ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ; ଅକ୍ଷର-କୁଳଦୀପଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା, ବର୍ଷା ଆଶଙ୍କା

Published By : Prameya-News7 Bureau | September 27, 2024 IST

କାନପୁର, ୨୭/୯: ଆଜିଠୁ ଭାରତ ଓ ବାଂଲାଦେଶ ଦ୍ବିତୀୟ ବା ଅନ୍ତିମ ଟେଷ୍ଟ । ୩ବର୍ଷ ପରେ ଗ୍ରୀନ୍‌ ପାର୍କ ଷ୍ଟାଡ଼ିୟମ୍‌କୁ ଟେଷ୍ଟ କ୍ରିକେଟ୍‌ ଫେରିଛି । ଦୁଇ ଦଳ ଗତ ୩ଦିନ ଧରି ଏଠାରେ ଜୋରଦାର ଅଭ୍ୟାସ କରିବା ପରେ ପିଚ୍‌ ଓ ସ୍ଥାନୀୟ ଜଳବାୟୁକୁ ଦେଖି ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରଥମ ଟେଷ୍ଟକୁ ୨୨୮ ରନ୍‌ରେ ଜିତିବା ପରେ ଭାରତର ଏହି ମ୍ୟାଚକୁ ଜିତି କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିଛି । ବାଂଲାଦେଶ ମଧ୍ୟ କଡ଼ା ଟକ୍କର   ଦେବାକୁ ପ୍ରସ୍ତୁତ । ଭାରତର ଏହା ସବୁଠୁ ସଫଳ ଟେଷ୍ଟ କ୍ରିକେଟ୍‌  ଗ୍ରାଉଣ୍ଡ । ଏଠାରେ ଭାରତ ୨୩ଟି ଟେଷ୍ଟ ଖେଳିଛି ଓ ୭ଟିରେ ବିଜୟ ହାସଲ କରିଛି । ୩ଟି ଟେଷ୍ଟରେ ଦଳ ପରାଜିତ ହୋଇଥିବାବେଳେ ବାକି ୧୩ଟି ଟେଷ୍ଟ ଡ୍ର’ ରହିଛି । 

ମୋଟ୍‌ ଉପରେ କହିବାକୁ ଗଲେ  ୧୯୮୩ ପରଠୁ ଭାରତ ଏହି ଗ୍ରାଉଣ୍ଡ୍‌ରେ କୌଣସି ଟେଷ୍ଟ ହାରି ନାହିଁ । ଶେଷ ଥର ପାଇଁ ୨୦୨୧ରେ  ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଏକ ଟେଷ୍ଟ   ଖେଳାଯାଇଥିଲା । ନ୍ୟୁଜିଲାଣ୍ଡ ଲଢୁଆ ଖେଳ ପ୍ରଦର୍ଶନ କରି ମ୍ୟାଚ୍‌କୁ ଡ୍ର’ ରଖିବାରେ ସଫଳ ହୋଇଥିଲା । ଶ୍ରେୟାସ ଆୟର ଉଭୟ ଇନିଂସରେ ଯଥାକ୍ରମେ ଶତକ ଓ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଚେନ୍ନାଇ ଭଳି ଭାରତୀୟ ଦଳ ଗ୍ରୀନ୍‌ ପାର୍କରେ ମଧ୍ୟ ଆଧିପତ୍ୟ ଜାରି ରଖିବ ବୋଲି   ଅନୁମାନ କରାଯାଉଛି । ମାତ୍ର ପିଚ୍‌ ଓ ଜଳବାୟୁ   ସବୁ ପୂର୍ବାନୁମାନକୁ ବିଗାଡ଼ି ଦେବାର ଯଥେଷ୍ଟ   ସମ୍ଭାବନା ରହିଛି । ଦ୍ୱିତୀୟ ଟେଷ୍ଟ ପାଇଁ କ୍ୟୁରେଟର  କଳାମାଟିରେ ପିଚ୍‌ ପ୍ରସ୍ତୁତ କରିଛନ୍ତି । ତେଣୁ  ସ୍ପିନରମାନେ ଏଠାରେ ସଫଳତା ପାଇବେ । ମାତ୍ର ପ୍ରଥମ ୩ ଦିନ ବର୍ଷା ସମ୍ଭାବନା ରହିଥିବାରୁ ପିଚ୍‌ ଏତେ ଶୀଘ୍ର ଶୁଷ୍କ ହେବ ନାହିଁ । ତେଣୁ ସ୍ପିନରଙ୍କୁ ଅପେକ୍ଷା କରିବାକୁ ପଡ଼ିବ । ଏଭଳି ପରିସ୍ଥିତିରେ ଏକାଦଶ ଚୟନ କରିବା ମଧ୍ୟ କଷ୍ଟକର ହେବ । ଭାରତ ମଧ୍ୟ ଏକାଦଶ ଚୟନକୁ ନେଇ ଚୁପ ରହିଛି । ଚେନ୍ନାଇରେ ୨ଜଣ ସ୍ପିନରଙ୍କୁ ନେଇ ଭାରତ ଖେଳିଥିଲା । ମାତ୍ର ଗ୍ରୀନ୍‌ ପାର୍କରେ ୩ ସ୍ପିନର ରଣନୀତି ଆପଣେଇପାରେ ଭାରତ । ତୃତୀୟ ସ୍ପିନର ସ୍ଥାନ ପାଇଁ  ଅକ୍ଷର ପଟେଲ କିମ୍ବା କୁଲଦୀପ ଯାଦବଙ୍କ ମଧ୍ୟରେ  ପ୍ରତିଦ୍ୱନ୍ଦ୍ୱିତା ହେବ । 

୨୦୨୧ରେ ଅନୁଷ୍ଠିତ ଟେଷ୍ଟର ପ୍ରଥମ ଇନିଂସରେ ଅକ୍ଷର ୫ଟି ୱିକେଟ୍‌ ନେଇଥିଲେ । ମାତ୍ର କୁଲଦୀପଙ୍କ ଏହା ଘରୋଇ ଗ୍ରାଉଣ୍ଡ୍‌ । ତେଣୁ କୁଲଦୀପ ଖେଳିବା ଆଶା ବଢି ଯାଇଛି । ବାଂଲାଦେଶ ମଧ୍ୟ ବିଶେଷ ପରିବର୍ତ୍ତନ କରିବ ନାହିଁ । କେବଳ ଜଣେ ପେସ୍‌ ବୋଲରଙ୍କୁ ବିଶ୍ରାମ  ଦେଇ ଅଭିଜ୍ଞ ତାଇଜୁଲ ଇସଲାମଙ୍କୁ ଖେଳାଇବା ଏକ ପ୍ରକାର ନିଶ୍ଚିତ । ତାଇଜୁଲ ଖେଳିଲେ ସାକିବ ଅଲ୍‌ ହାସନଙ୍କ ଉପରୁ ଚାପ ହ୍ରାସ ପାଇବ । ପ୍ରଥମ ଟେଷ୍ଟରେ ଶତକ ଅର୍ଜନ କରିଥିବା   ଶୁଭମନ ଗିଲ୍ ଓ ରିଷଭ୍ ପନ୍ତ ଏଥର ମଧ୍ୟ ଦର୍ଶକଙ୍କ ନଜରରେ ରହିବେ । ମାତ୍ର ଅନ୍ୟ କିଛି ଖେଳାଳିଙ୍କ  ପାଇଁ ରେକର୍ଡ ଅପେକ୍ଷା କରି ରହିଛି । ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍‌ ନେଲେ ସପ୍ତମ ଭାରତୀୟ ବୋଲର ଭାବେ ୩୦୦ ଟେଷ୍ଟ ୱିକେଟ୍‌ କ୍ଲବ୍‌ରେ ସାମିଲ ହେବେ । କେବଳ ସେତିକି ନୁହେଁ,  ସେ ବିଶ୍ୱର ୧୧ତମ ଖେଳାଳି ଭାବେ ଟେଷ୍ଟ କ୍ରିକେଟ୍‌ରେ  ୩୦୦ ୱିକେଟ୍‌ ଓ ୩୦୦୦ ରନ୍‌ ପୂରଣ କରିବେ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.