମୂହୁର୍ତ୍ତ ବୋଲି କହିଥିଲେ ଓ ନିଜେ ଏହି ଉତ୍ସବରେ ସାମିଲ ହୋଇଥିଲେ।