ଭୁବନେଶ୍ୱର ୨୯।୦୭ : ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ। ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଏବଂ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ।
ସେହିପରି ୩ ତାରିଖ ସୁଦ୍ଧା ଏହା ଉତ୍ତର ଓଡିଶା ପାଖ ଦେଇ ଅତିକ୍ରମ କରିବ । ରବିବାର ଠାରୁ ଉପକୂଳ ଏବଂ ପଶ୍ଚିମ ଓଡିଶାରେ ବର୍ଷା ବଢିବ । ଆସନ୍ତା ୩୧ରୁ ୧ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର , ଅନୁଗୋଳ ଏବଂ ଢେଙ୍କାନାଳ ପାଇଁ ଅରେଞ୍ଜ ୱାର୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସେହିଭଳି ଅଗଷ୍ଟ ୧ ଏବଂ ୨ତାରିଖରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, ଦେବଗଡ଼ ଏବଂ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ବର୍ଷା ଚାଷ କାର୍ଯ୍ୟକୁ ତ୍ବରାନ୍ବିତ କରିବ ବୋଲି ଆଶା କରାଯାଉଛି ।
ଜୁନ ୧ ତାରିଖରୁ ଜୁଲାଇ ୨୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ୫୨୬.୪୪ ମିଲିମିଟର ସ୍ବାଭାବିକ ବର୍ଷା ତୁଳନାରେ ହୋଇଛି ୪୬୧.୯ମିଲିମିଟର ବର୍ଷା । ଫଳରେ ରାଜ୍ୟର ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ଦେଖା ଦେଇଛି । ଏସବୁ ଜିଲ୍ଲା ହେଉଛି ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି ଏବଂ ନବରଙ୍ଗପୁର । ଆସନ୍ତା ୨ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବର୍ଷାରେ ନିଅଣ୍ଟିଆ ସ୍ଥିତି ଭରଣା ହେବାର ଆଶା କରାଯାଉଛି।
wp:embed {"url":"https://www.prameyanews7.com/state-association-has-to-ensure-the-entire-ground-has-to-be-covered-during-the-world-cup/","type":"wp-embed","providerNameSlug":"prameya-news-7"} /wp:embed