କୁନି ବିନ୍ଧାଣୀଙ୍କୁ ମିଳିଲା ସହାୟତା, ଖୁବଶୀଘ୍ର ମିଳିବ ଘର ସହ ରାସନ କାର୍ଡ !

Published By : Prameya-News7 Bureau | January 21, 2025 IST

ଭଦ୍ରକ ୨୧।୦୧ : କୁନିଙ୍କୁ ମିଳିଲା ସହାୟତା । ଚିକିତ୍ସା ସାଙ୍ଗକୁ ମହିଳାଙ୍କୁ ମିଳିବ ବିଭିନ୍ନ ସରକାରୀ ସୁବିଧା । ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ, ଯୋଗାଣ ଅଧିକାରୀ, ପୌରପାଳିକର ଅଧିକାରୀ ପହଞ୍ଚି ଅସହାୟ କୁନି ବିନ୍ଧାଣୀଙ୍କୁ ସହାୟତାର ହାତ ବଢାଇଛନ୍ତି । ଯାହାକୁ ନେଇ ପୁରା ଗାଁରେ ଖେଳିଯାଇଛି ଖୁସିର ମାହୋଲ । 

ଭଦ୍ରକ ଜିଲ୍ଲା ଭଦ୍ରକ ପୌରପାଳିକ ଚରମ୍ପା କୁଶଲେଶ୍ୱର ନଗରର ବାସିନ୍ଦା କୁନି ବିନ୍ଧାଣୀ । ୪୫ ବର୍ଷ ବୟସରେ ସ୍ୱାମୀଙ୍କ ମାଡ଼ରେ ପଙ୍ଗୁ ହୋଇଯାଇଥିଲେ। ଟଙ୍କାର ଅଭାବ ଲାଗି କୁନିଙ୍କର ହୋଇପାରିଲାନି ଉନ୍ନତମାନର ଚିକିତ୍ସା । ମୁଣ୍ଡ ଗୁଞ୍ଜିବାକୁ ଘରେ ଖଣ୍ଡେ ବି ନଥିଲା । ଜରିପାଲ ତଳେ ବିତୁଥିଲା କୁନିଙ୍କ ଜୀବନ । ପାଖରେ ନଥିଲା ରାସନ କାର୍ଡ । ଏ ସମସ୍ତ ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ଯାହାପରେ ଆକ୍ସନକୁ ଆସିଛି ପ୍ରଶାସନ । 

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ, ପୌରପାଳିକା କାର୍ଯ୍ୟନିର୍ବାହୀ କୁନିଙ୍କୁ ସହାୟତାର ନିର୍ଦ୍ଦେଶ ଦେଇଛନ୍ତି। କୁନିଙ୍କର କୌଣସି ବ୍ୟାଙ୍କ ଖାତା ନଥିବାରୁ ସଂପର୍କୀୟଙ୍କ ଖାତା ୧୦ ହଜାର ଟଙ୍କାର ସହାୟତା ରାଶି ପଠାଇଛନ୍ତି ଜିଲ୍ଲାପାଳ । ଏହାସହିତ କିଛି ଖାଦ୍ୟ ସାମଗ୍ରୀ ଏବଂ ଶୀତ ବସ୍ତ୍ର ମଧ୍ୟ ପ୍ରଦାନ କରାଯାଇଛି । ଏହାବ୍ୟତୀତ ଜିଲ୍ଲା ଯୋଗାଣ ଅଧିକାରୀ ଗୋଟିଏ ବସ୍ତା ଚାଉଳ ଦେବା ପାଇଁ ପ୍ରତିଶୃତି ଦେବା ସହ ଆଗାମୀ ଦିନରେ ରାସନ କାର୍ଡ କିମ୍ବା ଅନ୍ତର୍ଦୋୟ କାର୍ଡ କରିବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ଜିଲ୍ଲାପାଳ କୁନିଙ୍କର ଚିକିତ୍ସା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ଆବାସ ଯୋଜନାରେ କୁନିଙ୍କୁ ସାମିଲ କରିବାକୁ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ।  

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.