ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ଟେଷ୍ଟ କ୍ରିକେଟ୍ରେ ଏକ ନୂଆ କୀର୍ତ୍ତିମାନ ରଚିଛନ୍ତି। ଅଶ୍ଵିନ ଟେଷ୍ଟ କ୍ରିକେଟ୍ରେ ସର୍ବାଧିକ ଥର ପ୍ଲେୟାର ଅଫ୍ ଦ ସିରିଜ୍ ଜିତିବାରେ ଯୁଗ୍ମ ଭାବେ ଶୀର୍ଷ ସ୍ଥାନରେ ରହିଛନ୍ତି। ଆର ଅଶ୍ଵିନ ଶ୍ରୀଲଙ୍କାର ମହାନ ସ୍ପିନର ମୁଥେୟା ମୁରଲୀଧରଣଙ୍କ ସହ ସମକକ୍ଷ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ୍ ଟେଷ୍ଟ ସିରିଜ୍ରେ ଅଶ୍ଵିନ ଉଭୟ ବୋଲିଂ ଓ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି।
ଆର ଅଶ୍ଵିନ ଟେଷ୍ଟ କ୍ରିକେଟ୍ରେ ୧୧ତମ ଥର ପ୍ଲେୟାର ଅଫ ଦ ସିରିଜ୍ ଆଓ୍ଵାର୍ଡ ନିଜ ନାମରେ କରିବା ସହ ମୁରଲୀଧରଣଙ୍କ ସହ ବରାବର କରିଛନ୍ତି। ଦକ୍ଷିଣ ଆଫ୍ରିକାର ଜ୍ୟାକ କ୍ୟାଲିସ ୯ ଥର ଟେଷ୍ଟ କ୍ରିକେଟ୍ରେ ପ୍ଲେୟାର ଅଫ୍ ଦ ସିରିଜ୍ ଜିତିଥିବା ବେଳେ ରିଚାର୍ଡ ହେଡଲୀ, ଇମ୍ରାନ ଖାନ ଓ ଶେନ ଓ୍ଵାର୍ଣ୍ଣ ୮-୮ ଥର ଟେଷ୍ଟ ସିରିଜ୍ରେ ପ୍ଲେୟାର ଅଫ୍ ଦ ସିରିଜ୍ ଆଓ୍ଵାର୍ଡ ଜିତିଛନ୍ତି। ଅଶ୍ଵିନଙ୍କ ପୂର୍ବରୁ ଭାରତ ପାଇଁ ସର୍ବାଧିକ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଓ ସିରିଜ୍ ଆଓ୍ଵାର୍ଡ ସଚିନ ତେନ୍ଦୁଲକର ଜିତିଥିଲେ।
ଅଶ୍ଵିନ ଏହି ଟେଷ୍ଟ ସିରିଜ୍ରେ ବ୍ୟାଟିଂରେ ଗୋଟିଏ ଶତକ ସହ ୧୧୪ ରନ କରିଥିବା ବେଳେ ୧୧ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଚେନ୍ନାଇ ଟେଷ୍ଟରେ ଶତକ ସହିତ ଇନିଂସରେ ୬ ଓ୍ଵିକେଟ୍ ନେଇଥିଲେ। କାନପୁର ଟେଷ୍ଟରେ ଦୁଇ ଇନିଂସରେ ୫ ଓ୍ଵିକେଟ୍ ହାସଲ କରିଥିଲେ। ଟେଷ୍ଟ କ୍ରିକେଟ୍ରେ ସେ ୫୦୦ରୁ ଅଧିକ ଓ୍ଵିକେଟ୍ ଅକ୍ତିକାର କରି ସାରିଛନ୍ତି। ଏଥିସହ ଟେଷ୍ଟ କ୍ରିକେଟ୍ରେ ୩ ହଜାରରୁ ଉର୍ଦ୍ଧ୍ଵ ରନ କରି ସାରିଛନ୍ତି।