ପିପିଲି୧୬/୧୨: କେମିତି ହେବ ରୋଗୀ ସେବା । ମଦ ପିଇ ନିଶାରେ ଚୁର ଡାକ୍ତର । ସୁଇପର କରୁଛନ୍ତି ରୋଗୀ ସେବା । ଡାକ୍ତରଙ୍କ ବଦଳି ଦାବିରେ ମେଡିକାଲରେ ତାଲା ପକାଇଲେ ସ୍ଥାନୀୟ ଲୋକେ । ପୁରୀ କଣାସ ହରଚଣ୍ଡୀ ପ୍ରସାଦ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଆସିଛି ସାଂଘାତିକ ଚିତ୍ର । ଗତ ୮ ତାରିଖରେ ମେଡିକାଲର ଡାକ୍ତର ମଦ ପିଉଥିବାର ଫଟୋ ଭାଇରାଲ ହୋଇଥିଲା। ମଦ ନିଶାରେ ଡାକ୍ତର ଥିବାବେଳେ ରୋଗୀ ସେବା କରୁଥିଲେ ସୁଇପର ।
କେବଳ ସେତିକି ନୁହେଁ ଡାକ୍ତର ଓ କର୍ମଚାରୀ ନିୟମିତ ଡାକ୍ତରଖାନାକୁ ଆସୁନଥିବା ଅଭିଯୋଗ ହୋଇଥିଲା । ଏସଂପର୍କରେ ଗ୍ରାମବାସୀ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜଣାଇଥିଲେ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି । ପ୍ରତିବାଦରେ ତାତିଛନ୍ତି ଲୋକେ ।
ଗତ ୧୨ ତାରିଖରୁ ଡାକ୍ତରଙ୍କ ବଦଳି ଦାବିରେ ୫ ଦିନ ହେବ ମେଡିକାଲରେ ତାଲା ପକାଇଛନ୍ତି । ମେଡିକାଲ ବନ୍ଦ ଯୋଗୁ ପୁରୀ କଣାସ ବ୍ଲକ ଓ ଖୋର୍ଦ୍ଧା ଅଞ୍ଚଳର ପଞ୍ଚାୟତବାସୀ ସ୍ବାସ୍ଥ୍ୟସେବାରୁ ବଂଚିତ ହୋଇଛନ୍ତି । ଏତେ ସବୁ ପରେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି ।