‘ମୋ ଜୀବନ କାଳରେ ଦେଖିନି ଏତେ ଛକା...’ ଅଭିଷେକଙ୍କ ବ୍ୟାଟିଂ ଦେଖି ତାଟକା ଇଂଲଣ୍ଡର କିମ୍ବଦନ୍ତୀ ବ୍ୟାଟର

Published By : Prameya-News7 Bureau | February 03, 2025 IST

ନୂଆଦିଲ୍ଲୀ ୦୩/୦୨: ଅଭିଷେକ ଶର୍ମା । ଟିମ୍‌ ଇଣ୍ଡିଆର ଉଦୀୟମାନ ତାରକା । ଫଟାପଟ୍ କ୍ରିକେଟରେ ସେ ଏବେ ବାଦ୍‌ଶାହା । କାରଣ ତାଙ୍କ ବ୍ୟାଟରୁ ହେଉଛି ରନ୍‌ର ବର୍ଷା । ଗୁରୁ ଯୁବରାଜଙ୍କ ପରି ସେ ଏବେ ଚର୍ଚ୍ଚିତ ଚେହେରା । ଗୁରୁଙ୍କ ଭଳି ଅଭିକଳ ନକଲ ଷ୍ଟାଇଲ୍ । ବ୍ୟାଟିଂ ଷ୍ଟାଇଲ୍ ବି ପୁରା ସମାନ । ସେହି ଷ୍ଟାଇଲରେ କଭର ଡ୍ରାଇଭ୍, ସେହି ଷ୍ଟାଇଲରେ ଷ୍ଟେଟ୍ ଡ୍ରାଇଭ୍ । ଇଂଲଣ୍ଡ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜକୁ କବଜା କରି ନେଇଛି ଭାରତ । 

ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ୪-୧ରେ ସିରିଜ ଜିତିଛି ଟିମ୍ । ତେବେ ଏଥିରେ ହିରୋ ସାଜିଥିଲେ ଯୁବ କ୍ରିକେଟର ଅଭିଷେକ ଶର୍ମା । ରବିବାର ପଞ୍ଚମ ତଥା ଅନ୍ତିମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେ ଯୁବ ଖେଳାଳି ଅଭିଷେକ ଶର୍ମା ବିସ୍ଫୋରକ ଶତକ ହାସଲ କରିଥିଲେ । ଯାହାକୁ ନେଇ ଇଂଲଣ୍ଡର ପୂର୍ବତନ କ୍ରିକେଟ ଅଲାଷ୍ଟାର କୁକ୍ ମଧ୍ୟ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ।


ଅନ୍ତିମ ଟି-ଟ୍ବେଣ୍ଟିରେ ଅଭିଷେକ ଶର୍ମା ଖେଳିଥିଲେ ଦମଦାର ଇନିଂସ । ମାତ୍ର ୩୪ଟି ବଲରେ ଖେଳିଥିଲେ ସେଞ୍ଚୁରୀ । ମୋଟ ୫୪ଟି ବଲ୍‌ ଖେଳି ସେ ୧୩୫ ରନ କରିଥିଲେ ଯେଉଁଥିରେ ୧୩ଟି ଛକା ଓ ୭ଟି ଚୌକା ରହିଛି । ତେବେ ଅଭିଷେକଙ୍କର ଦୁର୍ଦ୍ଦଷ ଇନିଂସ ପରେ ସବୁରି ମୁହଁରେ ଜୋରଦାର ପ୍ରଶଂସା । 

ଖାସ୍ କରି ଇଂଲଣ୍ଡର ପୂର୍ବତନ ଖେଳାଳି ଆଲଷ୍ଟାର କୁକ୍‌ଙ୍କ ହୋସ୍ ଉଡାଇ ଦେଇଛି । ସେ କହିଛନ୍ତି, ଅଭିଷେକଙ୍କର ଏହି ଦମଦାର ପାଳି ସବୁବେଳେ ମନେ ରହିବ । ସେ ଯେଉଁଭଳି ଛକା ବର୍ଷା କଲେ ତାହା ମୋ କ୍ୟାରିୟରରେ କେବେ ଦେଖିନାହିଁ । ୨ ଘଣ୍ଟାରେ ଅଭିଷେକ ମୋ କ୍ୟାରିୟରଠୁ ଅଧିକ ଛକା ମାରି ଦେଲେ । କୁକ୍‌ଙ୍କ କହିବା କଥା ୭ରୁ ୮ମାସ ହେବ ଡେବ୍ୟୁ କରିଥିବା ଅଭିଷେକ ଶର୍ମା କରୁଛନ୍ତି ବିସ୍ଫୋରକ ବ୍ୟାଟିଂ ।

୩୭ ବଲରୁ ଅଭିଷେକଙ୍କ ଶତକ ତାଙ୍କୁ ଦ୍ବିତୀୟ ଦ୍ରୁତତମ ଭାରତୀୟ ଖେଳାଳି କରିଛି । ରୋହିତ ଶର୍ମାଙ୍କ ପରେ ଅଭିଷେକ ଟିଟ୍ବେଣ୍ଟି ଅନ୍ତର୍ଜାତୀୟରେ ଦ୍ରୁତତମ ଶତକ ହାସଲ କରିଛନ୍ତି । ରୋହିତ ଶର୍ମା ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଇନ୍ଦୋରରେ ୩୫ ବଲରେ ଶତକ ହାସଲ କରିଥିଲେ । ଏହି ରେକର୍ଡ ସହ ଅଭିଷେକ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ଦ୍ରୁତତମ ଶତକ ହାସଲ କରିବାରେ ଅଷ୍ଟମ ସ୍ଥାନରେ ରହିଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.