ଆଫଗାନିସ୍ତାନ ବିପକ୍ଷରେ ହେବ ପରିବର୍ତ୍ତନ, ଏହି ୧୧ ଜଣ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇବେ ରୋହିତ !

Published By : Prameya-News7 Bureau | June 20, 2024 IST

livehindustan

ନୂଆଦିଲ୍ଲୀ: ଆଜି ଟି-୨୦ ବିଶ୍ଵକପ୍‌ର ସୁପର-୮ରେ ଆଫଗାନିସ୍ତାନ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ ଭାରତ। ଏହି ମୁକାବିଲା ବାର୍ବାଡୋସର କେନିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଭାରତୀୟ ସମୟ ରାତି ୮ଟାରେ ଖେଳାଯିବ। ତେବେ ଆଜିର ମ୍ୟାଚରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶ କେମିତି ରହିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଲିଗ୍ ପର୍ଯ୍ୟାୟରେ ଖେଳିଥିବା ୩ ମ୍ୟାଚରେ ଦଳ ସମାନ ଚୂଡାନ୍ତ ଏକାଦଶକୁ ମଇଦାନକୁ ଓହ୍ଲାଇଥିଲା । ମାତ୍ର ଏବେ ପରିସ୍ଥିତି ବଦଳି ସାରିଛି ଏବଂ ଦଳ ଆଗରେ ଅନେକ ଆହ୍ଵାନ ରହିଛି। କାରଣ ବିଶ୍ୱକପ୍‌ର ଲିଗ୍ ପର୍ଯ୍ୟାୟ ଆମେରିକାରେ ସରିବା ପରେ ୱେଷ୍ଟଇଣ୍ଡିଜକୁ ଆସି ସାରିଛି । ଏଠାକାର ପରିବେଶ ଏବଂ ପିଚ୍ ଭିନ୍ନ ରହିଛି । ତେଣୁ ରୋହିତ ଶର୍ମା ଚୂଡାନ୍ତ ଏକାଦଶରେ ଗୋଟିଏ କି ଦୁଇଟି ପରିବର୍ତ୍ତନ କରି ପାରନ୍ତି ।

Also read: ଟି-୨୦ ୱାର୍ଲକପ ଭିତରେ ଆସିଲା ବଡ଼ ଖବର, ଆତ୍ମହତ୍ୟା କଲେ କ୍ରିକେଟର

ୱେଷ୍ଟଇଣ୍ଡିଜର ପିଚ୍ ସର୍ବଦା ସ୍ପିନରଙ୍କ ପାଇଁ ବେଶ ଅନୁକୂଳ ରହି ଆସିଛି । ଏହି କାରଣରୁ ଦଳଗୁଡିକ ଅତି କମରେ ଦୁଇ ଜଣ ସ୍ପିନରଙ୍କୁ ଖେଳାଇଥାନ୍ତି। ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ ରୂପେ ଦୁଇ ଜଣ ସ୍ପିନର ଅଛନ୍ତି । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ପରି ଦ୍ରୁତ ବୋଲର ଅଲରାଉଣ୍ଡର ଦଳରେ ଥିବାରୁ ଭାରତ ପାଖରେ ତୃତୀୟ ସ୍ପିନରଙ୍କୁ ଖେଳାଇବାର ବିକଳ୍ପ ରହିଛି । ଏମିତି ସ୍ଥିତିରେ ରୋହିତ ଶର୍ମା ମହମ୍ମଦ ସିରାଜ କିମ୍ବା ଅର୍ଶଦୀପ ସିଂଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ଦେଇ କୁଲଦୀପ ଯାଦବଙ୍କୁ  ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦେଇ ପାରନ୍ତି । କୁଲଦୀପ ଖେଳିଲେ ଦଳରେ ସ୍ପିନ ବିଭାଗରେ ବିବିଧତା ଆସିବ।

ଏ ପର୍ଯ୍ୟନ୍ତ ଭାରତୀୟ ଦଳ ତିନି ବିଶେଷଜ୍ଞ ଦ୍ରୁତ ବୋଲର ସହ ଖେଳି ଆସିଛି। ତେଣୁ ଏବେ ଆଉ ଜଣେ ସ୍ପିନରଙ୍କୁ ଦଳ ସୁଯୋଗ ଦେଇପାରେ। ଏହା ବାଦ୍ ଭାରତୀୟ ଦଳରେ କୌଣସି ପ୍ରକାରର ପରିବର୍ତ୍ତନର ସମ୍ଭାବନା ନାହିଁ । ବିରାଟ କୋହଲି ଓ ରୋହିତ ଶର୍ମା ଇନିଂସ ଓପନ କରିବେ । ଏହା ପରେ ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ ନିଜ କ୍ରମରେ ବ୍ୟାଟିଂ କରିବେ। ୬ ନମ୍ବରରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ୭ ନମ୍ବରରେ ରବୀନ୍ଦ୍ର ଜାଡେଜା ରହିବେ । 

 ସମ୍ଭାବିତ ଭାରତୀୟ ଦଳ ଏକାଦଶ

ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ(ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ । 

 ସମ୍ଭାବିତ ଆଫଗାନିସ୍ତାନ ଦଳ ଏକାଦଶ

ରେହମନତୁଲ୍ଲା ଗୁରବାଜ(ଓ୍ଵିକେଟ୍ କିପର), ଇବ୍ରାହିମ ଜାରଦାନ, ଗୁଲବଦୀନ ନାଇବ, ଅଜମତୁଲ୍ଲା ଉମରଜାଇ, ମହମ୍ମଦ ନବି, ନଜିବୁଲ୍ଲା ଜାରଦାନ, କରୀମ ଜନତ, ରଶିଦ ଖାନ(ଅଧିନାୟକ), ନୁର ଅହମ୍ମଦ, ନବୀନ ଉଲ ହକ, ଫଜଲହକ ଫାରୁକି। 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.