ମୁମ୍ବାଇ: ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର ରୋମାଞ୍ଚ ଦେଖିବାକୁ ମିଳିଛି । ଇଂଲଣ୍ଡକୁ ଟିମ୍ ଇଣ୍ଡିଆର ବ୍ୟାଟର ଓ ବୋଲରଙ୍କ ମିଳିତ ଆକ୍ରମଣ ଦେଖିବାକୁ ମିଳିଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଘରୋଇ ଦଳକୁ ଆମନ୍ତ୍ରଣ କରିଥିଲା ଇଂଲିଶ୍ ଟିମ୍ । ହେଲେ ବଟଲର ବାହିନୀ ବୋଲରଙ୍କୁ ଏହା ଭାରିପଡ଼ିଥିଲା । ଆରମ୍ଭକୁ ଆକ୍ରମଣ କରିଥିଲେ ଓପନର ଅଭିଷେକ୍ ଶର୍ମା । ବ୍ୟାକ୍ ଟୁ ବ୍ୟାକ୍ ଛକାରେ ଓ୍ବାଙ୍ଖଡେ ଷ୍ଟାଡିୟମର ଗ୍ରାଭିଟି ଶୂନ୍ୟ ହୋଇଯାଇଥିଲା । ବ୍ୟାଟ ପ୍ରହାରରେ ଇଂଲଣ୍ଡ ବୋଲିଂଙ୍କ ଲାଇନଲେନ୍ଥ ବିଗାଡ଼ି ଦେଇଥିଲେ ଟିମ୍ ଇଣ୍ଡିଆର ଏହି ଯୁବ ତାରକା । ମାତ୍ର ୩୭ଟି ବଲ୍ ଖେଳି ଶତକ ହାସଲ କରିଥିଲେ । ଏହା ବ୍ୟକ୍ତି ଗତ ଭାବେ ଟି-୨୦ରେ ତାଙ୍କର ଏହା ଦ୍ବିତୀୟ ଶତକ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ୧୫୦ ରନରେ ଇଂଲଣ୍ଡକୁ ପରାସ୍ତ କରିଛି ।
ଅନ୍ତିମ ଟି-୨୦ ମୁକାବିଲାରେ ମୋଟ୍ ୫୪ଟି ବଲ୍ ଖେଳି ୧୩୫ ରନ ସଂଗ୍ରହ କରିଥିଲେ । କୌଣସି ଭାରତୀୟ ଖେଳାଳି ଭାବେ ଏହା ଅଭିଷେକ୍ ଶର୍ମାଙ୍କ ଏହା ସର୍ବାଧିକ ଟି-୨୦ ରନ୍ । ଯୁବରାଜ ସିଂହଙ୍କ ଏହି ଶିଷ୍ୟ ଟି-୨୦ରେ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି । ପୂର୍ବରୁ ରୋହିତଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ରହିଥିଲା । ରୋହିତ୍ ସର୍ବାଧିକ ୧୨୧ ରନର ଇନିଂସ ଖେଳିଥିଲେ । ତେବେ ଗତକାଲି ମ୍ୟାଚରେ ୧୩୫ ରନ କରି ରୋହିତଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି ଅଭିଷେକ୍। ଏପଟେ ଅଭିଷେକଙ୍କ ଖେଳକୁ ପ୍ରଶଂସା କରିଛନ୍ତି ଗୁରୁ ଯୁବରାଜ ସିଂହ । ଏକ୍ସରେ ସେ ପୋଷ୍ଟ କରି ଲେଖିଛନ୍ତି,'ଭଲ ଖେଳି ଅଭିଷେକ୍, ମୁଁ ତୁମକୁ ଏହି ସ୍ଥାନରେ ଦେଖିବାକୁ ଚାହୁଁଥିଲି’ । ସେପଟେ ଯୁବରାଜଙ୍କ ଟ୍ବିଟ୍କୁ ମିଡିଆ ସାକ୍ଷାତକାର ବେଳେ ମଜାଳିଆ ଢଙ୍ଗରେ କହିଛନ୍ତି ଅଭିଷେକ୍ ଶର୍ମା । ସେ କହିଛନ୍ତି, ପ୍ରଥମ ଥର ପାଇଁ ତାଙ୍କ ନିକଟରୁ ‘ଉଡ଼ନ୍ତା ଚପଲ’ ଆସିନାହିଁ । ମୁଁ ତାଙ୍କ ପ୍ରଶଂସାରେ ‘ଉଡ଼ନ୍ତା ଚପଲ’କୁ ଅପେକ୍ଷା କରିଥିଲା ।
Well played @IamAbhiSharma4! That's where I want to see you! 🔥 Proud of you 👊🏻💯#IndVSEng
— Yuvraj Singh (@YUVSTRONG12) February 2, 2025
ସୂଚନା ଅନୁଯାୟୀ, ଟିମ୍ ଇଣ୍ଡିଆର ଓପନର ଅଭିଷେକ୍ ଶର୍ମାଙ୍କ ମେଣ୍ଟର ହେଉଛନ୍ତି ଯୁବରାଜ ସିଂହ । ଅଭିଷେକ୍ ଭାରତୀୟ ଦଳ ପାଇଁ ଦମଦାର ଇନିଂସ ଖେଳିଲେ, ସେ ତାଙ୍କୁ ଏକ୍ସରେ 'ଉଡ଼ନ୍ତା ଚପଲ' ଚିହ୍ନ ପଠାଇ ପ୍ରଶଂସା କରିଥାନ୍ତି । ଗତକାଲି ରେକର୍ଡ ବ୍ରେକିଂ ପ୍ରର୍ଦଶନ ପରେ ଯୁବରାଜ ତାଙ୍କୁ କେବଳ ଟ୍ବିଟ୍ କରି ପ୍ରଶଂସା କରିଥିଲେ । ମାତ୍ର ସେଥିରେ 'ଉଡ଼ନ୍ତା ଚପଲ' ଚିହ୍ନ ନଥିଲା । ଯାହାକୁ ନେଇ ଅଭିଷେକ୍ କହିଛନ୍ତି, ଯୁବରାଜ ସିଂହ ପ୍ରଥମ ଥର ପାଇଁ 'ଉଡ଼ନ୍ତା ଚପଲ' ବିନା ପ୍ରଶଂସା ମିଳିଛି ।