ଭୁବନେଶ୍ବର: ନବୀନଙ୍କୁ ଭେଟିଲେ ଅଙ୍ଗନବାଡ଼ି କର୍ମୀ ଓ ସହାୟକ ସଂଘ। ସୋମବାର ସନ୍ଧ୍ୟାରେ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟକା ସଂଘର ଏକ ପ୍ରତିନିଧି ଦଳ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନେ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବାପରେ ହେଉଥିବା ସମସ୍ୟାକୁ ନେଇ ନବୀନଙ୍କ ସହ ଆଲୋଚନା କରିଥିଲେ ।
ଏହି ଆଲୋଚନା ସମୟରେ ଶିଶୁବାଟିକାରେ ଅଙ୍ଗନବାଡ଼ି କର୍ମୀକୁ ଶିକ୍ଷକ ଭାବରେ ନିଯୁକ୍ତି ଦେବା, ପଦୋନ୍ନତି ତଥା ସେମାନଙ୍କ ସରକାରୀ କର୍ମଚାରୀ ମାନ୍ୟତା ଆଦି ପ୍ରସଙ୍ଗରେ ସେମାନେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ମାଆ ଓ ଶିଶୁମାନଙ୍କ କଲ୍ୟାଣରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଯେପରି ଗୁରୁ ଦାୟିତ୍ବ ତୁଲାଇ ଆସୁଛନ୍ତି ସେଥିପାଇଁ ସେମାନଙ୍କୁ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଜଣାଇବା ସହ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ଆଲୋଚନା ସମୟରେ ସଂଘର ଉପଦେଷ୍ଟା ସୁବାସ ସିଂ, ସଭାନେତ୍ରୀ ନନ୍ଦିନୀ ପଣ୍ଡା, ସମ୍ପାଦିକା ମଞ୍ଜୁଲତା ଦାସ,ସୁଶ୍ରୀ ସଂଗୀତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।