ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତକୁ ବଡ଼ ଝଟକା, ଅଲରାଉଣ୍ଡର ଶିବମ ଦୁବେ ଦଳରୁ ବାଦ୍

Published By : Prameya-News7 Bureau | October 05, 2024 IST

livehindustan

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା । ଦଳର ଉଦୀୟମାନ ତାରକା ଅଲରାଉଣ୍ଡର ଶିବମ ଦୁବେ ଟି-୨୦ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି। ବିସିସିଆଇ ଶନିବାର ତାଙ୍କ ବଦଳ ଖେଳାଳି ଭାବେ ତିଳକ ବର୍ମାଙ୍କୁ ଦଳରେ ସାମିଲ୍ କରିଛି। ଶିବମ ଦୁବେ ପିଠିରେ ଆଘାତଜନିତ ସମସ୍ୟା କାରଣରୁ ଆଗାମୀ ଟି-୨୦ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି।

ବିସିସିଆଇ ମୁତାବକ, ଅଲରାଉଣ୍ଡର ଶିବମ ଦୁବେ ପିଠିରେ ଆଘାତ ଲାଗିବା କାରଣରୁ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି। ଚୟନକର୍ତ୍ତା ତାଙ୍କ ସ୍ଥାନରେ ତିଳକ ବର୍ମାଙ୍କୁ ଦଳରେ ଚୟନ କରିଛନ୍ତି। ତିଳକ ରବିବାର ସକାଳେ ଗ୍ଵାଲିୟରରେ ଦଳରେ ଯୋଗ ଦେବେ। 

ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଗ୍ଵାଲିୟରରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ମ୍ୟାଚ୍ ଆରମ୍ଭ ହେବ। ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ଵ ନେଉଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ବରିଷ୍ଠ ଖେଳାଳିଙ୍କ ଉପରେ ଗୁରୁ ଦାୟିତ୍ଵ ରହିଛି। ଅନେକ ବରିଷ୍ଠ ଖେଳାଳିଙ୍କୁ ଦଳରେ ବିଶ୍ରାମ ଦିଆଯାଇଥିବାରୁ ଅଭିଷେକ ଶର୍ମାଙ୍କ ପରି ଖେଳାଳିଙ୍କୁ ନିଜକୁ ସାବ୍ୟସ୍ତ କରିବା ପାଇଁ ସୁଯୋଗ ମିଳିଛି।

ଅଭିଷେକ ଜିମ୍ବାଓ୍ଵେ ବିପକ୍ଷ ସିରିଜ୍‌ରେ ଶତକ ଅର୍ଜନ କରି ନିଜର ସାମର୍ଥ୍ୟ ଦେଖାଇଛନ୍ତି। ବାଂଲାଦେଶ ବିପକ୍ଷ ସିରିଜ୍‌ରେ ଅଭିଷେକ ସଞ୍ଜୁ ସାମସନଙ୍କ ସହ ଇନିଂସ ଓପନ କରି ପାରନ୍ତି। ଦଳରୁ ବାଦ୍  ପଡ଼ିଥିବା ଶିବମ ଦୁବେ ଟି-୨୦ ବିଶ୍ଵକପ୍ ଚାମ୍ପିଅନ ଦଳର ସଦସ୍ୟ ଥିଲେ। ଉଦୀୟମାନ ଦ୍ରୁତ ବୋଲର ମୟଙ୍କ ଯାଦବ ଟି-୨୦ ଅନ୍ତର୍ଜାତୀୟରେ ପଦାର୍ପଣ କରିବାକୁ ଯାଉଛନ୍ତି। ଆଇପିଏଲ୍‌ରେ ମୟଙ୍କ ଲଗାତାର ୧୫୦ କିମି ବେଗରେ ବୋଲିଂ କରି କ୍ରିକେଟ୍ ଜଗତରେ ଚହଳ ପକାଇଥିଲେ। ତେବେ ଆହତ କାରଣରୁ ସେ ଦୀର୍ଘ ସମୟ ଧରି କ୍ରିକେଟ୍‌ରୁ ଦୂରରେ ଥିଲେ।

ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ

ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ନୀତିଶ କୁମାର ରେଡ୍ଡୀ, ତିଳକ ବର୍ମା, ଓ୍ଵାଶିଂଟନ ସୁନ୍ଦର, ରବି ବିଷ୍ନୋଇ, ବରୁଣ ଚକ୍ରବର୍ତ୍ତୀ, ଜିତେଶ ଶର୍ମା, ଅର୍ଶଦୀପ ସିଂ, ହର୍ଷିତ ରାଣା, ମୟଙ୍କ ଯାଦବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.