ଭରତପୁରରେ ପୋଲିସକୁ ଆକ୍ରମଣ ଘଟଣା, ୨ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ

Published By : Prameya-News7 Bureau | April 01, 2025 IST

ଭୁବନେଶ୍ବର: ଭରତପୁରରେ ପୋଲିସକୁ ଆକ୍ରମଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ। ଗତ ରବିବାର ଦୁଇ ଭାଇଙ୍କ ଗଣ୍ଡଗୋଳ ଘଟଣାରେ ପହଞ୍ଚିଥିବା ଭରତ ପୋଲିସ ଆକ୍ରମଣର ଶିକାର ହୋଇଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। 

ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ସୂଚନା ଅନୁସାରେ, ଭରତପୁର ବନ ଦୁର୍ଗା ବସ୍ତିରେ ରହୁଥିବା ଭାସ୍କର ମହରଣାଙ୍କ ବଡ଼ ପୁଅ ସୂର୍ଯ୍ୟ ଓ ସାନ ଅଶୋକଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ତିକ୍ତତା ଲାଗି ରହିଥିଲା।ଗତ ୨୬ ତାରିଖରେ ଉକ୍ତ ସମ୍ପତ୍ତିକୁ ନେଇ ୨ ଭାଇ ହାତାହାତି ହୋଇଥିଲେ। ଏନେଇ ଭରତପୁର ଥାନାରେ ୨ଟି ମାମଲା ରୁଜୁ ହୋଇଥିଲା। ପୋଲିସ ଉପସ୍ଥିତିରେ ୨ ଭାଇ ସମ୍ପତ୍ତିକୁ ଭାଗ ବାଣ୍ଟିନେବେ ବୋଲି ଆପୋଷ ସମାଧାନ କରି ଆସିଥିଲେ। 

ହେଲେ ରବିବାର ରାତି ପ୍ରାୟ ୧ଟା ସମୟରେ ଅଶୋକ ତାଙ୍କ ପତ୍ନୀ, ବଡ଼ ଭାଇ ସୂର୍ଯ୍ୟଙ୍କ ଘରକୁ ଆସି ସମ୍ପତ୍ତି ଭାଗବଣ୍ଟା ବିଷୟରେ ପଚାରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସୂର୍ଯ୍ୟ ଓ ତାଙ୍କ ପରିବାର ମିଶି ଅଶୋକଙ୍କ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲ। ଫଳରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଅଶୋକ ତଳେ ପଡ଼ିଯାଇଥିଲେ। ସାହିଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ଉତ୍ତ୍ୟକ୍ତ ଲୋକେ ସୁର୍ଯ୍ୟ ଓ ତାଙ୍କ ପରିବାର ଲୋକଙ୍କୁ ଘେରିଯାଇ ୧୧୨କୁ ଫୋନ୍ କରିଥିଲେ। 

ଏହି ସମୟରେ ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେମାନେ ଲୋକଙ୍କ କବଳରୁ ସୂର୍ଯ୍ୟ ଓ ତାଙ୍କ ପରିବାର ଲୋକଙ୍କୁ ଉଦ୍ଧାର କରି ନେବା ପାଇଁ ଉଦ୍ୟମ କରୁଥିବାବେଳେ ଲୋକେ ଏହାକୁ ବିରୋଧ କରିଥିଲେ। ସେମାନେ ସୂର୍ଯ୍ୟ ଓ ତାଙ୍କ ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। ପୋଲିସ ବିରୋଧ କରିବାରୁ ସେମାନେ ପୋଲିସଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ପୋଲିସ ଭ୍ୟାନକୁ ଢ଼େଲା ମାରି ଭାଙ୍ଗି ଦେଇଥିଲେ। ପରେ ଅଧିକ ସଂଖ୍ୟକ ପୋଲିସ ଫୋର୍ସ ପହଞ୍ଚି ଲୋକଙ୍କ କବଳରୁ ସୂର୍ଯ୍ୟ ଓ ତାଙ୍କ ପରିବାର ଲୋକଙ୍କୁ ଉଦ୍ଧାର କରିଥିଲେ। ଲୋକଙ୍କ ମାଡ଼ରେ ଭରତପୁର ଥାନାର ଅତିରିକ୍ତ ଆଇଆଇସି ମାଧବାନନ୍ଦ ବସ୍ତିଆ, ଏଏସ୍‌ଆଇ ସଂଘମିତ୍ରା କର ଏବଂ ଡ୍ରାଇଭର କାର୍ତ୍ତିକ ବେହେରା ଆହତ ହୋଇଥିଲେ। ସେମାନଙ୍କୁ ମଧ୍ୟ ହସ୍ପିଟାଲ ନେଇ ଚିକିତ୍ସା କରାଯାଇଥିଲା।

ଭରତପୁର ଥାନାରେ ପୂର୍ବରୁ ୨ଟି ମାମଲା ରୁଜୁ ହୋଇଥିବାବେଳେ ସୋମବାର ଆଉ ଦୁଇଟି ମାମଲା ରୁଜୁ ହୋଇଛି। ପୋଲିସ ସୂର୍ଯ୍ୟଙ୍କୁ ସମେତ ତାଙ୍କ ପତ୍ନୀ, ୨ ପୁଅ, ଶାଳକ ଓ ଶାଳୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ହାଜତ ପଠାଇଦିଆଯାଇଚି। ଏନେଇ ଅଧିକ ତଦନ୍ତ ଚାଲିଥିବା  ଡିସିପି ମୀନା କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.