ହରିୟାଣାରେ ନିରାଶ, ଜାମ୍ମୁ କାଶ୍ମୀରରେ ଆପ୍ ପାଇଁ ଖାତା ଖୋଲିଲେ ହେମରାଜ

Published By : Prameya-News7 Bureau | October 08, 2024 IST

ନୂଆଦିଲ୍ଲୀ: ହରିୟାଣା ଏବଂ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପରିଣାମ ଏକ ପ୍ରକାର ସ୍ପଷ୍ଟ ହୋଇସାରିଛି । ହରିୟାଣାରେ ବିଜେପି ହ୍ୟାଟ୍ରିକ୍ ଆଡ଼କୁ ବଢୁଥିବା ବେଳେ ଜାମ୍ମୁ କାଶ୍ମୀରରେ କଂଗ୍ରେସ-ଏନସି ମେଣ୍ଟ ବହୁମତ ହାସଲ କରୁଥିବା ନଜର ଆସୁଛି । ତେବେ ଏହାରି ଭିତରେ ଜାମ୍ମୁ କାଶ୍ମୀରରେ ଆମ ଆଦମୀ ପାର୍ଟି ନିଜ ଖାତା ଖୋଲିଛି । ପାର୍ଟିର ୩୬ ବର୍ଷୀୟ ପ୍ରାର୍ଥୀ ମେହରାଜ ମଲିକ ଡୋଡ଼ା ଆସନରୁ ନିର୍ବାଚିତ ହୋଇଛନ୍ତି । ସେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀଙ୍କୁ ୪୫୩୮ରୁ ଅଧକ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ୨୦୧୪ରେ ଏହି ଆସନ ବିଜେପି ପାଖରେ ଥିଲା । ଏହା ପୂର୍ବରୁ ଏହି ଆସନ କଂଗ୍ରେସ ହାତରେ ରହିଥିଲା । 

ଜିଲ୍ଲା ବିକାଶ ପରିଷଦ (ଡିଡିସି) ସଦସ୍ୟ ମେହରାଜ ମଲିକଙ୍କୁ ଆମ୍ ଆଦମୀ ପାର୍ଟି ଡୋଡା ଆସନରୁ ମୈଦାନକୁ ଓହ୍ଲାଥିଲା । ନିର୍ବାଚନରେ ମେହରାଜଙ୍କୁ ୨୩,୨୨୮ ଭୋଟ୍ ମିଳିଥିବା ବେଳେ ବିଜେପିର ଗଜୟ ରାଣାଙ୍କୁ କେବଳ ୧୮୬୯୦ ଭୋଟ୍ ମିଳିଛି । ଏହାଛଡ଼ା ନ୍ୟାସନାଲ କନଫରେନ୍ସିର ନେତା ଏବଂ ପୂର୍ବତନ ମନ୍ତ୍ରୀ ଖାଲିଦ ନଜୀବ ସୁହରବର୍ଦୀଙ୍କୁ ୧୩୩୩୪ ଏବଂ ଡିପିଏପି ୧୦,୦୨୭ ଭୋଟ ମିଳିଛି । କଂଗ୍ରେସ ପ୍ରାର୍ଥୀ ରିୟାଜ ଅହମ୍ମଦ ୪୧୭୦ ଭୋଟ୍ ପାଇ ପଞ୍ଚମ ସ୍ଥାନରେ ରହିଛନ୍ତି ।

ମେହରାଜ ମଲିକ ଚଳିତ ବର୍ଷ ଆରମ୍ଭରେ ଉଧମପୁର ନିର୍ବାଚନ କ୍ଷେତ୍ରରୁ ଲୋକସଭା ନିର୍ବାଚନ ଲଢିଥିଲେ, କିନ୍ତୁ ସେ ପରାଜିତ ହୋଇଥିଲେ । ଚଳିତ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ୯୦ ଆସନ କ୍ଷେତ୍ରରୁ କେବଳ ୭ ଆସନରେ ପ୍ରାର୍ଥୀ ଓହ୍ଲାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.