ପୃଥିବୀର ଫୁସଫୁସକୁ ଜାଳିଦେଲାଣି ବନାଗ୍ନୀ : ନଷ୍ଟ ହେଲାଣି ଆମାଜନ ଜଙ୍ଗଲର ୩୭୫୦ ବର୍ଗକିମି ଅଞ୍ଚଳ

Published By : Prameya-News7 Bureau | July 07, 2022 IST

ନୂଆଦିଲ୍ଲୀ ୦୭/୦୭:ପୃଥିବୀର ଫୁସ୍‌ଫୁସ୍‌ ବୋଲାଉଥିବା ଆମାଜନ୍‌ ଜଙ୍ଗଲ ଦ୍ରୁତ ଗତିରେ ନଷ୍ଟ ହେବାରେ ଲାଗିଛି । ନିଆଁ ଲାଗିବା ଏବଂ ଅନ୍ୟ କାରଣରୁ ଏହି ଜଙ୍ଗଲର ୩,୭୫୦ ବର୍ଗ କିଲୋମିଟର ଅଞ୍ଚଳ ନଷ୍ଟ ହୋଇଗଲାଣି । ବ୍ରାଜିଲ୍‌ର ସ୍ପେସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଆଇଏନ୍‌ପିଇ) ପକ୍ଷରୁ ଏହି ଆକଳନ କରାଯାଇଛି ।

ଆଇଏନ୍‌ପିଇ ଉପଗ୍ରହରୁ ନିଆଯାଇଥିବା ତଥ୍ୟ ମୁତାବକ, ଚଳିତବର୍ଷ ଜାନୁଆରୀ ୧ରୁ ଜୁନ୍‌ ୨୪ ମଧ୍ୟରେ ଆମାଜନ୍‌ ଜଙ୍ଗଲର ୩,୭୫୦ ବର୍ଗ କିଲୋମିଟର (୧,୪୪୮ ବର୍ଗ ମାଇଲ୍‌) କ୍ଷୟ ହୋଇଯାଇଛି । ୨୦୧୬ ପରଠାରୁ ଏହା ସର୍ବାଧିକ ଜଙ୍ଗଲ ନଷ୍ଟ ବୋଲି ଆକଳନ କରାଯାଇଛି । ବର୍ଷ ଆରମ୍ଭରୁ ଆମାଜନ୍‌ ଉପରେ ଆଇଏନ୍‌ପିଇର ଉପଗ୍ରହଗୁଡ଼ିକ ନଜର ରଖିଥିଲା । କେବଳ ଗତମାସରେ ଜଙ୍ଗଲର ୨,୫୬୨ ସ୍ଥାନରେ ନିଆଁ ଲାଗିଥିବା ଜାଣିବାକୁ ମିଳିଛି ।
ଶୁଖିଲା ପାଗ ଯୋଗୁ ପ୍ରତିବର୍ଷ ମେ ଓ ଜୁନ୍‌ରେ ସ୍ୱାଭାବିକ ଭାବେ ଜଙ୍ଗଲରେ ନିଆଁ ଲାଗି ନଷ୍ଟ ହୋଇଥାଏ । କିନ୍ତୁ ଏଥର ବର୍ଷ ଆରମ୍ଭରୁ ତାହା ଦେଖିବାକୁ ମିଳିଛି । ଏଭଳି ସ୍ଥିତି ଉପୁଜିଲେ ଜଙ୍ଗଲ ଖୁବ୍‌ କମ୍‌ ସମୟ ମଧ୍ୟରେ ନିଶ୍ଚିହ୍ନ ହୋଇଯିବ ବୋଲି ଆଶଙ୍କା କରାଯାଉଛି । ମେ ମାସରେ ଆମାଜନ୍‌ ରେନ୍‌ ଫରେଷ୍ଟ୍‌ର ୨,୨୮୭ ସ୍ଥାନରେ ନିଆଁ ଲାଗିଥିବା ଆଇଏନ୍‌ପିଇ ଜାଣିବାକୁ ପାଇଥିଲା । ୨୦୦୪ ପରଠାରୁ ଏହି ସଂଖ୍ୟା ସର୍ବାଧିକ ।

୨୦୧୯ରେ ବ୍ରାଜିଲ୍‌ର ରାଷ୍ଟ୍ରପତି ଭାବେ ଜୈର ବୋଲସୋନାରୋ କ୍ଷମତାକୁ ଆସିବା ପରଠାରୁ ବିଶ୍ୱର ଏହି ସର୍ବବୃହତ୍‌ ରେନ୍‌ ଫରେଷ୍ଟ ଦ୍ରୁତ ଗତିରେ ନଷ୍ଟ ହେବାରେ ଲାଗିଛି । ପୂର୍ବରୁ ପରିବେଶ ସୁରକ୍ଷା ପାଇଁ ଯେଉଁ ଅଭିଯାନ ଜାରି ରହିଥିଲା, ତାହା ବି ଦୁର୍ବଳ ପଡ଼ିଯାଇଛି । ବୋଲସୋନାରୋ ଜଙ୍ଗଲର ସୁରକ୍ଷା ପରିବର୍ତ୍ତେ ରାଜସ୍ୱ ଆୟ ପାଇଁ ଜଙ୍ଗଲ ପଦା କରିବାକୁ ଉତ୍ସାହିତ କରୁଛନ୍ତି । ଜଙ୍ଗଲ ସଫା କରି ଚାଷକୁ ସମୃଦ୍ଧ ପାଇଁ ସେ ଜୋର ଦେଉଛନ୍ତି । ଏହାଦ୍ୱାରା ଆମାଜନ୍‌ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଦାରିଦ୍ର‌୍ୟ ଦୂରୀକରଣ ହୋଇପାରିବ ବୋଲି ତାଙ୍କ ଯୁକ୍ତି ।

ବିବାଦ ଘେରକୁ ଆସିବା ପରେ ରାଷ୍ଟ୍ରପତି ବୋଲସୋନାରୋ ଜଙ୍ଗଲ ସୁରକ୍ଷା ନିମନ୍ତେ ଅନେକ ଏକ୍‌ଜିକ୍ୟୁଟିଭ୍‌ ଅର୍ଡର ପାସ୍‌ କରାଇଥିଲେ । କିନ୍ତୁ ପରେ ସରକାରୀ କାର୍ଯ୍ୟକ୍ରମ ପାଇଁ ସେ ପାଣ୍ଠି ଯୋଗାଣ କମାଇ ଦେଇଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ସେ ଜଙ୍ଗଲ ଅଞ୍ଚଳରେ ବାଣିଜ୍ୟିକ ଖନନ ଓ ଚାଷକୁ ପ୍ରୋତ୍ସାହିତ କରିଥିଲେ । ୨୦୨୧ ଅକ୍ଟୋବରରେ କିଛି ଜଳବାୟୁ ଓକିଲ ବୋଲସୋନାରୋଙ୍କ ବିରୋଧରେ ତଦନ୍ତ ପାଇଁ ଅନ୍ତର୍ଜାତୀୟ ଆପରାଧିକ କୋର୍ଟ (ଆଇସିସି)କୁ ଅନୁରୋଧ କରିଥିଲେ । ଆମାଜନ୍‌ ଉପରେ ରାଷ୍ଟ୍ରପତି ଜାଣିଶୁଣି ଆକ୍ରମଣ କରୁଥିବା ସେମାନେ ଅଭିଯୋଗ କରିଥିଲେ । ବୋଲସୋନାରୋଙ୍କ ଏଭଳି କାର୍ଯ୍ୟ ମାନବତା ପ୍ରତି ଘୋର ଅପରାଧ ବୋଲି ସେମାନେ ଦର୍ଶାଇଥିଲେ ।

ଆମେରିକୀୟ ଅଭିନେତା ଲିଓନାର୍ଡୋ ଡିକାପ୍ରିଓ ଆମାଜନ୍‌ ଜଙ୍ଗଲ ନଷ୍ଟକୁ ନେଇ ଦୁଃଖପ୍ରକାଶ କରିଥିଲେ । ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ସେ ଆହ୍ୱାନ ଦେଇଥିଲେ । କିନ୍ତୁ ଚଳିତବର୍ଷ ମେ ମାସରେ ରାଷ୍ଟ୍ରପତି ବୋଲସୋନାରୋ ଡିକାପ୍ରିଓଙ୍କ ଉପରେ ପ୍ରବଳ ବର୍ଷିଥିଲେ । ମୁହଁ ବନ୍ଦ କରିବାକୁ ତାଙ୍କୁ ତାଗିଦ କରିଥିଲେ । କିଛି ବୈଜ୍ଞାନିକ ଆକଳନ କରିଛନ୍ତି ଯେ ଅକ୍ଟୋବରରେ ବ୍ରାଜିଲରେ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଜଙ୍ଗଲ ନଷ୍ଟ ମାତ୍ରା ବୃଦ୍ଧି ପାଇବ । କାରଣ ପୂର୍ବ ୩ଟି ନିର୍ବାଚନରେ ସମାନ ଘଟଣା ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.