ପାଣିପାଗ ବିଭାଗର ଆଲର୍ଟ, ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା

Published By : Prameya-News7 Bureau | June 29, 2024 IST

ଭୁବନେଶ୍ୱର ୨୯।୦୬ : ବଙ୍ଗୋପସାଗରରେ ସୃଷ୍ଟି  ହୋଇଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ଲଘୁଚାପରେ ପରିଣତ  ହୋଇଛି । ଏହା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର  ଓଡ଼ିଶା ଉପକୂଳ ଉପରେ କେନ୍ଦ୍ରୀଭୂତ ହୋଇଛି । ଲଘୁଚାପ  ପ୍ରଭାବରେ ଶନିବାର ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା  ହୋଇପାରେ । ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି ।

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ହୋଇ  ଶୁକ୍ରବାର ସକାଳ ସାଢ଼େ ୮ଟାରେ ଲଘୁଚାପରେ ପରିଣତ ହୋଇଛି।  ଲଘୁଚାପ ପ୍ରଭାବରେ ଶନିବାର ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।  ଏହି ୭ ଜିଲ୍ଲାରେ ମୋଟ ୭୦ରୁ ୧୧୦ମିମି ବର୍ଷା ହୋଇପାରେ ।  କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ  ବର୍ଷା ସମ୍ଭାବନା ଅଛି । ଏହି ତିନି ଜିଲ୍ଲାରେ ୭୦ରୁ ୨୦୦ ମିମି ଯାଏ ବର୍ଷାହୋଇପାରେ। ୩୦ରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼  ଓ କେନ୍ଦୁଝରରେ ଭାରୀ ବର୍ଷା ହେବ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୩୦ରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ  କେନ୍ଦୁଝରରେ ୭୦ରୁ ୧୧୦ମିମି ଯାଏ ବର୍ଷା ଢାଳିପାରେ । ଜୁଲାଇ   ୧ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  

ଶୁକ୍ରବାର ସକାଳୁ ସନ୍ଧ୍ୟା ସାଢ଼େ ୬ଟା ଭିତରେ ଅନୁଗୁଳରେ  ୧୦୨ମିମି ବର୍ଷା ହୋଇଛି । ନୟାଗଡ଼ରେ ୩୨, ବଲାଙ୍ଗୀରରେ ୨୬,  ଭବାନୀପାଟଣାରେ ୧୬.୪, ଟିଟିଲାଗଡ଼ରେ ୧୩.୨, ସୋନପୁରରେ  ୧୧, ଜଗତସିଂହପୁରରେ ୯.୨ ଓ ଚାନ୍ଦବାଲିରେ ୪.୨ ମିମି  ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ କୋରାପୁଟର ଜୟପୁରରେ  ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଏଠାରେ ମୋଟ ୧୨୦ମିମି  ବର୍ଷା ହୋଇଛି । କୋରାପୁଟ ନନ୍ଦପୁରରେ ୧୧୦ମିମି, ଢେଙ୍କାନାଳ  ଭୁବନରେ ୧୧୦, ମାଲକାନଗିରିରେ ୯୦, ବୋଲଗଡ଼ରେ ୮୦,  ରାୟଗଡ଼ା ଗୁଣପୁରରେ ୭୦, ଜଟଣୀରେ ୭୦, ଚିତ୍ରକୋଣ୍ଡାରେ  ୭୦ ଓ ଯାଜପୁର ଜେନାପୁରରେ ୭୦ମିମି ବର୍ଷା ହୋଇଛି ।  

ଏ ମାସରେ ରାଜ୍ୟରେ ୩୪% ନିଅଣ୍ଟିଆ ବର୍ଷା ହୋଇଛି ।  କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼,  ସମ୍ବଲପୁର, ଅନୁଗୁଳ, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼,  କେନ୍ଦୁଝର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଗଞ୍ଜାମ ଓ  ଗଜପତିରେ ନିଅଣ୍ଟିଆ ବର୍ଷା ହୋଇଛି । ମୟୂରଭଞ୍ଜ, ବାଲେଶ୍ୱର  ଓ ପୁରୀରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.