ସୋମବାର ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି

Published By : Prameya-News7 Bureau | December 16, 2024 IST

ପୁରୀ ୧୬।୧୨ : ସୋମବାର ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି । ଯାହା ମକର ସଂକ୍ରାନ୍ତି ବା ଏକ ମାସ ଯାଏଁ ଚାଲିବ। ସୂର୍ଯ୍ୟୋଦୟ ପୂର୍ବରୁ ମହାପ୍ରଭୁଙ୍କୁ ଅର୍ପଣ ହୁଏ ପହିଲି ଭୋଗ । ଭୋଗରେ ବିରି, ଗହମ ଚୂନାରେ ଘୃତ ପାଗ ହୋଇଥିବା ପିଠା ଓ ଧନୁ ମୂଆଁ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ। ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ରାତ୍ର ୨ଟାରୁ ଶ୍ରୀମନ୍ଦିର ଦ୍ବାରଫିଟା ଯାଇ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ସହ ଅନ୍ୟାନ୍ୟ ନୀତି କାନ୍ତି ବଢ଼ି ୫ଟା ୩୦ରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ସମ୍ପନ୍ନ ହୋଇଛି। 

ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି। କଥିତ ଅଛି ମା ମହାଲକ୍ଷ୍ମୀ ଧନୁ ସଂକ୍ରାନ୍ତି ଠାରୁ ଦୀର୍ଘ ଏକମାସ ଧରି ନିଜ ପିତ୍ରାଳୟକୁ ଯାଇଥାନ୍ତି। ତେଣୁ ଶ୍ରୀମନ୍ଦିରରେ ମା ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମା ଯଶୋଦା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି। ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପୂର୍ବ ଦିନ ପର୍ଯ୍ୟନ୍ତ ପହିଲି ଭୋଗ ପ୍ରସ୍ତୁତ ହୋଇଥାଏ। ପହିଲି ଭୋଗ ହେଉଛି ମହାପ୍ରଭୁଙ୍କ ଆଦ୍ୟ ଭୋଗ। ଯାହାକି କାଉ କା କରିବା ପୂର୍ବରୁ ଏହା ମହାପ୍ରଭୁଙ୍କ ପାଖରେ ଲାଗି କରାଯାଏ। ବିରି ଓ ଗହମରେ ପ୍ରସ୍ତୁତ ୨୩ ପ୍ରକାରର ପିଠାପଣା ଶ୍ରୀଜୀଉଙ୍କ ନିକଟରେ ଲାଗି କରାଯାଇଥାଏ। ଏଥିସହ ପହିଲି ଭୋଗରେ ମୁଖ୍ୟତଃ ବଡଝିଲି, ଅମାଲୁ, ଗଇଣ୍ଠା, ଆରିସା, କାକରା, ମଣ୍ଡା, ଚଢ଼େଇନେଦା ଓ ବଡ଼ି ଆଦି ଭୋଗ କରାଯାଇଥାଏ ବୋଲି କହିଛନ୍ତି ବରିଷ୍ଠ ସେବାୟତ ଓ ଗବେଷକ।  

ତେବେ ଆସନ୍ତା ୧୭ ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ସବୁଦିନ ଦିବା ପହୁଡ଼ କରିବା ସମ୍ଭବପର ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କ ଏହି ପହିଲି ଭୋଗ ନୀତି କିଭଳି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ସମସ୍ତ ନିଯୋଗର ସହଯୋଗ ଲୋଡିଛି ଶ୍ରୀମନ୍ଦିର ପ୍ରଶାସନ। 

 

 

  • puri
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.