ମୁମ୍ବାଇ ୨୧।୧୧: ଆଦାନୀ ସମୂହ ଲାଗି୨୧ ନଭେମ୍ବର ଗୁରୁବାର ଏକ ଦୁର୍ଯୋଗର ଦିନ ସାବ୍ୟସ୍ତ ହୋଇଛି। ଗୋଟିଏପଟେ ଆମେରିକୀୟ କୋର୍ଟ ଆଦାନୀଙ୍କ ଉପରେ ଲାଞ୍ଚ ଓ ଠକେଇ ଅଭିଯୋଗ ଆଣିଥିବା ବେଳେ ଭାରତୀୟ ସେୟାର ବଜାରରେ ଆଦାନୀ ସମୂହର ସେୟାର ମୂଲ୍ୟରେ ଭାରି ହ୍ରାସ ଦେଖାଯାଇଛି। ସମୂହର ଲିଷ୍ଟେଡ କମ୍ପାନୀଙ୍କ ସେୟାରରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ରେକର୍ଡ କରାଯାଇଛି, ଫଳରେ ନିବେଶକଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି।
ଗୁରୁବାର ସେୟାର ବଜାର ଖୋଲିବାମାତ୍ରେ ଆଦାନୀ ସମୂହଙ୍କ କମ୍ପାନୀମାନଙ୍କ ସେୟାରରେ ହ୍ରାସ ଆରମ୍ଭ ହୋଇଯାଇଥିଲା। ସବୁଠୁ ଅଧିକ ହ୍ରାସ ଆଦାନୀ ଏନର୍ଜୀ ସଲ୍ୟୁସନସ୍ ସେୟାରରେ ଦେଖିବାକୁ ମିଳିଛି। ଏହି କମ୍ପାନୀର ସେୟାର ମୂଲ୍ୟରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ସହ ୬୯୭.୭୦ ଟଙ୍କାକୁ ଖସି ଆସିଛି। ଫଳରେ ଷ୍ଟକରେ ଲୋଅର ସର୍କିଟ ଲାଗି ଯାଇଛି। ଲୋଅର ସର୍କିଟ ଲାଗିଯିବାର ଅର୍ଥ ଏହି ହ୍ରାସ ପରେ ସେୟାରରେ ଆଉ କାରବାର ହୋଇ ପାରିବ ନାହିଁ।
ନିକଟରେ ଆଦାନୀ ଏନର୍ଜୀ ସଲ୍ୟୁସନସ୍ ସେୟାର ବେଶ ଭଲ ପ୍ରଦର୍ଶନ କରିଥିଲା। କେବଳ ଏନର୍ଜୀ ସଲ୍ୟୁସନସ୍ ନୁହେଁ ଆଦାନୀ ଏଣ୍ଟରପ୍ରାଇଜେସ ସେୟାରରେ ମଧ୍ୟ ୧୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି। ଫଳରେ ସେୟାର ମୂଲ୍ୟ ୨,୫୩୯ ଟଙ୍କାକୁ ଖସି ଲୋଅର ସର୍କିଟକୁ ଚାଲି ଯାଇଛି। ଏହା ଛଡା ଆଦାନୀ ପୋର୍ଟସ୍ ସେୟାର ମୂଲ୍ୟରେ ମଧ୍ୟ ୧୦ ପ୍ରତିଶତ ହ୍ରାସ ହୋଇଛି। ଫଳରେ ସେୟାର ମୂଲ୍ୟ ୧,୧୬୦ ଟଙ୍କାରେ କାରବାର କରୁଛି।
ସେହିପରି ଆଦାନୀ ପାୱାର ଓ ଅମ୍ବୁଜା ସିମେଣ୍ଟ ସେୟାରରେ ଯଥାକ୍ରମେ ୧୬ ଓ ୧୦ ପ୍ରତିଶତ ହ୍ରାସ ହୋଇଛି। ଯାହା ନିବେଶକଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ଆଦାନୀ ଟୋଟାଲ ଗ୍ୟାସ୍ ଓ ଏସିସି ସେୟାରରେ ମଧ୍ୟ ହ୍ରାସ ହୋଇଥିବା ବେଳେ ଆଦାନୀ ଗ୍ରୀନ ଏନର୍ଜୀ ସେୟାରରେ ୧୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି ଓ ଏହା ୧,୧୫୯ ଟଙ୍କାକୁ ପହଞ୍ଚି ଯାଇଛି। ଆଦାନୀ ଟୋଟାଲ ଗ୍ୟାସ୍ ସେୟାର ପ୍ରାଇସରେ ୧୪ ପ୍ରତିଶତ ହ୍ରାସ ହୋଇଥିବା ବେଳେ ୫୭୭.୮୦ ଟଙ୍କାକୁ ପହଞ୍ଚି ଯାଇଛି। ଏସିସି ସେୟାର ମୂଲ୍ୟରେ ୧୦ ପ୍ରତିଶତ ହ୍ରାସ ହୋଇଛି। ଏଣୁ ଏହି ସେୟାର ଏବେ ୧୯୬୬.୫୫ ଟଙ୍କାକୁ ପହଞ୍ଚିଥିବା ବେଳେ ଲୋଆର ସର୍କିଟ ଲାଗିଯାଇଛି।
ଆଦାନୀ ୱିଲମର ସେୟାର ୮ ପ୍ରତିଶତ ହ୍ରାସ ହୋଇ ୩୦୧ ଟଙ୍କା ହୋଇଯାଇଛି। ଆମେରିକାରେ ଆଦାନୀ ସମୂହ ଚେୟାରମ୍ୟାନ ଗୌତମ ଆଦାନୀଙ୍କ ବିରୋଧରେ ଲାଞ୍ଚ ଓ ଠକେଇର ଗୁରୁତର ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ନିବେଶକ ଆଦାନୀ ସମୂହଙ୍କ ସେୟାରରୁ ପଇସା ବାହାର କରିବା ଆରମ୍ଭ କରିଦେଇଛନ୍ତି। ଏଣୁ କମ୍ପାନୀ ସେୟାର ମୂଲ୍ୟରେ ହ୍ରାସ ଦେଖଦେଇଛି।