ଆନନ୍ଦପୁର ୨୬।୦୩ : ମହଙ୍ଗା ପଡିଛି ପୋଲିସକୁ ଆକ୍ରମଣ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ବାଲିପଦା ଗାଁ ଏବେ ପୁରୁଷ ଶୁନ୍ୟ । ଗିରଫ ଭୟରେ ଗାଁରେ କୌଣସି ପୁରୁଷ ନାହାନ୍ତି ।
ମଙ୍ଗଳବାର ବିଳମ୍ବିତ ରାତିରେ ବାଲି ଚୋରା ଚାଲାଣ ରୋକିବାକୁ ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ଗ୍ରାମବାସୀମାନେ ଆକ୍ରମଣ କରିଥିଲେ । ଏଥିରେ ଜଣେ ପୋଲିସ କର୍ମଚାରୀ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିଲେ । ଆକ୍ରମଣ ଘଟଣାକୁ ନେଇ ପୋଲିସ ପ୍ରତିକ୍ରିୟାଶୀଳ ହୋଇଛି । ଆନନ୍ଦପୁର ଏସ୍ଡିପିଓଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପୁରା ଗାଁରେ ଚଢାଉ କରିଥିଲେ । ଏହି ଚଢାଉରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ । ବାକି ଗିରଫ ଭୟରେ ଗାଁର ଏକାଧିକ ଘରେ ତାଲା ଝୁଲୁଥିବାର ଦେଖିବାକୁ ମିଳିଛି । ଗାଁରେ ଯେଉଁ କିଛି ମହିଳା ଅଛନ୍ତି । ସେମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ବର୍ତ୍ତମାନ ଯାଏଁ ଘଟଣାରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।