ଶାହଜହାଁପୁର ୩୦।୩: ଦୁଷ୍କର୍ମ ମାମଲାରେ ଆଜୀବନ ଜେଲଦଣ୍ଡାଦେଶ ଭୋଗୁଥିବା ଆଶାରାମ ବାପୁଙ୍କ ଜାମିନ ଅବଧି ଆଉ ୩ ମାସ ବଢିଛି। ଫଳରେ ପୀଡ଼ିତାଙ୍କ ପିତା ପରିବାରର ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଦୁଷ୍କର୍ମ ପୀଡ଼ିତାଙ୍କ ପିତା କହିଛନ୍ତି ତାଙ୍କ ପରିବାର ନିମନ୍ତେ ଏବେ ବିପଦ ବଢ଼ି ଯାଇଛି। ଏବେ ଆଶାରାମ କେବେବି ତାଙ୍କପରିବାର ପ୍ରତି କିଛିବି କରି ପାରେ। ତେବେ ଆଶାରାମଙ୍କୁ ବାରମ୍ବାର ଜାମିନ ଦିଆଯାଉଥିବାରୁ ପୀଡ଼ିତାଙ୍କ ପିତା ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।
ଉତ୍ତରପ୍ରଦେଶ ଶାହଜାହଁପୁର ନିବାସୀ ପୀଡ଼ିତାଙ୍କ ପିତା କହିଛନ୍ତି ଯେ ଆଶାରାମ ସମସ୍ତଙ୍କୁ ନିଜ ହିସାବରେ ଚଳାଉଛି। ପୀଡ଼ିତାଙ୍କ ସହିତ ୨୦୧୩ ମସିହାରେ ଆଶାରାମଙ୍କ ଯୋଦ୍ଧପୁରସ୍ଥିତ ଆଶ୍ରମରେ ଦୁଷ୍କର୍ମ ହୋଇଥିଲା। ସେତେବେଳେ ପୀଡ଼ିତା ନାବାଳିକା (୧୬) ଥିଲା। ଗୁଜରାଟ ଉଚ୍ଚନ୍ୟାୟାଳୟ ଆଶାରାମଙ୍କୁ ହୃଦୟରୋଗ ଏବଂ ବୃଦ୍ଧାବସ୍ଥା ସମ୍ପର୍କିତ ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା ନିମନ୍ତେ ଶୁକ୍ରବାର ଜାମିନ ମଞ୍ଜୁର କରିଥିଲେ।
ଆଶାରାମଙ୍କ ପାଇଁ କୋର୍ଟରେ ମକଦ୍ଦମା ଚଳାଉଥିବା ବରିଷ୍ଠ ଓକିଲ ଶୀଲୀନ ମେହେଟ୍ଟା ତର୍କ ଦେଇଛନ୍ତି ଯେ ୮୬ ବର୍ଷ ବୟଷ୍କ ଆଶାରାମ ହୃଦୟ ଏବଂ ବୃକକ ଜନିତ ରୋଗରେ ପୀଡ଼ିତ। ଏଣୁ ତାଙ୍କର ଆୟୁର୍ବେଦିକ ପଞ୍ଚକର୍ମ ଚିକିତ୍ସା କରାଯାଉଛି। ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ଯୋଦ୍ଧପୁରସ୍ଥିତ ଆୟୁର୍ବେଦିକ ହସ୍ପିଟାଲରେ ଆଶାରାମଙ୍କ ଚିକିତ୍ସା ଏବେ ଆରମ୍ଭ ହୋଇଛି ଏଥିପାଇଁ ତାଙ୍କୁ ଆଉ ୩ ମାସ ସମୟ ଲାଗିବ। ପୀଡ଼ିତାଙ୍କପିତା କହିଛନ୍ତି ଆଶାରାମ ଜେଲରେ ଥିବା ପର୍ଯ୍ୟନ୍ତ ଆମେ ସୁରକ୍ଷିତ ଥିଲୁ। ଏବେ ଆଶାରାମ ସମସ୍ତଙ୍କୁ ନିଜ ହିସାବରେ ଚଳାଉଛି। ପ୍ରଥମେ କୋର୍ଟ ୭ ଦିନ ପରେ ୧୨ ଦିନ ପୁଣି ଅଢେଇ ମାସ ଓ ଏବେ ୩ ମାସ ଜାମିନ ମଞ୍ଜୁର ହୋଇଛି।
ସୂଚନା ଅନୁସାରେ ଗୁଜରାଟ ପୋଲିସ ଦ୍ୱାରା ରୁଜୁ ଏହି ମାମଲାରେ ଉଚ୍ଚତମ ନ୍ୟାୟାଳୟ ଜାନୁୟାରୀ ୭ରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜାମିନ ମଞ୍ଜୁର କରିଥିଲେ। ଏହି ଜାମିନ ଅବଧି ୩୧ ମାର୍ଚ୍ଚ ସୋମବାର ସମାପ୍ତ ହେବା ପୂର୍ବରୁ ତାଙ୍କ ଓକିଲମାନେ ହାଇକୋର୍ଟରେ ୧ ଏପ୍ରିଲରୁ ଆଗାମୀ ୩ ମାସ ନିମନ୍ତେ ଜାମିନ ନିବେଦନ କରିଥିଲେ। ଦୁଷ୍କର୍ମ ପୀଡ଼ିତାଙ୍କ ପିତା କହିଛନ୍ତି ଯେ ଯେବେଠୁ ଆଶାରାମ ଜାମିନରେ ବାହାରକୁ ବାହାରିଲାଣି ତା ସମର୍ଥକମାନେ ସେ ଆଉ ଜେଲକୁ ଯିବେନି ବୋଲି କହୁଛନ୍ତି ଓ ତାହା ଏବେ ସତ୍ୟ ପ୍ରମାଣିତ ହେଉଛି।
ଜାମିନରେ ମୁକୁଳିବା ପରେ ଆଶାରାମ ଯୋଦ୍ଧପୁରରୁ ଇନ୍ଦୋର, ଉଜ୍ଜୈନ ଓ ସୁରଟ ନିୟମିତ ଗସ୍ତ କରୁଛନ୍ତି ଓ ନିଜର ଅନୁଗାମୀଙ୍କୁ ଭେଟୁଛି। ଏଣୁ ଏବେ ଆମ ପରିବାର ପ୍ରତି ବିପଦ ବଢିଯାଇଥିବା ପୀଡ଼ିତାଙ୍କ ପିତା କହିଛନ୍ତି। ଏବେ ଆଶାରାମ ଆମ ପରିବାର ସହ କେତେବେଳେ ବି କିଛିବି କରିପାରେ ବୋଲି ସେ ଆଶଙ୍କା କରିଛନ୍ତି। ଏଥିରେ ପୋଲିସ ଏସପି ରାଜେଶ ଦ୍ୱିବେଦୀ କହିଛନ୍ତି ଯେ ଦୁଷ୍କର୍ମ ପୀଡ଼ିତାଙ୍କ ଘରର ସୁରକ୍ଷା ପାଇଁ ଜଣେ ବନ୍ଧୁକଧାରୀ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ପୀଡିତାଙ୍କ ଘର ସାମ୍ନାରା ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି। ଏହା ଛଡା ସ୍ଥାନୀୟ ଥାନା ପୋଲିସକୁ ପାଟ୍ରୋଲିଂ କାଳରେ ପୀଡ଼ିତାଙ୍କ ଘର ଉପରେ କଡ଼ା ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବୋଲି ଦ୍ୱିବେଦୀ କହିଛନ୍ତି।