ନୂଆଦିଲ୍ଲୀ ୯।୧୨: ଆମ ଆଦମୀ ପାର୍ଟି (ଆପ) ଦିଲ୍ଲୀ ବିଧାନସଭା ନିର୍ବାଚନ ନିମନ୍ତେ ସୋମବାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ପାର୍ଟିର ଅନେକ ପୁରୁଣା ବିଧାୟକ ବାଦ ପଡିଛନ୍ତି। ପାର୍ଟି ଏହି ବିଧାୟକଙ୍କ ବିପକ୍ଷରେ ନୂଆ ଚେହେରା ଓ ଅନ୍ୟ ନେତାଙ୍କୁ ପ୍ରାର୍ଥୀ କରିଛି। ପାର୍ଟିର ଏପରି ପଦକ୍ଷେପରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ନିର୍ବାଚନମଣ୍ଡଳି ବଦଳି ଯାଇଛି। ତେବେ ଆସନ୍ତୁ ଜାଣିବା କାହାର କଟିଛି ଟିକେଟ ବଦଳିଛି କାହାର ନିର୍ବାଚନମଣ୍ଡଳି?
ଆପ ଦ୍ୱିତୀୟ ପ୍ରାର୍ଥୀ ତାଲିକାରେ ଯମୁନା ସେପାରେ ଥିବା ୩ଟି ବିଧାନସଭା ନିର୍ବାଚନମଣ୍ଡଳିରେ ନିଜ ପୁରୁଣା ବିଧାୟକଙ୍କ ଟିକେଟ୍ କାଟିଛି। ସେହିପରି ଦଳର ମଜଭୁତ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ନିର୍ବାଚନମଣ୍ଡଳି ବଦଳାଇଛି। ସିସୋଦିଆଙ୍କୁ ତାଙ୍କ ପାରମ୍ପରିକ ଆସନ ପତପଡ ଗଞ୍ଜ ବଦଳେ ଏଥର ଜଙ୍ଗପୁରାରୁ ନିର୍ବାଚନ ଲଢିବେ। ଗତ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ରବିନ୍ଦ୍ର ଓରଫ ରବି ନେଗୀ ସିସୋଦିଆଙ୍କୁ ଏଠାରେ ଜୋରଦାର ଟକ୍କର ଦେଇଥିଲେ।
ଏହା ଛଡା ଚଳିତ ବିଧାନସଭାରେ ସିସୋଦିଆଙ୍କୁ ଅବକାରୀ ନୀତି ମାମଲାରେ ଅଧିକାଂଶ ସମୟ ଜେଲରେ ବିତାଇବାକୁ ପଡିଥିଲା। ଏଣୁ ସେ ନିଜ ନିର୍ବାଚନମଣ୍ଡଳି ପ୍ରତି ଧ୍ୟାନ ଦେଇ ପାରିନାହାନ୍ତି। ଏଥିପାଇଁ ପାର୍ଟି ତାଙ୍କ ନିର୍ବାଚନମଣ୍ଡଳି ପରିବର୍ତ୍ତନ କରିଛି। ପାର୍ଟି ତ୍ରିଲୋକପୁରୀରୁ ରୋହିତ ମହାରୋଲିଆଙ୍କ ଟିକେଟ୍ କାଟିଛି। ତାଙ୍କ ସ୍ଥାନରେ ପୂର୍ବତନ କାଉନସିଲର ଅଞ୍ଜନା ପାର୍ଚାଙ୍କୁ ଟିକେଟ୍ ଦେଇଛି। ଅଞ୍ଜନା ପୂର୍ବରୁ କଂଗ୍ରେସରେ ଥିଲେ। ଆପ ରୋହିତଙ୍କୁ କାଉନସିଲର ଥିବା ବେଳେ ଟିକେଟ ଦେଇଥିଲା ଓ ସେ ବିଧାୟକ ନିର୍ବାଚିତ ହୋଇଥିଲେ।
ସେହିପରି ମୁସ୍ତଫାବାଦ ବିଧାୟକ ହାଜି ୟୁନୁସଙ୍କ ଟିକେଟ୍ ମଧ୍ୟ କଟିଛି। ପାର୍ଟି ଏଠାରେ ପୂର୍ବତନ ସାମ୍ବାଦିକ ତଥା ପ୍ରଦେଶ ମୁଖପାତ୍ର ଆଦିଲ ଖାନଙ୍କୁ ପ୍ରାର୍ଥୀ କରିଛି। ଆଦିଲ ଏକ ନ୍ୟୁଜ୍ ଏଜେନ୍ସୀରେ ରିପୋର୍ଟର ଥିଲେ। ସେ ସାମ୍ବାଦିକତା ଛାଡି ଆପରେ ଯୋଗ ଦେଇଥିଲେ। ଆଦିଲ ଏବେ ପାର୍ଟି ମୁଖପାତ୍ର ଅଛନ୍ତି ଓ ଆଜାଦପୁର ମଣ୍ଡିର ଚେୟାରମ୍ୟାନ ମଧ୍ୟ ଥିଲେ। ସେହିପରି ଗତ ନିର୍ବାଚନରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିରଣ ବେଦୀଙ୍କୁ ହରାଇଥିବା ଏସ.କେ.ବଗ୍ଗାଙ୍କ ଟିକେଟ ମଧ୍ୟ କଟିଛି। ସେ ଲଗାତାର ଦୁଇ ଥର କୃଷ୍ଣ ନଗରରୁ ବିଧାୟକ ନିର୍ବାଚିତ ହେଲେଣି। ତାଙ୍କ ସ୍ଥାନରେ ପୁଅ ବିକାଶ ବଗ୍ଗାଙ୍କୁ ପ୍ରାର୍ଥୀ କରାଯାଇଛି।
ଗାନ୍ଧିନଗର ସିଟରୁ ଆପ ପୁଣି ଥରେ ନବୀନ ଓରଫ ଦୀପୁଙ୍କୁ ପ୍ରାର୍ଥୀ କରିଛି। ଗତ ବିଧାନସଭା ନିର୍ବାଚନରେ ଦୀପୁ ବିଜେପି ପ୍ରାର୍ଥୀ ଅନୀଲ କୁମାର ବାଜପେୟୀଙ୍କ ଠାରୁ ପରାସ୍ତ ହୋଇଥିଲେ। ଏହା ପୂର୍ବରୁ ଆପ ୧୧ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିଥିଲା। ଏଥିରେ ପାର୍ଟି ୬ଟି ଆସନରେ ଅନ୍ୟଦଳରୁ ଆସିଥିବା ଲୋକଙ୍କୁ ଟିକେଟ୍ ଦେଇଥିଲା।