ପୁରୀ ୨୭।୬: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଅଣସର ଘରେ ଜ୍ୱରରେ ପିଡୀତ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅଣସର ଗୃହରେ ଦଇତାପତି ଓ ପତି ମହାପାତ୍ରଙ୍କ ଦ୍ୱାରା ଗୁପ୍ତସେବା ଚାଲିଥିବା ବେଳେ ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଗୁରୁବାର ଲାଗି କରାଯିବ ଫୁଲୁରି ତେଲ । ମହାପ୍ରଭୁଙ୍କ ଗୁପ୍ତ ନୀତି ମଧ୍ୟରେ ଫୁଲୁରି ତେଲ ଲାଗି ହେଉଛି ଏକ ଗୁରୁତ୍ୱପୂର୍ଣ ଅଂଶ । ବଡ଼ଓଡ଼ିଆ ମଠ ପକ୍ଷରୁ ଚତୁର୍ଦ୍ଧାବିଗ୍ରହଙ୍କ ଲାଗି ଏହି ଫୁଲୁରି ତେଲ ଯୋଗା ଯାଇଥାଏ । ହେରାପଞ୍ଚମୀ ଦିନ ଶୁଦ୍ଧ ରାଶି ତେଲରେ ଚେରମୂଳି ଓ ସୁବାସିତ ଫୁଲ ପକାଇ ଏକ ପାତ୍ରରେ ରଖି ତାକୁ ମାଟିତଳେ ପୋତା ଯାଇଥାଏ । ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ତେଲକୁ ବାହାର କରାଯାଇ ପଞ୍ଚମୀ ଦିନ ତେଲକୁ ଛଣାଯାଏ ଏବଂ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କ ପାଇଁ ପଠାଯାଏ । ବଡ଼ଓଡ଼ିଆ ମଠର ସଦସ୍ୟ ମାନେ ପ୍ରାୟ ୬ ସେର ଫୁଲୁରି ତେଲ ନେଇ ଶ୍ରୀମନ୍ଦିରକୁ ଯାଇ ଦଇତାପତିଙ୍କୁ ଅର୍ପଣ କରିଥାନ୍ତି । ମଧ୍ୟାହ୍ନଧୂପ ଏବଂ ଦକ୍ଷିଣ ଘର ଭୋଗ ସଂପନ୍ନ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଅଣସର ଦ୍ୱାର ଖୋଲାଯାଇ ପତି ମହାପାତ୍ର ୩ଟି ରୂପା ପିଙ୍ଗଣରେ ତେଲକୁ ନେଇ ସଂସ୍କାର କରିବା ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ବିଶ୍ୱାସ ରହିଛି ଏହି ଫୁଲୁରି ତେଲ ମହାପ୍ରଭୁଙ୍କ ଶରୀରରେ ଲେପନ କରାଗଲେ ଶରୀରର ପୀଡ଼ା କମ୍ ହୋଇଥାଏ ।
You Can Read :
ମୌସୁମୀ ବାୟୁ ଆଣିଲା ଭଲ ବର୍ଷା, ଆଗାମୀ ୪ ଦିନ ପ୍ରବଳ ବର୍ଷା ନେଇ ଆଲର୍ଟ