ସୁପ୍ରିମକୋର୍ଟରୁ ଅହ୍ଲାବାଦିଆଙ୍କୁ ମିଳିଲାନି ଆଶ୍ବସ୍ତି; ପାସ୍‌ପୋର୍ଟ ମୁକ୍ତ କରିବା ଆବେଦନ ଖାରଜ୍

Published By : Prameya-News7 Bureau | April 01, 2025 IST

ନୂଆଦିଲ୍ଲୀ: ୟୁଟ୍ୟୁବର ଓ ପୋଡକାଷ୍ଟର ରଣବୀର ଅହ୍ଲାବାଦିଆଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଜବତ ପାସ୍‌ପୋର୍ଟ ଦେବାକୁ ମନା କଲେ ସୁପ୍ରିମକୋର୍ଟ । ଏହା ସହିତ ଅନ୍ତରୀଣ ଜାମିନ ଅବଧିକୁ ବୃଦ୍ଧି କରିଛନ୍ତି । ମଙ୍ଗଳବାର ୟୁଟ୍ୟୁବର ଅହ୍ଲାବାଦିଆ, ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇ ଏକ ଯାଚିକା ଦାୟର କରିଥିଲେ । ଯେଉଁଥିରେ ଉଲ୍ଲେଖ ଥିଲା, ସେ ଏଣିକି ନିଜ ଶୋ’ରେ ଶାଳୀନତା ରକ୍ଷା କରିବେ । ଏହା ସହିତ ଜବତ ପାସପୋର୍ଟ ଦେବାକୁ ଗୁହାରି କରିଥିଲେ । ସେ ନିଜ ଆବେଦନ କହିଛନ୍ତି, ବିଭିନ୍ନ ପ୍ରକାର ସାକ୍ଷାତ୍କାର ଓ ମିଟିଂ ପାଇଁ ତାଙ୍କୁ ଅନେକ ସମୟରେ ବିଦେଶ ଯାତ୍ରା କରିବାକୁ ପଡ଼ୁଛି । ପାସ୍‌ପୋର୍ଟ ନଥିବାରୁ ତାଙ୍କର ଜୀବିକା ପ୍ରଭାବିତ ହେଉଛି । ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରି ଆହ୍ଲାବାଦିଆଙ୍କ ତର୍କ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି, ଅଭିଯୁକ୍ତକୁ ବିଦେଶ ଯାତ୍ରାର ଅନୁମତି ମିଳିଲେ ତାଙ୍କ ବିରୋଧରେ ଚାଲିଥିବା ତଦନ୍ତ ପ୍ରଭାବିତ ହେବ । 

କେତେ ଦିନ ତଦନ୍ତ ଚାଲିବ ?

ଖଣ୍ଡପୀଠ କହିଛନ୍ତି, ଯଦି ରଣବୀର ଆହ୍ଲାବାଦିଆଙ୍କୁ ବିଦେଶ ଯାତ୍ରା ପାଇଁ ଅନୁମତି ଦିଆଯାଉଛି, ତେବେ ତଦନ୍ତ ପ୍ରଭାବିତ ହେବ । ଏହାଛଡ଼ା କୋର୍ଟ  ଆହ୍ଲାବାଦିଆଙ୍କ ମାମଲାରେ ମହାରାଷ୍ଟ୍ର ଓ ଆସାମ ସରକାରଙ୍କ ପକ୍ଷ ରଖୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ତଦନ୍ତର ସମୟ ସୀମା ବାବଦରେ ପଚାରି ବୁଝିଥିଲେ । ସେପଟେ ଯାଞ୍ଚ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଶେଷ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ତୁଷାର ମେହେଟ୍ଟା । ତେବେ ଏହି ଦୁଇ ସପ୍ତାହ ପରେ ପାସପୋର୍ଟ ଜାରି ହେବ କି ନାହିଁ ତାହା ଉପରେ କୋର୍ଟ ବିଚାର କରିବେ ବୋଲି କହିଛନ୍ତି । 

ସର୍ତ୍ତ ସହିତ ଶୋ ଆରମ୍ଭ କରିବାକୁ ଅନୁମତି:

ଇଣ୍ଡିଆ ଗଟ୍ ଲାଟେଣ୍ଟରେ ଅଶ୍ଳୀଳ ଓ ବିବାଦୀୟ ବୟାନ ଦେଇ ଫସିଛନ୍ତି ୟୁଟ୍ୟୁବର ଓ ପୋଡକାଷ୍ଟର ରଣବୀର ଆହ୍ଲାବାଦିଆ । ତାଙ୍କ ବିରୋଧରେ ମୁମ୍ବାଇ, ଗ୍ବୌହାଟୀ ଓ ଜୟପୁରରେ ମାମଲା ରୁଜୁ ହୋଇଛି । ଗିରଫ ହେବା ଭୟ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇ ଅନ୍ତରୀଣ ଜାମିନ ପ୍ରାପ୍ତ କରିଛନ୍ତି ଆହ୍ଲାବାଦିଆ । ହେଲେ ସର୍ବୋଚ୍ଚ ଅଦାଲତ ତାଙ୍କ ପାସ୍‌ପୋର୍ଟକୁ ଜବତ କରିବା ସହିତ ଶୋ’ ଓ ପୋଡକାଷ୍ଟ ଉପରେ ରୋକ୍ ଲଗାଇଥିଲେ । ମାତ୍ର ଆହ୍ଲାବାଦିଆଙ୍କ ଗୁହାରି ପରେ ନରମିଛନ୍ତି । ତାଙ୍କ ପୋଡକାଷ୍ଟ ‘ଦି ରଣବୀର ଶୋ’କୁ ଆରମ୍ଭ କରିବାକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । ନୈତିକତା ଓ ଶାଳୀନତା ସହିତ ସମସ୍ତ ବୟସର ଲୋକ ଯେପରି ଏହାକୁ ଦେଖିପାରିବେ ସେହିଭଳି ପୋଡକାଷ୍ଟ କରିବାକୁ କୁହାଯାଇଛି ।

ସୂଚନା ଅନୁଯାୟୀ, ରଣବୀର ଆହ୍ଲାବାଦିଆ ହାସ୍ୟ ଅଭିନେତା ସମୟ ରାଇନାଙ୍କ ୟୁଟ୍ୟୁବ ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ରେ ବାପା-ମାଆଙ୍କୁ ନେଇ ଅଶ୍ଳୀଳ ଟିପ୍ପଣୀ ଦେଇଥିଲେ । ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ହୋଇଥିଲା । ମୁମ୍ବାଇ, ଗ୍ବୌହାଟ୍ଟୀ ଓ ଜାୟପୁରରେ ମାମଲା ରୁଜୁ ହୋଇଥିଲା । ସୁପ୍ରିମକୋର୍ଟ ମାର୍ଚ୍ଚ ୧୮ ତାରିଖରେ ଆହ୍ଲାବାଦିଆଙ୍କ ଗିରଫ ଉପରେ ରୋକ୍ ଲଗାଇ ଅନ୍ତରୀଣ ସରଂକ୍ଷଣ ପ୍ରଦାନ କରିଥିଲେ । ଏହା ସହିତ ତାଙ୍କ ଟିପ୍ପଣୀକୁ ନେଇ ବର୍ଷିଥିଲେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.