ଆୟୁର୍ବେଦ ଓ ହୋମିଓପାଥି ଔଷଧରେ ଚମତ୍କାର ଓ ଅଲୌକିକ ପ୍ରଭାବ କହି ବିଜ୍ଞାପନ କରିବା ବେଆଇନ: କେନ୍ଦ୍ର ସରକାର

Published By : Prameya-News7 Bureau | October 08, 2024 IST

internet

ନୂଆଦିଲ୍ଲୀ: ଆୟୁର୍ବେଦ, ସିଦ୍ଧ, ୟୁନାନି ଓ ହୋମିଓପାଥି ଔଷଧରେ ଚମତ୍କାର ଓ ଅଲୌକିକ ପ୍ରଭାବ ଅଛି ବୋଲି କହି ବିଜ୍ଞାପନ କରିବା ବେଆଇନ। ମଙ୍ଗଳବାର ଆୟୁଷ ମନ୍ତ୍ରଣାଳୟ ଏପରି କହିବା ସହିତ ଏହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି କହିଛି। 

ମନ୍ତ୍ରଣାଳୟ କହିଛି  ଯେ ଏହିପରି ବିଜ୍ଞାପନଗୁଡ଼ିକ ଅପ୍ରମାଣିତ ତଥା ମିଥ୍ୟା ଦାବିକୁ ପ୍ରଚାର କରି ଲୋକଙ୍କୁ ଭୂଆଁ ବୁଲାଇ ସେମାନଙ୍କ ଜୀବନ ପ୍ରତି ବିପଦକୁ ପକାଇ ପାରନ୍ତି। ତେଣୁ ଏଭଳି ଔଷଧ ଖାଇବା ପୂର୍ବରୁ ଡାକ୍ତରଙ୍କ ଠାରୁ ପରାମର୍ଶ ନେବା ଜରୁରି ବୋଲି ଆୟୁଷ ମନ୍ତ୍ରଣାଳୟ ପରାମର୍ଶ ଦେଇଛି।

ମନ୍ତ୍ରଣାଳୟ କହିଛି ଯେ ସମ୍ପୃକ୍ତ ଆୟୁଷ ସିଷ୍ଟମର ପଞ୍ଜୀକୃତ ଚିକିତ୍ସା ଅଭ୍ୟାସକାରୀ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ ପରେ ହିଁ ସାଧାରଣ ଜନତାଙ୍କୁ ଏପରି ଔଷଧ ବ୍ୟବହାର କରିପାରିବେ। ଏଥିସହିତ ଯଦି ଏଭଳି କୌଣସି ଔଷଧର ନକଲି ଓ ମିଛ ପ୍ରଚାର ବିଜ୍ଞାପନ ନଜରରେ ପଡ଼ୁଛି, ତେବେ ତୁରନ୍ତ ରାଜ୍ୟ ଲାଇସେନ୍ସ ଅଥୋରିଟି ଓ ଆ।ୟୁଷ ମନ୍ତ୍ରଣାଳୟକୁ ଅଭିଯୋଗ କରିବାକୁ ମଧ୍ୟ ମନ୍ତ୍ରଣାଳୟ ଲୋକଙ୍କୁ ପରାମର୍ଶ ଦେଇଛି। 

ମନ୍ତ୍ରଣାଳୟ ଆହୁରି କହିଛି ଯେ ଏଭଳି ବିଜ୍ଞାପନରେ ପ୍ରେରିତ ହୋଇ ଆୟୁର୍ବେଦ, ସିଦ୍ଧ, ୟୁନାନି, ଏବଂ ହୋମିଓପାଥି (ASU & H) ଔଷଧ ବ୍ୟବହାର କରି ନିଜର ଚିକିତ୍ସା କରିବାରୁ ଦୂରେଇ ରୁହନ୍ତୁ। 

ଔଷଧ ଓ ମ୍ୟାଜିକ୍ ପ୍ରତିକାର(ଆପତ୍ତିଜନକ ବିଜ୍ଞାପନ) ଆଇନ ୧୯୫୪ରେ ଏଭଳି ବିଜ୍ଞାପନ ଉପରେ କଡ଼ା ପ୍ରତିବନ୍ଧକ ଲଗାଇଛି ବୋଲି ମନ୍ତ୍ରଣାଳୟ କହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.