ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପାଞ୍ଜିକାର ମାନଙ୍କୁ ନେଇ ଏକ ସମୀକରଣ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିରରେ ପାଳନ ହେବାକୁଥିବା ବିଭିନ୍ନ ପର୍ବପର୍ବାଣି ଓ ଯାନି ଯାତ୍ରା ତ୍ରୁଟି ଶୂନ୍ୟ ସୂଚନା ସମସ୍ତ ପାଞ୍ଜିରେ ପ୍ରକାଶନହେବ ସେନେଇ ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଅନୁମୋଦିତ ଶ୍ରୀମନ୍ଦିରର ସମସ୍ତ ପର୍ବପର୍ବାଣୀ ଓ ଯାନିଯାତ୍ରା ତ୍ରୁଟିପୂର୍ଣ୍ଣ ଭାବରେ ପାଞ୍ଜିକାର ମାନେ ପ୍ରକାଶ କଲେ ଶ୍ରୀମନ୍ଦିର ପ୍ରଶାସନର ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ପାଞ୍ଜି ସମୀକରଣ ବୈଠକକୁ ସ୍ବାଗତ କରିଛନ୍ତି ପାଞ୍ଜିକାର। ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ପାଞ୍ଚୋଟି ପାଞ୍ଜି ପ୍ରକାଶନୀ ସଂସ୍ଥା ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଶ୍ରୀମନ୍ଦିରରେ ପାଳନ ହେବାକୁଥିବା ବିଭିନ୍ନ ପର୍ବପର୍ବାଣି ଓ ଯାନି ଯାତ୍ରାର ସୂଚନା ବିଭିନ୍ନ ପଞ୍ଜିକାରେ କିଭଳି ତ୍ରୁଟି ଶୂନ୍ୟ ଭାବେ ପ୍ରକାଶିତ ହେବ ସେନେଇ ଏକ ସ୍ବତନ୍ତ୍ର ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପାଞ୍ଚୋଟି ପାଞ୍ଜି ପ୍ରକାଶନ କରୁଥିବା ସଂସ୍ଥାର ପ୍ରକାଶକ ଓ ପାଞ୍ଜିକାର ଏହି ବୈଠକରେ ଯୋଗ ଦେଇଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱୀକୃତି ଦିଆଯାଇଥିବା ପାଞ୍ଚୋଟି ପାଞ୍ଜି ପ୍ରକାଶନ ସଂସ୍ଥା ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଅନୁମୋଦିତ ଶ୍ରୀମନ୍ଦିରର ସମସ୍ତ ପର୍ବପର୍ବାଣୀ ଓ ଯାନିଯାତ୍ରା ସମ୍ପର୍କରେ ପାଞ୍ଜି ଗୁଡ଼ିକରେ ପ୍ରକାଶିତ କରିବେ।
କୋହେନୂର, ରାଧାରମଣ, ଭାଗ୍ୟଦୀପ, ଜିଏନ୍ ତ୍ରିପାଠୀ, ଅରୁଣୋଦୟ ପ୍ରକାଶନୀ ସଂସ୍ଥା ପକ୍ଷରୁ ଆଗାମୀ ଦିନରେ ବଜାରରେ ଉପଲବ୍ଧ ହେବାକୁ ଥିବା ପଞ୍ଜିକାରେ ଶ୍ରୀମନ୍ଦିରର ସମସ୍ତ ପର୍ବପର୍ବାଣୀ ଓ ଯାନିଯାତ୍ରା ସମ୍ପର୍କିତ ସମସ୍ତ ସୂଚନା ଓ ତଥ୍ୟ ପ୍ରକାଶ କରାଯିବ। ତେବେ କୌଣସି ପାଞ୍ଜି ପ୍ରକାଶନ ସଂସ୍ଥା ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଅନୁମୋଦିତ ଶ୍ରୀମନ୍ଦିରର ପର୍ବପର୍ବାଣୀ ଓ ଯାନିଯାତ୍ରା ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ କଲେ ଶ୍ରୀମନ୍ଦିରର ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ସେପଟେ ଶ୍ରୀମନ୍ଦିରରେ ପାଳନ ହେବାକୁଥିବା ସମସ୍ତ ପର୍ବପର୍ବାଣୀ ଓ ଯାନିଯାତ୍ରା ସମ୍ବନ୍ଧରେ ତ୍ରୁଟି ଶୂନ୍ୟ ତଥ୍ୟ ଦେବା ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ସ୍ୱତନ୍ତ୍ର ବୈଠକକୁ ପାଞ୍ଜିକାର ମାନେ ସ୍ବାଗତ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ସ୍ୱୀକୃତି ପ୍ରାପ୍ତ ରାଧାରମଣ, କୋହେନୂର, ଜିଏନ୍ ତ୍ରିପାଠୀ, ଅରୁଣୋଦୟ ଓ ଭାଗ୍ୟଦୀପ ପଞ୍ଜିକାରେ ପ୍ରକାଶିତ ଶ୍ରୀମନ୍ଦିରର ପର୍ବପର୍ବାଣୀ ଦିବସକୁ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପାଳନ କରିବାକୁ ପଞ୍ଜିକାର, ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣି ଓ ଯାନି ଯାତ୍ରା ପାଳନ ହେଉଥିବା ଦିବସକୁ ନେଇ ବିଭିନ୍ନ ପାଞ୍ଜି ଏବଂ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ତଥ୍ୟ ରହୁଛି। ଯାହା ଫଳରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବିଭ୍ରାନ୍ତ ହେଉଛନ୍ତି। ତେବେ ଏହାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ପରେ ବିଭିନ୍ନ ପାଞ୍ଜିର ସମୀକରଣକୁ ତ୍ରୁଟି ଶୂନ୍ୟ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ବିଭିନ୍ନ ପାଞ୍ଜି ପ୍ରକାଶନୀ ସଂସ୍ଥା ପାଞ୍ଜିକାର ଏବ ଗଣନାକାରୀଙ୍କ ଠାରୁ ଚଳିତ ବର୍ଷର ପାଣ୍ଡୁଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିବା ପାଇଁ ଅନୁରୋଧ କରାଯାଇଥିଲା। ତେବେ ମୋଟ ପାଞ୍ଚୋଟି ପାଞ୍ଜି ପ୍ରକାଶନୀ ସଂସ୍ଥା ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଅନୁଷ୍ଠିତ ହୋଇଥିବା ପାଞ୍ଜି ସମୀକରଣ ବୈଠକରେ ସାମିଲ ହୋଇଥିଲେ। ମୁକ୍ତିମଣ୍ଡପ ପଣ୍ଡିତ ସଭାର କର୍ମକର୍ତ୍ତା, ପୂଜାପଣ୍ଡା ନିଯୋଗ ସହ ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧି, ଶ୍ରୀମନ୍ଦିର ଜ୍ୟୋତିଷ ଓ ବିଭିନ୍ନ ପାଞ୍ଜି ପ୍ରକାଶନୀ ସଂସ୍ଥାର ପ୍ରକାଶକ, ପାଞ୍ଜିକାର ଓ ଗଣନାକାରୀ ଏହି ବୈଠକରେ ଉପସ୍ଥିତ ରହି ସମସ୍ତ ତିଥି ନକ୍ଷତ୍ର ଅନୁସୀଳନ କରି ଚଳିତ ବର୍ଷର ବିଭିନ୍ନ ପର୍ବପର୍ବାଣି ସମ୍ବନ୍ଧରେ ଆଲୋଚନା କରିଥିଲେ। ତେବେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା, ବିଭିନ୍ନ ସେବାୟତ ନିଯୋଗର ମତାମତ ଓ ଶ୍ରୀମନ୍ଦିର ପରମ୍ପରାକୁ ନିଆଯାଇ ଯେଉଁ ଗଣନା କରାଯାଇଛି ତାହା ଚଳିତ ବର୍ଷ ବିଭିନ୍ନ ପଞ୍ଜିକାରେ ଉଲ୍ଲେଖ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
ବିଭିନ୍ନ ପାଞ୍ଜି ଏବଂ କ୍ୟାଲେଣ୍ଡରରେ ବିଭିନ୍ନ ପର୍ବପର୍ବାଣି ପାଳନକୁ ନେଇ ବିଭ୍ରାନ୍ତିକର ତଥ୍ୟ ଆସୁଥିବାରୁ ଏହାକୁ ନେଇ ଜନସାଧାରଣ ଅଡ଼ୁଆରେ ପଡ଼ୁଛନ୍ତି। ତେବେ ଜନସାଧାରଣ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ସ୍ଵିକୃତ ପାଞ୍ଜି ଗୁଡିକୁ ଅନୁସରଣ କରିବା ପାଇଁ ପାଞ୍ଜିକାରଙ୍କ ସହ ସେବାୟତ ମାନେ ମତ ରଖିଛନ୍ତି।